ଭୁବନେଶ୍ୱର: ପୁରୁଷ ହକିରେ ଇତିହାସ ରଚିଛି ଓଡ଼ିଶା । ନୂଆ ଅଧ୍ୟାୟ ସୃଷ୍ଟି କରିଛି ଓଡ଼ିଶା ହକି । ପ୍ରଥମ ଥର ପାଇଁ ଜାତିୟ ବିଜେତା ହୋଇଛି । ଦୁଇ ବର୍ଷ ତଳେ ମହିଳା ଦଳ ଦେଖାଇଥିବା ରାସ୍ତାକୁ ଏବେ ଓଡ଼ିଶା ପୁରୁଷ ହକି ଦଳ ଅତିକ୍ରମ କରିଛି। ୨୦୨୨ରେ ପ୍ରଥମ ଥର ଓଡ଼ିଶା ମହିଳା ଦଳ ଜାତୀୟ ବରିଷ୍ଠ ହକି ପ୍ରତିଯୋଗିତାରେ ବିଜେତା ହୋଇଥିଲା। ଏବେ ଓଡ଼ିଶା ପୁରୁଷ ହକି ଦଳ ସେହି ଅପୂର୍ବ ସଫଳତାକୁ ପ୍ରଥମ ଥର ଅର୍ଜନ କରିଛି। ଏନେଇ ହକି ଦଳର ସମସ୍ତ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି ଶୁଭେଚ୍ଛା ଜଣାଇଛନ୍ତି । ଦଳର ଏହି ସଫଳତାକୁ ଐତିହାସିକ ମାଇଲଖୁଣ୍ଟ ଦର୍ଶାଇଛନ୍ତି ଏବଂ ଏହା ଅନେକଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ବିଭିନ୍ନ ଆଡ଼ୁ ସେମାନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ଓଡ଼ିଶା ଦଳର ଏହି ସଫଳତା ପରେ ରାଜ୍ୟ ଖେଳ ଦୁନିଆରେ ଖୁସିର ଲହରି ଖେଳିଯାଇଛି।
ତାମିଲନାଡୁର ଚେନ୍ନାଇରେ ଆୟୋଜିତ ୧୪ତମ ଜାତୀୟ ବରିଷ୍ଠ ପୁରୁଷ ହକି ପ୍ରତିଯୋଗିତା ଶନିବାର ଶେଷ ହୋଇଛି । ପ୍ରତିଯୋଗିତାର ଫାଇନାଲରେ ଓଡ଼ିଶା ଏକତରଫା ଭାବେ ୫-୧ ଗୋଲ୍ରେ ୨ ଥର ବିଜେତା ହରିୟାଣାକୁ ପରାସ୍ତ କରି ଏହି ଗୌରବ ଆଣିଛି। ଶୁକ୍ରବାର ଓଡ଼ିଶା ଦଳ ସେମିଫାଇନାଲ୍ରେ ୪-୨ ଗୋଲ୍ରେ ମଣିପୁରକୁ ପରାସ୍ତ କରି ଫାଇନାଲ୍କୁ ପ୍ରବେଶ କରିଥିଲା । ଏହା ପୂର୍ବରୁ ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନ ୨୦୧୬ରେ କାଂସ୍ୟ ପଦକରେ ସୀମିତ ରହିଥିଲା। ଏହି ବିଜୟ ସହ ଓଡ଼ିଶା ମଧ୍ୟ ଗତବର୍ଷର କ୍ୱାର୍ଟରଫାଇନାଲ୍ ପରାଜୟର ପ୍ରତିଶୋଧ ନେଇଛି।
