ନୂଆଦିଲ୍ଲୀ: ଅଚାନକ ପରିବା ମଣ୍ଡିରେ ପହଞ୍ଚିଲେ କଂଗ୍ରେସ ଏମପି ରାହୁଲ ଗାନ୍ଧୀ । ମଣ୍ଡିରେ ରାହୁଲ ଦୋକାନୀଙ୍କଠାରୁ ପରିବା ଦର ବୁଝିବା ସହ ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ । ଏନେଇ ରାହୁଲ ସୋସିଆଲ ମିଡ଼ିଆରେ ଏକ ଭିଡିଓ ସେୟାର କରିଛନ୍ତି, ଯାହା ଏବେ ଭାଇରାଲ ହେବାରେ ଲାଗିଛି ।
ଦିନକୁ ଦିିନ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଯୋଗୁଁ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଚାନକ ଦିଲ୍ଲୀ ସ୍ଥିତ ଗିରି ନଗର ସାମ୍ନାରେ ହନୁମାନ ମନ୍ଦିର ପରିବା ମଣ୍ଡିରେ ପହଞ୍ଚିଥିଲେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ହଠାତ୍ ତାଙ୍କୁ ପରିବା ମଣ୍ଡିରେ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ସେଠାରେ ସେ ରସୁଣ, ଟମାଟୋ, ଆଦି ବିଭିନ୍ନ ପରିବାର ମୂଲ୍ୟ ପଚାରୁଥିବାର ଦେଖିବାକୁ ମିିଳିଛି । ଦୋକାନୀଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ।
ରାହୁଲ ଏହାର ଏକ ଭିଡ଼ିଓ ‘ଏକ୍ସ’ରେ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ପୂର୍ବରୁ ରସୁଣ ମୂଲ୍ୟ ୪୦ ଟଙ୍କା ଥିଲା । ବର୍ତ୍ତମାନ ଏହା ବୃଦ୍ଧି ପାଇ ୪୦୦ଟଙ୍କାରେ ପହଞ୍ଚିଛି । ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଖାଉଟିଙ୍କ ରୋଷେଇର ବଜେଟ୍ ବିଗାଡ଼ି ଦେଇଛି । କୁମ୍ଭକର୍ଣ୍ଣ ନିଦ୍ରାରେ ସରକାର । ତାଙ୍କ ସହ କିଛି ମହିଳା ଗ୍ରାହକ ମଧ୍ୟ ନଜର ଆସିଛନ୍ତି ଯେଉଁମାନେ ପରିବା ଦୋକାନୀ ସହ ବିଭିନ୍ନ ପରିବା ରେଟକୁ ନେଇ ମୂଲଚାଲ କରୁଛନ୍ତି ।
ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ମହିଳା ପରିବା ଦୋକାନୀକୁ ପଚାରୁଛନ୍ତି ପରିବା ମୂଲ୍ୟ ଏତେ ବୃଦ୍ଧି କିପରି ପାଇଲା ? କୌଣସି ପରିବା ୩୦-୩୫ ଟଙ୍କାର ମଧ୍ୟରେ ନାହିଁ । ୪୦-୪୫ ଟଙ୍କା ଉପରେ ସବୁ ପରିବା ମୂଲ୍ୟ । ମହିଳାଙ୍କ ପ୍ରଶ୍ନର ଉତ୍ତରରେ ଉକ୍ତ ଦୋକାନୀ ଜଣଙ୍କ କହୁଛନ୍ତି ଏହା ପୂର୍ବରୁ ମୁଦ୍ରାସ୍ଫୀତି କେବେ ବୃଦ୍ଧି ପାଇନାହିଁ । ରାହୁଲ ଗାନ୍ଧୀ, ରସୁଣ କିଲୋ କେତେ ପଚାରିବାରୁ ଦୋକାନୀ ଜଣଙ୍କ ୪୦୦ ଟଙ୍କା କହୁଛନ୍ତି । ଏହା ବାଦ୍ ରାହୁଲ ଗାନ୍ଧୀ ଜଣେ ମହିଳାଙ୍କୁ ବଢ଼ୁଥିବା ମୁଦ୍ରାସ୍ଫୀତି ବିଷୟରେ ପଚାରିଥିଲେ । ଏହାର ଉତ୍ତରରେ ମହିଳା କହିଥିଲେ କି ସରକାର ଏଥିପ୍ରତି ଧ୍ୟାନ ଦେଉନାହାଁନ୍ତି । ସେମାନେ କେବଳ ନିଜ ଭାଷଣକୁ ନେଇ ଚିନ୍ତିତ । ସାଧାରଣ ଜନତାଙ୍କ ଖାଇବାକୁ ନେଇ ସେମାନେ ଗୁରୁତ୍ୱ ଦେଉନାହାଁନ୍ତି । ଯେଉଁ ଜିନିଷ ପ୍ରଥମେ ୫୦୦ ଟଙ୍କାରେ ଉପଲବ୍ଧ ହେଉଥିଲା ତାହାର ମୂଲ୍ୟ ଆଜି ୧୦୦୦ଟଙ୍କା ହୋଇଯାଇଛି । ଖର୍ଚ୍ଚ କମ୍ କରିବାକୁ ଯାଇ ଖାଉଟିମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।