ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଜଣେ ମହିଳା ଏସପିଜି କମାଣ୍ଡୋଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ତର୍କ ବିତର୍କ ଆରମ୍ଭ ହୋଇଯାଇଛି। କିଛି ଲୋକ ଦାବି କରିଛନ୍ତି କି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ମହିଳା କମାଣ୍ଡୋଙ୍କୁ ଦେଖିବାକୁ ମିଳିଛି । ଅନ୍ୟ କିଛି ଲୋକ ଦାବି କରିଛନ୍ତି ମହିଳା କମାଣ୍ଡୋଙ୍କୁ ପ୍ରଥମେ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ଦେଖିବାକୁ ମିଳିଛି ।
ଅନେକ ବିଜେପି ସାଂସଦ ଏହି ଫୋଟୋକୁ ସେୟାର କରିଛନ୍ତି । ମଣ୍ଡିର ସାଂସଦ କଙ୍ଗନା ରଣାଓ୍ବତ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ଫଟୋକୁ ସେୟାର କରିଛନ୍ତି । କେନ୍ଦ୍ରମନ୍ତ୍ରୀ ରବନୀତ ବିଟ୍ଟୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ମହିଳା ଏସ୍ପିଜି କମାଣ୍ଡୋଙ୍କ ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରି ସେମାନଙ୍କ ସାହସିକତା ଏବଂ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି, ଭାରତର ଗୌରବ, ନାରୀ ଶକ୍ତିର ପରିଚୟ! ଏସପିଜିରେ ଡ୍ୟୁଟିରେ ଥିବା ଆମର ସାହସୀ ମହିଳା ସୁରକ୍ଷା ଅଧିକାରୀମାନେ ଦେଶର ସେବା ଏବଂ ସୁରକ୍ଷାରେ ନୂତନ ମାନଦଣ୍ଡ ସ୍ଥାପିତ କରୁଛନ୍ତି ।
୨୬ ନଭେମ୍ବରରେ ସମ୍ବିଧାନ ଦିବସ ୨୦୨୪ ଅବସରରେ ସଂସଦ ଗୃହରେ ‘ଆମର ସମ୍ବିଧାନ, ଆମର ଆତ୍ମ ସମ୍ମାନ’ ସମାରୋହ ଆୟୋଜିତ ହୋଇଥିଲା। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି ସମୟରେ ମହିଳା କମାଣ୍ଡୋଙ୍କୁ ରାଷ୍ଟ୍ରପତିଙ୍କ ପଛରେ ଥିବା ମଧ୍ୟ ଦେଖିବାକୁ ମିଳିଥିଲା ।
କିନ୍ତୁ ଯେତେବେଳେ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ସେଣ୍ଟ୍ରାଲ ହଲ୍ ଆଡକୁ ଯାଉଥିଲେ, ସେତେବେଳେ ମହିଳା ଅଧିକାରୀମାନେ ରାଷ୍ଟ୍ରପତିଙ୍କ ପଛରେ ନଜର ଆସିଥିଲେ। ଆଉ ପଛର ପ୍ରଧାନମନ୍ତ୍ରୀ ଥିଲେ । ଦେଖନ୍ତୁ ଏହି ଫଟୋ ।

ଏହି ଫଟୋରୁ ଅନେକ କିଛି ସ୍ପଷ୍ଟ ହୋଇଯାଏ। ଏଥିରେ ମହିଳା ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ପାଖରେ ନଜର ଆସିଛନ୍ତି। ତାଙ୍କ ପାଖରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଏହି ତିନି ଜଣ ଲୋକ ମଧ୍ୟ ଭାଇରାଲ ଚିତ୍ରରେ ଅଛନ୍ତି। ଯାହାଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ମହିଳା ଅଧିକାରୀ କୁହାଯାଉଥିଲା, ବାସ୍ତବରେ କିନ୍ତୁ ସେ ରାଷ୍ଟ୍ରପତିଙ୍କ ସୁରକ୍ଷା ଅଧିକାରୀ । ଏହି ଫଟୋକୁ କ୍ରପ କରି ଭାଇରାଲ କରାଯାଉଛି । ଫଟୋକୁ ଏପରି କ୍ରପ୍ କରାଯାଇଛି ଯେ କେବଳ ପ୍ରଧାନମନ୍ତ୍ରୀ, ମହିଳା ସୁରକ୍ଷା ଅଧିକାରୀ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଦେଖିବାକୁ ମିଳୁଛନ୍ତି। ଫଟୋ କ୍ରପ୍ ହେତୁ ଲାଗୁଛି ଯେପରି ଏହି ମହିଳା ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି।
ତେବେ କହିରଖୁଛୁ, ଏହା ପ୍ରଥମ ନୁହେଁ ଯେ କି ଏସପିଜିରେ କୌଣସି ମହିଳା କମାଣ୍ଡୋ ସାମିଲ ହୋଇଛନ୍ତି । ୨୦୧୫ ପରଠାରୁ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପରେ ମହିଳା କମାଣ୍ଡୋ ମାନଙ୍କୁ ସାମିଲ କରାଯାଇଆସୁଅଛି । ଏହି କମାଣ୍ଡୋମାନେ ମୁଖ୍ୟତଃ ଯେଉଁ ମହିଳା ଅତିଥି କିମ୍ବା ଭିଜିଟର ଆସନ୍ତି, ସେମାନଙ୍କ ସୁରକ୍ଷାରେ ସଂସଦ ଗେଟରେ ନିୟୋଜିତ ହୋଇଥାନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀଙ୍କ ସହିତ ଆସୁଥିବା ମହିଳା ଅତିଥିଙ୍କ ସହ ମଧ୍ୟ ଏମାନଙ୍କୁ ଦେଖିବାକୁ ମିଳିଥାଏ । ଏହା ବ୍ୟତିତ ଏମାନେ ଗେଟ ପାଖରେ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ମଧ୍ୟ ନିୟୋଜିତ ହୋଇଥାନ୍ତି । ତେବେ ୨୦୧୫ ରୁ ମହିଳା କମାଣ୍ଡୋମାନେ ଏସପିଜିର ସିପିଟି(କ୍ଲୋସ୍ ପ୍ରୋଟେକ୍ସନ ଗ୍ରୁପ୍)ରେ ମଧ୍ୟ ସାମିଲ ହୋଇଆସୁଛନ୍ତି ।ବର୍ତ୍ତମାନ ପାଖାପାଖି ୧୦୦ ମହିଳା କମାଣ୍ଡୋ ଏସପିଜିରେ ନିୟୋଜିତ ଅଛନ୍ତି । ଏମାନେ ଉଭୟ ସିପିଟି ଏବଂ ଆଡଭାନ୍ସ ସିକ୍ୟୁରିଟିରେ ସହଯୋଗ କରନ୍ତି ।