କଂଗ୍ରେସକୁ ଟାର୍ଗେଟ୍ କଲେ ବିଆରଏସ୍ ନେତା

ହାଇଦ୍ରାବାଦ: ସାଉଥ୍ ସୁପରଷ୍ଟାର ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଗିରଫ ପରେ ତେଜିଲା ରାଜନୀତି । ତେଲଙ୍ଗାନା କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଆରଏସ୍ ନେତା କେ.ଟି. ରାମା ରାଓ । ଏଥିସହିତ ଅଭିନେତାଙ୍କ ଗିରଫଦାରଙ୍କୁ ଦୃଢ ନିନ୍ଦା କରିଛନ୍ତି। ଜାତୀୟ ପୁରସ୍କାର ବିଜେତା ଅଲ୍ଲୁ ଅର୍ଜୁନଙ୍କ ଗିରଫ ହେଉଛି ଶାସକଙ୍କ ଅସୁରକ୍ଷିତତାର ଶିଖର ବୋଲି ଏକ୍ସରେ ପୋଷ୍ଟ କରିଛନ୍ତି।

ଏହାର ଜବାବ ଦେଇ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କହିଛନ୍ତି ଯେ, ଅଭିନେତା ଅଲ୍ଲୁଙ୍କ ଗିରଫରେ ସରକାରଙ୍କ କୌଣସି ଭୂମିକା ନାହିଁ। ଏପରିକି କୌଣସି ରାଜନୈତିକ କାରଣ ନାହିଁ, ଆଇନ ଆଗରେ ସମସ୍ତେ ସମାନ। ଆଇନ ନିଜ ବାଟରେ ଯିବ। ସେ ଏହି ମାମଲାର ତଦନ୍ତରେ ହସ୍ତକ୍ଷେପ କରିବେ ନାହିଁ। ଦଳାଚକଟାରେ ହୋଇଥିବା ମୃତ୍ୟୁକୁ ନେଇ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଗତ ୪ ତାରିଖ ରାତିରେ ଅଲ୍ଲୁ ଅର୍ଜୁନ ତାଙ୍କର ଚଳଚ୍ଚିତ୍ର ‘ପୁଷ୍ପା ୨: ଦ ରୁଲ’ର ପ୍ରିମିୟର ଶୋ ଦେଖିବା ପାଇଁ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ପହଞ୍ଚିଥିଲେ। ଏହି ସମୟରେ ଶୋ ପାଇଁ ସେ ବ୍ୟକ୍ତିଗତ ସୁରକ୍ଷା ସହିତ ଅଚାନକ ଥିଏଟରରେ ପହଞ୍ଚିଥିଲେ। ଆଉ ଅଲ୍ଲୁଙ୍କ ଟିକେ ଝଲକ ପାଇବା ପାଇଁ ସନ୍ଧ୍ୟା ଥିଏଟରରେ ଭିଡ଼ ଜମିଥିଲା । ଧୀରେ ଧୀରେ ଭିଡ଼ ଅଣାୟତ ହେବାରେ ଲାଗିଥିଲା । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ବି ନାକେଦମ ହେବାକୁ ପଡ଼ିଲା । ଶେଷରେ ସ୍ଥାନୀୟ ପୋଲିସ ଲାଠି ଚାର୍ଜ କରିଥିଲା। ଆଉ ଏହି ସମୟରେ ହୋଇଥିବା ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଆଉ ତାଙ୍କର ୮ ବର୍ଷର ପୁଅ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ଗତ ୫ରେ ମୃତ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଭିତ୍ତି କରି ଚିକ୍କାଡପଲି ପୋଲିସ ଅଭିନେତା ଅଲ୍ଲୁ ଅର୍ଜୁନ, ତାଙ୍କ ସୁରକ୍ଷା ଟିମ ତଥା ଥିଏଟର ମ୍ୟାନେଜରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।

ତେବେ ଘଟଣା ଘଟିବାର ଦୁଇ ଦିନ ପରେ ଅଭିନେତା ଅଲ୍ଲୁ ଅର୍ଜୁନ ମୃତକଙ୍କ ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ନିଜ ଏକ୍ସ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ସେ କହିଥିଲେ ଯେ, ଏହି ଘଟଣାକୁ ନେଇ ସେ ଖୁବ୍ ଦୁଃଖିତ । ମୃତ ମହିଳାଙ୍କ ପରିବାରକୁ ସେ ୨୫ଲକ୍ଷ ଟଙ୍କାର ସହାୟତା ରାଶି ଦେବେ। ସେ ବ୍ୟକ୍ତିଗତ ଭାବରେ ସେମାନଙ୍କୁ ଭେଟିବେ ଏବଂ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବେ। ଏଥିସହ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ବାଳକର ସମସ୍ତ ଚିକିତ୍ସା ଖର୍ଚ୍ଚ ସେ ଉଠାଇବେ ବୋଲି ମଧ୍ୟ କହିଥିଲେ। ଫିଲ୍ମ ଦେଖିବାକୁ ଗଲା ବେଳେ ଭିଡ଼ ଥିଲେ ଯତ୍ନବାନ ହେବା ପାଇଁ ଅଭିନେତା ନିଜ ପ୍ରଶଂସକଙ୍କୁ ଭିଡିଓ ମାଧ୍ୟମରେ ଅପିଲ୍ କରିଥିଲେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *