ଶ୍ରୀନଗର : ଠିକ୍ ସମୟରେ ଭିସା ନ ମିଳିବାରୁ ସିଆରପିଏଫର ଜଣେ ଯବାନ ଅନ୍ଲାଇନ୍ରେ ନିକାହ କରିଛନ୍ତି । ଜମ୍ମୁ-କାଶ୍ମୀରରେ ମୁତୟନ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆର୍ପିଏଫ୍)ର ଯବାନ ଅନ୍ଲାଇନ୍ରେ ପାକିସ୍ତାନର ଜଣେ ଯୁବତୀଙ୍କ ସହ ନିକାହ କରିଛନ୍ତି । ଭିସା ସମସ୍ୟା ଯୋଗୁ ଯବାନ ଓ ତାଙ୍କ ପରିବାର ପାକିସ୍ତାନ ଯାଇପାରି ନ ଥିଲେ । ଏବେ ୧୫ ଦିନିଆ ପରମିଟ୍ରେ ଯବାନଙ୍କ ପାକିସ୍ତାନୀ ପତ୍ନୀ ଭାରତ ଆସିଛନ୍ତି ।
ଯବାନ ଜଣକ ହେଲେ ମୁନୀର ଅହମ୍ମଦ । ସେ ରିୟାସି ଜିଲ୍ଲା ଅନ୍ତର୍ଗତ ଶିବ ଖୋରୀ ରାନସୂରେ ସିଆରପିଏଫ୍ର ୭୨ତମ ବାଟାଲିୟନ୍ରେ କାର୍ଯ୍ୟରତ । କିଛିଦିନ ତଳେ ମୁନୀରଙ୍କ ବିବାହ ପାକିସ୍ତାନର ସିଆଲ୍କୋଟସ୍ଥିତ କୋଟଲୀ ଫକୀର ଚନ୍ଦରେ ରହୁଥିବା ମେନଲ୍ ଖାନ୍ଙ୍କ ସହ ସ୍ଥିର ହୋଇଥିଲା । ୨୦୨୪ ଜୁଲାଇରେ ଉଭୟଙ୍କର ନିକାହ ହୋଇଥିଲା । ବିବାହର ୯ ମାସ ପରେ ଯବାନଙ୍କ ପତ୍ନୀ ମେନଲ୍ ଖାନ୍ ଶାଶୂଘର ଆସିଛନ୍ତି । ମହିଳା ଜଣକ ମାର୍ଚ୍ଚ ୧ରେ ୱାଘା ସୀମା ଦେଇ ଜମ୍ମୁ କାଶ୍ମୀରର ହନ୍ଦୱାଲ ଗ୍ରାମରେ ପହଞ୍ଚିଥିଲେ । ମୁନୀର ଅହମ୍ମଦଙ୍କ ଘର ଜମ୍ମୁ-କାଶ୍ମୀରର ଭଲୱାଲରେ ରାବ୍ତା ତହସିଲ ଅଧୀନ ହନ୍ଦୱାଲ ଗ୍ରାମରେ ।
ମୁନୀର ମେନଲ୍ଙ୍କ ସହ ନିକାହ ପାଇଁ ପାକିସ୍ତାନ ଯିବାକୁ ପ୍ରସ୍ତୁତି ଚଳାଇଥିଲେ । କିନ୍ତୁ ଭିସା ସମସ୍ୟା ଯୋଗୁ ତାହା ସମ୍ଭବ ହୋଇ ନ ଥିଲା। ଏହାପରେ ପରିବାର ଉଭୟଙ୍କର ଅନ୍ଲାଇନ୍ (ଭିଡିଓ କନ୍ଫରେନ୍ସିଂ) ଜରିଆରେ ନିକାହ କରାଇଥିଲେ । ନିକାହ ପରେ ମେନଲ୍ଙ୍କୁ ଶାଶୂଘର ଆସିବାକୁ ୧୫ ଦିନ ଲାଗି ଅନୁମତି ମିଳିଛି । ମାର୍ଚ୍ଚ ୧ରେ ୱାଘା ସୀମାରେ ପହଞ୍ଚିିବା ପରେ ଶାଶୂଘର ଲୋକେ ତାଙ୍କୁ ସ୍ୱାଗତ କରିଥିଲେ । ମେନଲ୍ଙ୍କୁ ସ୍ୱାଗତ କରି ମୁନୀରଙ୍କ ପରିବାର ଲୋକ ବେଶ୍ ଖୁସି ଅଛନ୍ତି । ମେନଲ୍ ସମସ୍ତ ଆଇନଗତ ରାସ୍ତା ଦେଇ ଭାରତ ଆସିଥିବା ମୁନୀରଙ୍କ ପରିବାର ଲୋକ କହିଛନ୍ତି ।