ପଞ୍ଚୁକରେ ବି କମିଲାନି: ଖୁଚୁରା ବଜାରରେ କିଲୋ ୭୦ ଟଙ୍କାରେ ବିକ୍ରି

କଟକ: କାର୍ତ୍ତିକ ମାସ ପଞ୍ଚୁକରେ ବି ପିଆଜ ଦର କମିଲାନି । ୧୫ ଦିନ ଭିତରେ କିଲୋ ପିଛା ପାଖାପାଖି ୩୦ ଟଙ୍କା ବଢ଼ିସାରିଲାଣି । ଖୁଚୁରା ବଜାରରେ ପିଆଜ କିଲୋ ୭୦ ଟଙ୍କାରେ ବିକ୍ରି ହେଉଛି ।

ଅନ୍ୟପକ୍ଷରେ ୧୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଟପିବା ପରେ ପିଆଜ ଦର ଗରାଖଙ୍କୁ ନୟାନ୍ତ କରିବ । ବଜାର ସ୍ଥିତିରୁ ଜଣାଯାଇଛି ଯେ, ଆସନ୍ତା ତିନି ସପ୍ତାହ ଯାଏ ପିଆଜ ଦର କମିବ ନାହିଁ । ନାସିକ୍ ଓ କୁର୍ନୁଲ୍ରୁ ପିଆଜ ନ ଆସିବା ଯାଏ ବଜାରକୁ ସମ୍ଭାଳିବା ମୁସ୍କିଲ୍ । ତେଣୁ ପିଆଜ ସାଧାରଣ ଖାଉଟିଙ୍କ ଲାଗି ଏବେ ଅଡୁଆ ସ୍ଥିତି ସୃଷ୍ଟି କରିଛି । ଗ୍ରାହକଙ୍କ ଚାହିଦାକୁ ପୂରଣ କରିବାକୁ ଓଡ଼ିଶା ବଜାରକୁ ବାର୍ଷିକ ଦରକାର ପଡେ ପାଖାପାଖି ୫ଲକ୍ଷ ମେଟ୍ରିକ୍ ଟନ୍ ପିଆଜ । ମାସକୁ ହାରାହାରି ୪୦ ହଜାର ଟନ୍‌ରୁ ଅଧିକ ପିଆଜ ଆବଶ୍ୟକ ପଡ଼େ । ଆବଶ୍ୟକତା ଅନୁପାତରେ ଓଡ଼ିଶାର ପିଆଜ ଉତ୍ପାଦନ ଯଥେଷ୍ଟ କମ୍ ।

ବାର୍ଷିକ ଓଡ଼ିଶାର୬୦ ହଜାର ଟନ୍ ପିଆଜ ଅମଳ କରାଯାଉଛି । ଓଡ଼ିଶାର ମୋଟ୍ ପିଆଜ ଉତ୍ପାଦନର ପ୍ରାୟ ୮୦ ଭାଗ ଟିଟିଲାଗଡ଼, ଅନୁଗୁଳରୁ ଆସିଥାଏ । କିନ୍ତୁ ଘରୋଇ ଅମଳ ଦୁଇମାସକୁ ବି ନିଅଣ୍ଟ ପଡେ । ଏଭଳି ସ୍ଥିତିରେ ଓଡ଼ିଶା ପିଆଜ ପାଇଁ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ଉପରେ ଯଥେଷ୍ଟ ନିର୍ଭରଶୀଳ । ପ୍ରତିଦିନ ଓଡ଼ିଶା ବଜାରକୁ ଏହି ଦୁଇ ଅଞ୍ଚଳରୁ ୨୦ ଗାଡ଼ି ପିଆଜ ଆସିଥାଏ। କଟକ ଛତ୍ରବଜାର ଦୈନିକ ୫ ଟ୍ରକ୍ ବୋଝେଇ ପିଆଜ ଗାଡ଼ି ଗଡ଼ିଥାଏ, ଯାହାର ପରିମାଣ ପାଖାପାଖି ୮୦ ରୁ ୧୦୦ ଟନ୍ । ଅଗଷ୍ଟରୁ ଡିସେମ୍ବର ପର୍ଯ୍ୟନ୍ତ ଆନ୍ଧ୍ର ପିଆଜ ରାଜୁତି କରୁଥିବା ବେଳେ ବର୍ଷର ଅନ୍ୟ ସମୟରେ ନାସିକ୍ ପିଆଜର ବଜାର ଦଖଲ ଥାଏ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *