ନୂଆଦିଲ୍ଲୀ: ରାଜ୍ୟସଭାରେ ଜଣେ କଂଗ୍ରେସ ଏମ୍ପିଙ୍କ ସିଟ୍ରୁ ମିଳିଛି ବିଡ଼ା ବିଡ଼ା ନୋଟ । ଏହାକୁ ନେଇ ରାଜ୍ୟ ସଭାରେ ଆରମ୍ଭ ହୋଇଛି ହଙ୍ଗାମା। ଅଧ୍ୟକ୍ଷ ଜଗଦୀପ ଧନଖର ଏହି ସୂଚନା ଦେଇଛନ୍ତି। ରାଜ୍ୟ ସଭାର ସିଟ୍ ନମ୍ବର ୨୨୨ରୁ ଏହି ନୋଟ ମିଳିଛି । ସେଥିରେ କେବଳ ୫୦୦ ଟଙ୍କିଆ ନୋଟ ବିଡ଼ା ରହିଛି। ଏହି ସିଟ୍ରେ ତେଲଙ୍ଗାନାର କଂଗ୍ରେସ ଏମ୍ପି ଅଭିଷେକ ମନୁ ସିଂଘଭି ବସିଥାନ୍ତି।
ଗତକାଲି ଗୃହ ସ୍ଥଗିତ ହେବା ପରେ ନିତ୍ୟ ବ୍ୟବହାର୍ଯ୍ୟ ଯାଞ୍ଚ ସମୟରେ ସୁରକ୍ଷା ଅଧିକାରୀମାନେ ୨୨୨ ସିଟ ନମ୍ବରରୁ ଏକ ବଣ୍ଡଲ ନୋଟ ଉଦ୍ଧାର କରିଥିଲେ। ଏହି ସିଟ ବର୍ତ୍ତମାନ ଅଭିଷେକ ମନୁ ସିଂଭିଙ୍କୁ ପ୍ରଦାନ କରାଯାଇଛି। ଆଇନ ଅନୁଯାୟୀ ପରିଚାଳିତ ହେବ ବୋଲି କହିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ। ଭାଜପା ରାଷ୍ଟ୍ରୀୟ ସଭାପତି ତଥା ଏମ୍ପି ଜେପି ନଡା ଏ ବିଷୟରେ କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ଗମ୍ଭୀର। ଏହା ଗୃହର ଅସମ୍ମାନ । କୌଣସି ପ୍ରସଙ୍ଗରେ କ୍ରୋଧ ପ୍ରଦର୍ଶନ ଠିକ ନୁହେଁ।
ଗୃହରେ ଅଧ୍ୟକ୍ଷ ଧନଖରଙ୍କ ଏହି ଦାବିକୁ କଂଗ୍ରେସ ଏମ୍ପିମାନେ ବିରୋଧ କରିଥିଲେ। ତେବେ ଅଭିଷେକ ମନୁ ସିଂଘଭି ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି, ଯେତେବେଳେ ମୁଁ ରାଜ୍ୟ ସଭାକୁ ଯାଏ, ସେତେବେଳେ ମୁଁ ୫୦୦ ଟଙ୍କିଆ ନୋଟ ନେଇଥାଏ। ମୁଁ ଦିନ ୧୨.୫୭ରେ ଗୃହରେ ପହଞ୍ଚିଥିଲି ଏବଂ ଦିନ ୧ଟାରେ ଉଠିଲି। ତା’ପରେ ମୁଁ ଅଯୋଧ୍ୟା ଏମ୍ପି ଆୱଧେଶ ପ୍ରସାଦଙ୍କ ସହ ୧.୩୦ ପର୍ଯ୍ୟନ୍ତ କ୍ୟାଣ୍ଟିନରେ ବସିଥିଲି। ଏହା ପରେ ସେଠାରୁ ପଳାଇଥିଲି ବୋଲି କହିଛନ୍ତି । ଅନ୍ୟପଟେ ତଦନ୍ତ ପୂର୍ବରୁ ନାମ ନିଆଯିବା ଉଚିତ ନୁହେଁ ବୋଲି କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି।