ନୂଆଦିଲ୍ଲୀ: ରାମ ମନ୍ଦିରକୁ ଉଡ଼ାଇଦେବାକୁ ଧମକ। ଆସନ୍ତା ୧୬ ଓ ୧୭ ତାରିଖରେ ଅଯୋଧ୍ୟା ରାମମନ୍ଦିରକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ମିଳିଛି ଧମକ। ବେଆଇନ ଘୋଷିତ ଶିଖ୍ସ ଫର ଜଷ୍ଟିସ୍ର ନେତା ତଥା ଆମେରିକାରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ ଧମକ ଦେଇଥିବା ଭିଡିଓ ଜାରି କରିଛି। କାନାଡାର ବ୍ରାମ୍ପଟନ୍ରେ ଭିଡିଓଟି ପ୍ରସ୍ତୁତ କରାଯାଇଛି । ଏଥିରେ ହିନ୍ଦୁ ଧାର୍ମିକ ସ୍ଥଳ ଉପରେ ଆକ୍ରମଣ କରିବାକୁ ଆହ୍ୱାନ ଦିଆଯାଇଛି।
ହିଂସ୍ରକ ହିନ୍ଦୁତ୍ୱ ବିଚାରଧାରର ଜନ୍ମସ୍ଥଳୀ ଅଯୋଧ୍ୟା ରାମମନ୍ଦିରର ଭିତ୍ତିଭୂମିକୁ ଦୋହଲାଇଦେବୁ ବୋଲି ଭିଡିଓରେ କୁହାଯାଇଛି । ଭିଡିଓରେ ଅଯୋଧ୍ୟା ରାମମନ୍ଦିରରେ ପ୍ରତିଷ୍ଠା ଉତ୍ସବ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂଜାର୍ଚ୍ଚନାର ଭିଡିଓ ସଂଲଗ୍ନ ରହିଛି। ଏହା ସହ କାନାଡାରେ ଥିବା ହିନ୍ଦୁମାନଙ୍କୁ ମଧ୍ୟ ମିଳିଛି ଧମକ । ହିନ୍ଦୁ ମନ୍ଦିର ଗୁଡ଼ିକରେ ଖଲିସ୍ତାନୀ ଆକ୍ରମଣ ଠାରୁ ଦୂରେଇ ରହିବାକୁ ଚେତାବନୀ ଦିଆଯାଇଛି। ସେହିଭଳି ଭାରତୀୟ ରାଷ୍ଟ୍ରଦୂତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ମଧ୍ୟ ହିଂସା ଘଟାଇବାକୁ ମିଳିଛି ଧମକ।
ସୂଚନାଯୋଗ୍ୟ ପ୍ରତିବର୍ଷ ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ପନ୍ନୁ ଏଭଳି ଧମକ ପୂର୍ଣ୍ଣ ଭିଡିଓ ଜାରି କରିଥାଏ। ନଭେମ୍ବର ୧ରୁ ୧୯ ତାରିଖ ମଧ୍ୟରେ ଏୟାର ଇଣ୍ଡିଆର ବିମାନକୁ ଉଡ଼ାଇ ଦେବାକୁ ଗତମାସରେ ଧମକ ଦେଇଥିଲା।