୨୦୨୩ ସସ୍କରଣରେ ଓଡ଼ିଶା-ହରିୟାଣା କ୍ୱାର୍ଟରଫାଇନାଲ୍ ନିର୍ଦ୍ଧାରିତ ସମୟରେ ୨-୨ ଗୋଲରେ ଶେଷ ହେବା ପରେ ହରିୟାଣା ସୁଟ୍ଆଉଟ୍ରେ ୩-୨ରେ ଜିତିଯାଇଥିଲା। ହରିୟାଣା ବିପକ୍ଷରେ ହକି ଓଡ଼ିଶାର ଏହା ପ୍ରଥମ ବିଜୟ। ୨୦୨୨ରେ ଉଭୟ ଦଳର ମୁକାବିଲା ୪-୪ରେ ଡ୍ର’ ରହିଥିଲା। ଫାଇନାଲ୍ରେ ହ୍ୟାଟ୍ରିକ୍ ଗୋଲ୍ ଦେଇଥିବା ଶିଳାନନ୍ଦ ଲାକ୍ରାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି। ଶନିବାରର ଅନ୍ୟ ଏକ ମୁକାବିଲାରେ ଉତ୍ତରପ୍ରଦେଶ ୨-୧ ଗୋଲରେ ମଣିପୁରକୁ ପରାସ୍ତ କରି କାଂସ୍ୟ ପଦକ ଜିତିଛି। ଶନିବାର ଆୟୋଜିତ ଫାଇନାଲ୍ରେ ଓଡ଼ିଶାର ବିଜୟ ହୋଇଥିଲା ଅଭିଜ୍ଞ ଖେଳାଳି ଶିଳାନନ୍ଦ ଲାକ୍ରାଙ୍କ ହ୍ୟାଟ୍ରିକ୍ ଗୋଲ୍ରେ। ମ୍ୟାଚ୍ର ଶେଷ କ୍ୱାର୍ଟରରେ ଏହି ଅନ୍ତର୍ଜାତୀୟ ଖେଳାଳି ୪୮, ୫୭ ଓ ୬୦ ମିନିଟ୍ରେ କ୍ରମାଗତ ୩ ଗୋଲ୍ ଦେଇ ଐତିହାସିକ କ୍ଷଣକୁ ଚମତ୍କାର ଢଙ୍ଗରେ ଆଣି ଦେଇଥିଲେ। ପ୍ରଥମ କ୍ୱାର୍ଟରରେ ରଜତ ଆକାଶ ତିର୍କୀ ୧୧ ମିନିଟ୍ରେ ଗୋଲ୍ ଦେଇ ଓଡ଼ିଶାକୁ ଅଗ୍ରଣୀ ଦେଇଥିଲେ। ଦ୍ୱିତୀୟ କ୍ୱାର୍ଟର ଗୋଲ୍ଶୂନ୍ୟ ହେବାରୁ ମ୍ୟାଚ୍ ଅଧା ବେଳକୁ ଓଡ଼ିଶା ୧-୦ରେ ଆଗୁଆ ଥିଲା।
ତୃତୀୟ କ୍ୱାର୍ଟରରେ ପ୍ରତାପ ଲାକ୍ରା (୩୯ ମିନିଟ୍) ପେନାଲ୍ଟି ଷ୍ଟ୍ରୋକ୍ ଜରିଆରେ ଦ୍ୱିତୀୟ ଗୋଲ୍ ଦେଇଥିଲା ବେଳେ ଚତୁର୍ଥ କ୍ୱାର୍ଟରର ୪୮ ମିନିଟ୍ରେ ଶିଳାନନ୍ଦ ଲାକ୍ରା ଓଡ଼ିଶା ପାଇଁ ତୃତୀୟ ଗୋଲ୍ ସ୍କୋର କରିଥିଲେ। ତେବେ ଖେଳ ଶେଷ ହେବାର ୫ ମିନିଟ୍ ପୂର୍ବରୁ ଯୋଗୀନ୍ଦର ସିଂହ ପେନାଲ୍ଟି କର୍ଣ୍ଣରରୁ ଗୋଟିଏ ଗୋଲ୍ ଶୁଝିବାକୁ ସମର୍ଥ ହୋଇଥିଲେ। କିନ୍ତୁ ବହୁ ବିଳମ୍ବ ହୋଇସାରିଥିଲା। ୫୭ ଓ ୬୦ ମିନିଟରେ ଶିଳାନନ୍ଦଙ୍କ ଲଗାତାର ଗୋଲ୍ ଭାରତକୁ ୫-୧ରେ ଜିତାଇଥିଲା। ହରିୟାଣା ଏହି ମ୍ୟାଚ୍ରେ ୧୦ଟି ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ମାତ୍ର ଗୋଟିଏକୁ ସଫଳତାର ସହ ପୋଷ୍ଟ୍ ଭିତରେ ପହଞ୍ଚାଇ ପାରିଥିଲା।