ନୂଆଦିଲ୍ଲୀ: ପରଲୋକରେ ବିଶ୍ୱ ପ୍ରସିଦ୍ଧ ଅର୍ଥନୀତିଜ୍ଞ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ । ୯୨ ବର୍ଷ ବୟସରେ ସେ ଦିଲ୍ଲୀ ସ୍ଥିତ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପରଲୋକରେ ଦେଶ ତଥା ବିଦେଶରେ ଶୋକର ଲହରୀ ଖେଳିଯାଇଛି । ତାଙ୍କର ସରଳ ବ୍ୟକ୍ତିତ୍ୱ ଏବଂ ଦୂରଦୃଷ୍ଟି ସହିତ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତର ଅର୍ଥନୈତିକ ନୀତିରେ ଐତିହାସିକ ସଂସ୍କାର ଆଣିଥିଲେ। ଯାହା ଆଜି ପର୍ଯ୍ୟନ୍ତ ତାଙ୍କୁ ମାର୍ଗଦର୍ଶନ ଜାରି ରଖିଛି। ତାଙ୍କର ଅବଦାନକୁ ମନେ ପକାଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମନମୋହନଙ୍କ ଦେହାନ୍ତ କେବଳ ଭାରତ ପାଇଁ ନୁହେଁ ବିଶ୍ୱ ପାଇଁ ମଧ୍ୟ ଅପୂରଣୀୟ କ୍ଷତି । ଦୁଇଥର ଦେଶର ପ୍ରଧାନମନ୍ତ୍ରୀ ହେବା ସହିତ ମନମୋହନ ସିଂହ ଥରେ ଅର୍ଥମନ୍ତ୍ରୀ ଥିଲେ।
ତେବେ ମନମୋହନ ସିଂହ ଙ୍କ ମୃତ୍ୟୁ ପରେ ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନର କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ଏକ ଭାଷଣର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ମନମୋହନ ସିଂହ ଙ୍କୁ କ୍ଷମା ମାଗୁଥିବାର ନଜର ଆସିଛନ୍ତି। ବାସ୍ତବରେ ଏହି ଭିଡିଓଟି ୨୦୧୮ ମସିହାର, ଯେତେବେଳେ ନବଜୋତ ସିଂ ସିଦ୍ଧୁ କଂଗ୍ରେସ ସାଧାରଣ ସମ୍ମିଳନୀରେ ଭାଷଣ ଦେଇଥିଲେ।
ଭାଷଣରେ ସିଦ୍ଧୁ କହିଥିଲେ, “ଆପଣଙ୍କୁ ଚିହ୍ନିବା ପାଇଁ ମୋତେ ୧୦ ବର୍ଷ ଲାଗିଗଲା। ମୁଁ ଆପଣଙ୍କ ପାଖେ କ୍ଷମା ପାର୍ଥନା କରୁଛି । ଆପଣ ଜଣେ ସର୍ଦ୍ଦାର ଅଟନ୍ତି ଏବଂ ଜଣେ ଅସର୍ଦ୍ଦାର ବି ” ସେ ଆହୁରି ମଧ୍ୟ କହିଥିଲେ ଯେ, “ଯାହା ଆପଣଙ୍କର ନିରବତା କରି ଦେଖେଇଲା ତାହା ବିଜେପିର ଗର୍ଜନ ବି କରି ପାରିଲା ନାହିଁ । ଏକଥା ବୁଝିବାକୁ ମୋତେ ୧୦ ବର୍ଷ ଲାଗିଗଲା ।
ବାସ୍ତବରେ, ୨୦୧୩ ରେ ପଞ୍ଜାବରେ ଏକ ରାଲିରେ ସିଦ୍ଧୁ ମନମୋହନ ସିଂହ ଙ୍କୁ ପପୁ ପ୍ରଧାନମନ୍ତ୍ରୀ ଏବଂ ରବର କଣ୍ଢେଇ ବୋଲି ବର୍ଣ୍ଣନା କରିଥିଲେ। ସେତେବେଳେ ସେ କହିଥିଲେ ଯେ ମୁଦ୍ରାସ୍ଫୀତି ଲୋକଙ୍କ ଜୀବନକୁ କଷ୍ଟସାଧ୍ୟ କରିଦେଇଛି, ଏଥିରୁ ଜଣାପଡୁଛି ଯେ ସେ ଜଣେ ଅର୍ଥଶାସ୍ତ୍ରୀ ନୁହଁନ୍ତି ବରଂ ଅନର୍ଥଶାସ୍ତ୍ରୀ । ସେ ଆହୁରି ମଧ୍ୟ କହିଥିଲେ ଯେ, ସେ ‘ସର୍ଦ୍ଦାର’ ହୋଇପାରନ୍ତି, କିନ୍ତୁ ‘ଅସର୍ଦ୍ଦାର’ ନୁହଁନ୍ତି।