ଭୁବନେଶ୍ବର: ଚାଷୀଙ୍କୁ ମିଳିବ ବୋନସ୍ । ଧାନ କିଣାରେ ୮୦୦ ଟଙ୍କା ଇନପୁଟ ସବସିଡି ସହିତ ମୋଟ ୩୧ଶହ ଟଙ୍କା ଆସନ୍ତା ଡିସେମ୍ବର ୮ରୁ ଦେବେ ରାଜ୍ୟ ସରକାର । ଏନେଇ ଆଜି ବିଜେପି ପକ୍ଷରୁ ଆୟୋଜିତ ସମବାୟ ସପ୍ତାହ ପାଳନ ଉତ୍ସବରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ଭୋଟ ବ୍ୟାଙ୍କ୍ ପାଇଁ ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୧୦୦ ଟଙ୍କା ବୋନସ ଘୋଷଣା କରିଥିଲେ। କିନ୍ତୁ ଚାଷୀଙ୍କୁ ଗୋଟିଏ ଟଙ୍କା ବୋନସ ଦେଲେ ନାହିଁ। ବିଜେପି ସରକାର ଚାଷୀଙ୍କୁ ୮୦୦ ଟଙ୍କା ବୋନସ୍ ଦେବେ। ୨୩୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଇବେ। ସମବାୟ ଆନ୍ଦୋଳନକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସରକାର ଚେଷ୍ଟିତ ଅଛନ୍ତି। ଯିଏ ସେଥିରେ ବିଭ୍ରାଟ ସୃଷ୍ଟି କରିବେ ସେମାନଙ୍କ ଉପରେ ସରକାରଙ୍କ କଡ଼ା ନଜର ରହିଛି । ଆବଶ୍ୟକ ପଡିଲେ ଝାରପଡ଼ା ଜେଲ୍ରେ ବ୍ୟବସ୍ଥା ତାଙ୍କ ପାଇଁ ଅଛି ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ତେବେ ଏଇ ମାସ ୨୦ ତାରିଖରୁ ହେବ ଧାନ କିଣା । ୨୦ରୁ ବରଗଡ଼ ଜିଲ୍ଲାରୁ ଧାନ ସଂଗ୍ରହ ହେବା ସହିତ ୨୨ ତାରିଖରେ ସମ୍ବଲପୁର ଓ ପରେ ରାଜ୍ୟର ସବୁ ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହେବ । ନଭେମ୍ବର ୨୦ ତାରିଖରୁ ଡିସେମ୍ବର ୭ ତାରିଖ ମଧ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨, ୩୦୦ ଟଙ୍କା ପ୍ରଦାନ କରାଯିବ । ଡିସେମ୍ବର ମାସ ୮ ତାରିଖରେ ବରଗଡ଼ର ସୋହେଲାରେ ରାଜ୍ୟ ସ୍ତରୀୟ କୃଷକ ସମାବେଶରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ପ୍ରଦାନ କରିବେ । ଡିସେମ୍ବର ୮ ତାରିଖ ଠାରୁ ୨, ୩୦୦ ଟଙ୍କା ସହ ଅତିରିକ୍ତ ୮୦୦ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ଜରିଆରେ ପ୍ରଦାନ କରାଯିବ ।
ମୁଖ୍ୟମନ୍ତ୍ରୀ ଏଥିପାଇଁ ଜିଲ୍ଲାପାଳମାନେ ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ ହୋଇ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ପରାମର୍ଶ ଦେଇଛନ୍ତି । ବିଭିନ୍ନ ଧାନ ମଣ୍ଡିରେ ଗ୍ରେନ ଆନାଲାଇଜର, କ୍ବାଲିଟି ଆନାଲିଷ୍ଟ, ମଣ୍ଡି ସୁପରଭାଇଜର ଆଦି ମୁତୟନ ରହିବେ । ଚାଷୀମାନଙ୍କୁ ଟୋକେନ ପ୍ରଦାନ ୧୫ ତାରିଖରୁ ଆରମ୍ଭ ହେବ । ଜିଲ୍ଲାପାଳମାନେ ଚାହିଁଲେ ଟୋକେନର ସମୟସୀମାକୁ ୭ ଦିନ ପର୍ୟ୍ୟନ୍ତ ବୃଦ୍ଧି କରିପାରିବେ । ପଡୋଶୀ ରାଜ୍ୟ ସହିତ ଲାଗି ରହିଥିବା ଜିଲ୍ଲା ଗୁଡିକରେ ଯେପରି ବାହାର ରାଜ୍ୟର ଧାନ ନପଶିବ, ସେଥିପ୍ରତି ଜିଲ୍ଲାପାଳମାନେ ପ୍ରତ୍ୟକ୍ଷ ଭାବେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସୀମାବର୍ତ୍ତୀ ଅଞ୍ଚଳରେ କ୍ୟାମେରା ସଂଯୁକ୍ତ ଥିବା ଯାନ ମାଧ୍ୟମରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଏବଂ ମଣ୍ଡିମାନଙ୍କରେ ସିସିଟିଭି ଲଗାଇବା ଓ କଟନି-ଛଟନିକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ବୋଲି ମନ୍ତବ୍ୟ ଦେିଚନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।