କଟକ: ମଞ୍ଚରୁ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଓହ୍ଲାଇ ଦେଲେ ପୋଲିସ । ହଟହଟା ହେଲେ ଅସୀମା ପଣ୍ଡା । ନିୟମ ମାନିଲେନି ସେ । ଆଉ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ କାର୍ଯ୍ୟକ୍ରମ କରିବାରୁ ବାଧ୍ୟ ହୋଇ ପୋଲିସ ତାଙ୍କୁ ମଞ୍ଚରୁ ଓହ୍ଲାଇ ଦେଲା । ଶନିବାର କଟକ ବାଲିଯାତ୍ରାର ବୈଷ୍ଣବ ପାଣି ମଞ୍ଚରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଅସୀମାଙ୍କ କାର୍ଯ୍ୟକ୍ରମ ବନ୍ଦ ହୋଇଯିବାରୁ ଦର୍ଶକ ନିରାଶ ହୋଇଛନ୍ତି । ହାଇକୋର୍ଟଙ୍କ ଗାଇଡଲାଇନ୍ ଅନୁଯାୟୀ କାର୍ଯ୍ୟକ୍ରମ ବନ୍ଦ୍ କରାଯାଇଛି ବୋଲି ପୋଲିସ କହିଛି।
ମିଳିଥିବା ସୂଚନା ମୁତାବକ, ଗତକାଲି ବାଲିଯାତ୍ରା ବୈଷ୍ଣବ ପାଣି ମଞ୍ଚରେ ଅସୀମା ପଣ୍ଡାଙ୍କର କାର୍ଯ୍ୟକ୍ରମ ଥିଲା । ଅସୀମା ପଣ୍ଡାଙ୍କର ଏକ ଘଣ୍ଟାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଡେରିରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ରାତି ୧୦ଟା ସୁଦ୍ଧା କାର୍ଯ୍ୟକ୍ରମ ବନ୍ଦ କରିବାକୁ ନିର୍ଦ୍ଦେଶ ଥିଲେ ବି ଆୟୋଜକ ଏଥିପ୍ରତି ଦୃଷ୍ଟି ଦେଇ ନ ଥିଲେ । ଆଉ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ହୋଇଯାଇଥିବାରୁ କମିଶନରେଟ୍ ପୋଲିସ ପହଂଚି ସାଉଣ୍ଡ ବକ୍ସ ବନ୍ଦ୍ କରିବା ସହ ଅସୀମାଙ୍କୁ ମଞ୍ଚରୁ ଓହ୍ଲାଇଦେଇଥିଲା । ଏହି ସମୟରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ଉପରେ ବିରକ୍ତି ପ୍ରକାଶ କଲା ପୋଲିସ ପ୍ରଶାସନ।