ଭୁବନେଶ୍ୱର: ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଆସି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିଲା ପରେ ତାଙ୍କୁ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିମ ମନୋଜ ଆହୁଜା, ଭୁବନେଶ୍ୱର ମେୟର ସୁଲୋଚନା ଦାସ ସ୍ୱାଗତ କରିବେ। ରାଷ୍ଟ୍ରପତି ତାଙ୍କର ଏହି ୫ଦିନିଆ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।
ବିମାନବନ୍ଦରରୁ ସେ ସିଧାସଳଖ ନିଳାଦ୍ରୀବିହାର ଚନ୍ଦ୍ରଶେଖରପୁରଠାରେ ପହଞ୍ଚିବେ । ସେଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେବେ। କାର୍ଯ୍ୟକ୍ରମରେ ଯୋଗଦେଲା ପରେ ସନ୍ଧ୍ୟା ୬ଟା ୧୦ମିନିଟରେ ବାହାରି ଭୁବନେଶ୍ୱରସ୍ଥିତ ରାଜଭବନ ପହଞ୍ଚି ରାତ୍ରୀଯାପନ କରିବେ।
ରାଷ୍ଟ୍ରପତି ବୁଧବାର ସକାଳ ୯ଟାରେ ରାଜଭବନରୁ ବାହାରିବେ। ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୂର୍ବାହ୍ନ ୯ଟା ୪୫ମିନଟରେ ପୁରୀସ୍ଥିତ ତାଳବଣିଆ ହେଲିପ୍ୟାଡରେ ଅବତରଣ କରିବେ। ସେଠାରେ ପୂର୍ବାହ୍ଣ ୧୦ଟା ସମୟରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହାପରେ ୧୦.୫୦ରେ ପୁରୀସ୍ଥିତ ଶ୍ରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବେ। ମଧ୍ୟାହ୍ନ ୧୨ଟାରେ ସେଠାରୁ ବାହାରି ପୁରୀ ରାଜଭବନ ଠାରେ ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ ସାଢେ ୩ଟାରେ ନୌସେନା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ପୁରୀ ରାଜଭବନଠାରେ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି।
ସେହିପରି ତୃତୀୟ ଦିନରେ ରାଷ୍ଟ୍ରପତି ଗୁରୁବାର ସକାଳ ୯ଟା ୩୫ମିନିଟ ସମୟରେ ପୁରୀରୁ ବାହାରି ପୁର୍ବାହ୍ନ ୧୦ଟା ୩୦ମିନିଟ ସମୟରେ ଭୁବନେଶ୍ୱରରେ ପହଞ୍ଚିବେ। ୧୦ଟା ୫୦ମିନିଟରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ୪୦ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ମଧ୍ୟାହ୍ନ ୧୨ଟାରେ ସେଠାରୁ ବାହାରି ରାଜଭବନରେ ମଧ୍ୟାହ୍ନ ଭୋଜନ କରିବାପରେ ସନ୍ଧ୍ୟା ୫ଟା ୧୦ମିନିଟରେ ଭୁବନେଶ୍ୱର ‘ଜୁଡିସିଆଲ କୋର୍ଟ କମ୍ପେ୍ଲକ୍ସ’ର ଉଦଘାଟନୀ ଉତ୍ସବରେ ସାମିଲ ହେବେ। ସେଠାରୁ ବାହାରି ରାଜଭବନରେ ରାତ୍ରୀଯାପନ କରିବେ।
ଚତୁର୍ଥ ଦିନରେ ଅର୍ଥାତ୍ ଶୁକ୍ରବାର ସକାଳ ୯ଟାରେ ରାଜଭବନରୁ ବାହାରି ଡକ୍ଟର ବି.ଆ.ର୍ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ ଅବସରରେ ଭୁବନେଶ୍ୱର ଏ.ଜି.ଛକ ଠାରେ ବାବା ସାହେବଙ୍କ ପ୍ରତିମୁର୍ତ୍ତୀରେ ମାଲ୍ୟାର୍ପଣ କରିବେ। ଏହାପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡସ୍ଥିତ ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ। ସେଠାରୁ ସଡକପଥରେ ନିଜ ଜନ୍ମଗାଁ ଉପରବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଭାବବିନିମୟ କରିବେ। ମଧ୍ୟାହ୍ନ ୧୨.୦୫ରେ ସେଠାରୁ ବାହାରି ଉପରବେଡାସ୍ଥିତ ପୈତୃକ ଘରେ ପହଞ୍ଚି ଆତ୍ମୀୟସ୍ୱଜନ ଓ ଗ୍ରାମବାସୀଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉପରବେଡାରୁ ବାହାରି ରାଇରଙ୍ଗପୁରସ୍ଥିତ ଗେଷ୍ଟ ହାଉସ ଠାରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିବେ। ପରେ ରାଇରଙ୍ଗପୁରସ୍ଥିତ ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ପହଞ୍ଚି ନିଜ ସ୍ୱାମୀ ଓ ୨ପୁତ୍ରଙ୍କ ସ୍ମୃତିରେ ସ୍ଥାପନ କରିଥିବା ଏସ.ଏଲ୍.ଏସ୍. ଟ୍ରଷ୍ଟ ପକ୍ଷରୁ ଏକ ଆମ୍ବୁଲାନ୍ସ ଡାକ୍ତରଖାନାକୁ ହସ୍ତାନ୍ତର କରିବା ସହ ଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହାପରେ ଅପରାହ୍ନ ୪ଟା ସମୟରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ବିଦ୍ୟାର୍ଥୀ ଓ ଶିକ୍ଷକଙ୍କ ସହ ଭାବବିନିମୟ କରିବେ। ପରେ ରାଇରଙ୍ଗପୁରସ୍ଥିତ ପୁଣ୍ୟେଶ୍ୱର ଶିବମନ୍ଦିର ଠାରେ ନୂତନ ଭାବେ ସ୍ଥାପିତ ଗଣେଶ ମୂର୍ତ୍ତିକୁ ଉନ୍ମୋଚନ କରିବେ ଏବଂ ଆଳତୀ କରିବେ ପରେ ନିଜ ବାସଭବନକୁ ଆସି ରାତ୍ରୀଯାପନ କରିବେ।