ଚାରିଧାମ ତୀର୍ଥ ଯାତ୍ରାରେ ୨୪୦ ଜଣଙ୍କ ମୃତ୍ୟୁ

ଡେରାଡୁନ: ଚାରିଧାମ ଯାତ୍ରା ୨୪୦ରୁ ଅଧିକ ତୀର୍ଥଯାତ୍ରୀଙ୍କ ପାଇଁ ହୋଇଛି ଶେଷ ଯାତ୍ରା। ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି। ହେଲିକପ୍ଟର ଯୋଗେ ମନ୍ଦିର ପରିଦର୍ଶନ କରୁଥିବା ଭକ୍ତଙ୍କ ମଧ୍ୟରେ ମୃତ୍ୟୁହାର ସର୍ବାଧିକ ରହିଛି। ଅତ୍ୟଧିକ ଉଚ୍ଚତା, ଅମ୍ଳଜାନ ଅଭାବ ଏବଂ  ହୃଦ୍‌ଘାତ ତୀର୍ଥଯାତ୍ରୀଙ୍କ ମୃତ୍ୟୁର ମୁଖ୍ୟ କାରଣ ବୋଲି ଜାଣିବାକୁ ମିଳିଛି।

ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଚାରିଧାମ ଯାତ୍ରା ସମୟରେ ମୋଟ ୨୪୬ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ବଦ୍ରିନାଥରେ ୬୫ ଜଣ, କେଦାରନାଥରେ ୧୧୫, ଗଙ୍ଗୋତ୍ରିରେ ୧୬ ଏବଂ ଯମୁନୋତ୍ରିରେ ୪୦ ଜଣଙ୍କ ମୃତ୍ୟୁ ଘଟିଛି।
ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁଯାୟୀ, ଗତ ବର୍ଷ ମୃତ୍ୟୁ ସଂଖ୍ୟା ୨୪୨ ଥିବାବେଳେ ଚଳିତ ବର୍ଷ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିଛି। ସ୍ବାସ୍ଥ୍ୟଗତ କାରଣରୁ ଚାରିଧାମ ଯାତ୍ରା ସମୟରେ ତୀର୍ଥଯାତ୍ରୀ ପ୍ରାଣ ହରାଉଥିବା ବେଳେ ଏବର୍ଷ ଏହା ବୃଦ୍ଧି ହୋଇଥିବା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି।

ଅତ୍ୟଧିକ ଉଚ୍ଚତା, ଅମ୍ଳଜାନ ଅଭାବ ଏବଂ ହୃଦ୍‌ଘାତ ତୀର୍ଥଯାତ୍ରୀଙ୍କ ମୃତ୍ୟୁର ମୁଖ୍ୟ କାରଣ ହୋଇଥିବା ମେଡ଼ିକାଲ ଅନୁଷ୍ଠାନ ସିକ୍ସ ସିଗମାର ସିଇଓ ଡାକ୍ତର ପ୍ରଦୀପ ଭରଦ୍ଵାଜ କହିଛନ୍ତି। ଏହାସହ ହଠାତ ପାଗ ପରିବର୍ତ୍ତନ ଯାତ୍ରାକୁ ଆହୁରି ଜଟିଳ କରିଥାଏ ବୋଲି ଭରଦ୍ୱାଜ କହିଛନ୍ତି। ସରକାରଙ୍କ ପକ୍ଷରୁ ଚିକିତ୍ସା ସୁବିଧା ବୃଦ୍ଧି କରାଯିବା ସହିତ ତୀର୍ଥଯାତ୍ରା ପୂର୍ବରୁ ସ୍ବାସ୍ଥ୍ୟ ପରୀକ୍ଷାର ଆବଶ୍ୟକତା ରହିଛି। ସେହିପରି ଦର୍ଶନ ପାଇଁ ସରକାରଙ୍କ ତରଫରୁ ଭିଡ ନିୟନ୍ତ୍ରଣ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ସଂକୀର୍ଣ୍ଣ ଭିତ୍ତିଭୂମିରେ ଅତ୍ୟାଧିକ ତୀର୍ଥଯାତ୍ରୀ ସମାଗମ ମୃତ୍ୟୁର ଅନ୍ୟ ଏକ କାରଣ ବୋଲି ଜାଣିବାକୁ ମିଳିଛି। ସେହିପରି ଅନେକ ସମୟରେ ଭୂସ୍ଖଳନ ଏବଂ ବନ୍ୟା ଭଳି ପ୍ରାକୃତିକ  ବିପର୍ଯ୍ୟୟ କାରଣରୁ ତୀର୍ଥଯାତ୍ରୀମାନଙ୍କ ମୃତ୍ୟୁ ହୋଇଥାଏ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *