ଗୁଗୁଲରୁ ରାଘବଙ୍କ ବିଷୟରେ ଜାଣି ଭଲ ପାଇଥିଲେ ପରିଣୀତି

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ସାଂସଦ ରାଘବ ଚଢ଼ା ଏବେ ଚର୍ଚ୍ଚାରେ । ଅନେକ ଦିନ ଧରି ନିଜର ପ୍ରେମ ସମ୍ପର୍କକୁ ଗୁପ୍ତ ରଖିବା ପରେ ଶେଷରେ ଜୀବନସାଥୀ ପାଲଟିଥିଲେ ପରିଣୀତି ଓ ରାଘବ । ଗତବର୍ଷ ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଧୂମ୍‌ଧାମ୍‌ରେ
ବିବାହ କରିଥିଲେ । ଏହି ସେଲିବ୍ରିଟି ଦମ୍ପତିଙ୍କୁ ଲୋକେ ଖୁବ୍ ପସନ୍ଦ କରନ୍ତି ।

ନିକଟରେ ପରିଣୀତି ତାଙ୍କ ପ୍ରେମ ସମ୍ପର୍କ କେମିତି ହେଲା, ରାଘବଙ୍କୁ କେଉଁଠି ଭେଟିଥିଲେ, ରାଘବଙ୍କ ବିଷୟରେ କେମିତି ଜାଣିଲେ ସେନେଇ ଖୋଲାଖୋଲି କହିଛନ୍ତି । ଉଭୟ ପରିଣୀତି ଏବଂ ରାଘବ, ରଜତ ଶର୍ମାଙ୍କ ଶୋ’ ଆପକି ଅଦାଲତରେ ନଜର ଆସିଥିଲେ। ଏହି ସମୟରେ ଦୁହେଁ ସେମାନଙ୍କର କ୍ୟାରିୟର ବ୍ୟତୀତ ପ୍ରେମ ଜୀବନ ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଥିଲେ ।

ପରିଣୀତି କହିଛନ୍ତି ଯେ, ଲଣ୍ଡନରେ ଏକ ପୁରସ୍କାର ବିତରଣ ଉତ୍ସବରେ ରାଘବଙ୍କ ସହ ପ୍ରଥମ ସାକ୍ଷାତ ହୋଇଥିଲା। ପ୍ରଥମ ସାକ୍ଷାତରେ ସେ ମୋର ମନ ଜିଣିଥିଲେ । ଯେଉଁ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ମୁଁ ମନୋରଞ୍ଜନ କ୍ଷେତ୍ରରେ ଆଉଟଷ୍ଟାଣ୍ଡିଂ ଆଚିଭର ପୁରସ୍କାର ପାଇବାକୁ ଯାଇଥିଲି ସେଠାକୁ ରାଘବ ମଧ୍ୟ ରାଜନୀତି କ୍ଷେତ୍ରରେ ଉଲ୍ଲେଖନୀୟ ନେଇ ପୁରସ୍କାର ପାଇବାକୁ ଆସିଥିଲେ। ରାଘବ ମୋ ପଛରେ ବସିଥିଲେ। ମୁଁ ତାଙ୍କ ପାଖକୁ ଯାଇ କହିଥିଲି, ହ୍ୟାଲୋ, ମୁଁ ପରିଣୀତି, ମୋର ଭାଇ ଆପଣଙ୍କର ଜଣେ ବଡ଼ ପ୍ରଶଂସକ। ରାଘବ ମୋର ଏ କଥା ଶୁଣି କହିଥିଲେ, ବହୁତ ଭଲ କଥା । ତା’ପରେ ସେ କହିଥିଲେ, ହଉ ଆମେ ଭେଟାଭେଟି ହେବା। ମୁଁ କହିଥିଲି,‘ ଠିକ ଅଛି ମୁମ୍ବାଇରେ ଭେଟିବା। ସଙ୍ଗେସଙ୍ଗେ ରାଘବ କହିଥିଲେ, ଆସନ୍ତାକାଲି ଭେଟିଲେ କେମିତି ହେବ? ମୁଁ ରାଘବଙ୍କ ପ୍ରସ୍ତାବରେ ରାଜି ହୋଇ ତିନିଜଣ ମ୍ୟାନେଜରଙ୍କୁ ଧରି ରାଘବଙ୍କୁ ସାକ୍ଷାତ କରିବା ପାଇଁ ପହଞ୍ଚି ଯାଇଥିଲି ।

ଏହି ସମୟରେ ଟେବୁଲରେ ପ୍ରାୟ ୧୦ରୁ ୧୨ଜଣ ଲୋକ ଥିଲେ। ଏହା ଏକ ଡେଟିଂ ନ ଥିଲା। ଗୋଲ ଟେବୁଲ ବୈଠକ ଭଳି ଲାଗୁଥିଲା। ସେ ଯାହା ହେଉ ମୁଁ ରାଘବଙ୍କ ସହ ଘଣ୍ଟାଏକାଳ କଥା ହେବାପରେ ସେ ହଠାତ ଉଠି ପଡ଼ି କହିଲେ ମୋତେ ଭୋକ ଲାଗୁଛି। ଆଉ ସଙ୍ଗେସଙ୍ଗେ ଖାଇବା ପ୍ଲେଟ ଧରି ଚାଲି ଆସିଲେ। ରାଘବଙ୍କ ଏହି ସ୍ୱଭାବ ମୋତେ ଖୁବ ଭଲ ଲାଗିଥିଲା। କାରଣ ପ୍ରଥମ ଡେଟିଂ ପ୍ରାୟତଃ ଲୋକେ ନିଜକୁ ମେଣ୍ଟେନ କରି ରଖିଥାଆନ୍ତି। କିନ୍ତୁ ରାଘବ ପୁରା ଅନ୍ୟମାନଙ୍କଠାରୁ ପୁରା ନିଆରା ଥିଲେ ।

ରାଘବଙ୍କ ସହ ଯେତିକି ସମୟ ମିଶିଥିଲି ସେ ଖୋଲା ବହି ପରି ଲାଗିଲେ। ପ୍ରଥମ ଦେଖାରେ ହିଁ ମୁଁ ତାଙ୍କୁ ଭଲ ପାଇ ବସିଥିଲି । ରାଘବଙ୍କୁ ଭେଟିବା ପରେ ମୁଁ ରୁମକୁ ଆସି ସଙ୍ଗେସଙ୍ଗେ ଗୁଗୁଲ ସର୍ଚ୍ଚ କରି ରାଘବ ଚଢ଼ା କିଏ? , ରାଘବ ଚଢ଼ା ବିବାହିତ କି? ତାଙ୍କର ବୟସ କେତେ? ଗୁଗୁଲରୁ ଏସବୁ ସୂଚନା ପାଇବା ପରେ ମୁଁ ରାଘବଙ୍କୁ ବିବାହ କରିବାକୁ ସ୍ଥିର କରିଥିଲି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *