ମୁମ୍ବାଇ: ନିକଟରେ ରିଲିଜ୍ ହୋଇଛି ଅଭିନେତା ବିକ୍ରାନ୍ତ ମାସେଙ୍କ ଫିଲ୍ମ ‘ଦ ସାବରମତି ରିପୋର୍ଟ’ । ଏହି ଫିଲ୍ମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ୍ ପ୍ରଶଂସା କରିଛନ୍ତି । ଆଉ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ସତ୍ୟ ସମସ୍ତଙ୍କ ସାମ୍ନାକୁ ଆସୁଛି । ପିଏମ ମୋଦୀ ତାଙ୍କ ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରୁ ଆଲୋକ ଭଟ୍ଟ ନାମକ ଜଣେ ଉପଭୋକ୍ତାଙ୍କର ପୋଷ୍ଟକୁ ରିପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ଗୋଧରା ଘଟଣା ଉପରେ ନିର୍ମିତ ସାବରମତି ରିପୋର୍ଟର ଟ୍ରେଲରକୁ ମଧ୍ୟ ବ୍ୟବହାର କରାଯାଇଛି।
ରିପୋଷ୍ଟ କରିବା ବେଳେ ପିଏମ ମୋଦୀ ଲେଖିଛନ୍ତି ଯେ, ଏହି ସତ୍ୟ ବାହାରକୁ ଆସିବା ଏକ ଭଲ କଥା । ସାଧାରଣ ଲୋକ ଏହାକୁ ଦେଖି ପାରିବେ। ଏକ ମିଥ୍ୟା କାହାଣୀ କେବଳ କିଛି ସମୟ ପର୍ଯ୍ୟନ୍ତ ରହିପାରେ । ସର୍ବଶେଷରେ, ସତ୍ୟ ତଥ୍ୟ ସବୁବେଳେ ବାହାରକୁ ଆସେ । ସୂଚନାଥାଉକି ଯେ, ଯେଉଁ ପୋଷ୍ଟରେ ପିଏମ ମୋଦୀ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି, ଫିଲ୍ମ ଦେଖିବାର ୪ ଟି କାରଣ ଦିଆଯାଇଛି। ଯାହାର ଜବାବରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିକ୍ରିୟା ପ୍ରକାଶ କରିଥିଲେ ମଧ୍ୟ ଆରମ୍ଭରେ ଲେଖିଛନ୍ତି କି– ‘ୱେଲ୍ ସେଡ୍’ ଅଭିନେତା ବିକ୍ରାନ୍ତ ମାସେଙ୍କ ଏହି ଫିଲ୍ମ ୨୭ ଫେବୃଆରୀ ୨୦୦୨ରେ ଘଟିଥିବା ଗୋଧରା ଅଗ୍ନିକାଣ୍ଡ ଘଟଣା ଉପରେ ଆଧାରିତ।
ଗୁଜୁରାଟର ଗୋଧରା ଠାରେ ଅଯୋଧ୍ୟାରୁ ଫେରୁଥିବା ସାବରମତି ଏକ୍ସପ୍ରେସରେ ଯାତ୍ରା କରୁଥିବା କରସେବକଙ୍କ ବଗିରେ ନିଆଁ ଲଗାଇ ଦିଆଯାଇଥିଲା । ଏହି ହୃଦୟ ବିଦାରକ ଘଟଣାରେ ୫୯ ଜଣ ପ୍ରାଣ ହରାଇଥିଲେ । ଏହାର ଗୋଟିଏ ଦିନ ପରେ, ଫେବୃଆରୀ ୨୮ ରୁ ଗୁଜୁରାଟରେ ଭୟଙ୍କର ସାମ୍ପ୍ରଦାୟିକ ଦଙ୍ଗା ଘଟିଥିଲା ଯେଉଁଥିରେ ପ୍ରାୟ ୧୦୦୦ ଲୋକ ପ୍ରାଣ ହରାଇଥିଲେ। ଉଲ୍ଲେଖନୀୟ କି, ଯେତେବେଳେ ଏହି ଘଟଣା ଘଟିଲା, ସେତେବେଳେ ଏବେର ପ୍ରଧାନମନ୍ତ୍ରୀ ଗୁଜୁରାଟର ସିଏମ୍ ଥିଲେ । ଘଟଣାର କିଛି ଦିନ ପରେ, ମାର୍ଚ୍ଚ ୨ ରେ, ସେ ଏକ କମିଶନ ଗଠନ କଲେ ଯାହାର କାମ ଏହି ଘଟଣାର ଅନୁସନ୍ଧାନ କରିବା ।