କୀଟନାଶକ ନେଲା ମାଙ୍କଡ଼ଙ୍କ ଜୀବନ, ତରବରିଆ ଭାବେ ପୋତିଦେଲେ ଗୋଦାମ କର୍ମଚାରୀ

ନୂଆଦିଲ୍ଲୀ: କୀଟନାଶକ ନେଲା ମାଙ୍କଡ଼ଙ୍କ ଜୀବନ । ଗୋଟିଏ କି ଦୁଇଟି ନୁହେଁ ୧୦୦ଟି ମାଙ୍କଡଙ୍କର ଯାଇଛି ଜୀବନ । ଏହି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ । ସାଧାରଣତଃ ପନିପରିବା ହେଉ ବା କୌଣସି ଖାଦ୍ୟଶସ୍ୟରେ କୀଟନାଶକ ଛିଞ୍ଚନ କରାଯାଉଥିବା ସମସ୍ତେ ଜାଣନ୍ତି । ହେଲେ ଏହି କୀଟନାଶକ ଶୁଙ୍ଘିଲେ ଯେ କାହାର ମୃତ୍ୟୁ ହୋଇଥାଏ ତାହା ଅଳ୍ପେ ଜାଣିଥିବେ । ଏବେ ଏହି ଘଟଣାରୁ ସ୍ପଷ୍ଟ ହୋଇଛି ଯେ, କୀଟନାଶକ ଶୁଙ୍ଘିଲେ ଶରୀର ପାଇଁ କେତେ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।

ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆ ବା ଭାରତୀୟ ଖାଦ୍ୟ ନିଗମର ଗୋଦାମରେ କୀଟନାଶକ କରାଯାଇଥିଲା ସ୍ପ୍ରେ । କୀଟନାଶକ ପଡିଥିବା ଏହି ଗୋଦାମକୁ ଚାଲି ଆସିଥିଲେ ଶହ ଶହ ମାଙ୍କଡ । ଏମାନେ କୀଟନାଶକ ପଡିଥିବା ଖାଦ୍ୟକୁ ଖାଇବା ପୂର୍ବରୁ ଶୁଙ୍ଘି ଦେଇଥିଲେ । ଫଳରେ ଜଣକ ପରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଏତେ ପରିମାଣର ମାଙ୍କଡ଼ଙ୍କ ମୃତ୍ୟୁ ହେବା ଦେଖି ଏହି ଘଟଣାକୁ ଲୁଚେଇବାକୁ ଚେଷ୍ଠା କରିଥିଲେ ଗୋଦାମ କର୍ମଚାରୀ । ଏଥିପାଇଁ ତରବରିଆ ଭାବେ ପୋତି ଦେଇଥିଲେ ମାଙ୍କଡ଼ଙ୍କ ମୃତଦେହ । ବର୍ତ୍ତମାନ ଏହି ଘଟଣା ଲୋକଲୋଚନକୁ ଆସିଛି । ଏହିସବୁ ମାଙ୍କଡ଼ଙ୍କ ମୃତ୍ୟୁ ସଂପର୍କରେ ଗତ ବୁଧବାର ଦିନ ପ୍ରଥମେ ପୋଲିସ୍ ଖବର ପାଇଥିଲା । ପରେ ଛାନଭିନ୍ କରିଥିଲା ପୋଲିସ୍ । ଏହାପରେ ପୋତା ଯାଇଥିବା ମାଙ୍କଡ଼ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ମୃତଦେହ ଗୁଡିକର ପୋଷ୍ଟମର୍ଟମ କରାଯାଇଛି । ଏବେ ସଂପୃକ୍ତ ଖାଦ୍ୟ ନିଗମ କର୍ମଚାରୀଙ୍କ ବିରୋଧରେ କେଶ୍ ରୁଜୁ ହୋଇଛି ।

ଗୋଦାମରେ ରଖାଯାଇଥିବା ଗହମ ବସ୍ତା ଉପରେ ଆଲୁମିନିୟମ୍ ଫସଫାଇଡ୍ କୀଟନାଶକ ଗତ ୭ ତାରିଖରେ ପ୍ରୟୋଗ କରାଯାଇଥିଲା । ପୋଲିସର କହିବା ଅନୁଯାୟୀ, ଗୋଦାମର ଏକ ଭଙ୍ଗା ଝରକା ପଟେ ମାଙ୍କଡମାନେ ରାତିରେ ପଶିଥିଲେ । ଏହା ପରେ ସେମାନେ ଏହି ବିଷାକ୍ତ ଗ୍ୟାସ ଶୁଙ୍ଘି ସେହିଠାରେ ଟଳି ପଡିଥିଲେ । ନଭେମ୍ୱର ୯ ତାରିଖରେ ଗୋଦାମର କର୍ମଚାରୀମାନେ ଏହି ମୃତ ମାଙ୍କଡ଼ମାନଙ୍କୁ ଦେଖିଥିଲେ । ଏହି ଘଟଣାକୁ ଲୁଚେଇବା ପାଇଁ କର୍ମଚାରୀମାନେ ମୃତ ମାଙ୍କଡଙ୍କୁ ପୋତି ଦେଇଥିଲେ । ତେବେ ଶହେ ମାଙ୍କଡ଼ ମରିବା ଘଟଣା ଦିଲ୍ଲୀରେ ପ୍ରଥମ ଘଟଣା ନୁହେଁ । ଗତବର୍ଷ ତେଲଙ୍ଗାନାର ସିଡିପେଟ୍ ଜିଲ୍ଲାର ଏକ ଗାଁରେ ମଧ୍ୟ ବିଷକ୍ରିୟାରୁ ଗୋଟିଏ ଦିନରେ ପ୍ରାୟ ଶହେ ମାଙ୍କଡ଼ଙ୍କ ମୃତ୍ୟୁ ଘଟିଥିଲା । ପରେ ମୃତଦେହଗୁଡିକୁ ଏକାଠି ପୋତି ଦିଆଯାଇଥିଲା ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *