ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାଙ୍କର ପ୍ରଥମ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ବିଶେଷ ପାର୍ଥକ୍ୟ ନାହିଁ ବୋଲି ରାହୁଲ କହିଛନ୍ତି । ନରେନ୍ଦ୍ର ମୋଦି ଯେମିତି ଗଣମାଧ୍ୟମରେ ଗୋଟିଏ ପରେ ଗୋଟିଏ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି, କେଜ୍ରିୱାଲ ମଧ୍ୟ ସେମିତି କରୁଛନ୍ତି ।
ରାହୁଲ ଗାନ୍ଧି ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରି ଦିଲ୍ଲ୍ଲୀରେ ଶୀଲା ଦୀକ୍ଷିତଙ୍କ ସରକାରର ସମୟକୁ ମନେ ପକାଇ ଥିଲେ । ଯେତେବେଳେ କେଜ୍ରିୱାଲ ଆସିଥିଲେ, ଆପଣଙ୍କୁ ମନେ ଥିବ, ଏହା ଶୀଲାଙ୍କ ସରକାର ଥିଲା । ଦିଲ୍ଲୀ କଥା ମନେ ଅଛି କି? କେଜ୍ରିୱାଲ ଆସି ପ୍ରଚାର କରିଥିଲେ ଯେ ମୁଁ ଦିଲ୍ଲୀକୁ ସଫା କରିବି, ଦୁର୍ନୀତି ଦୂର କରିବି, ପ୍ୟାରିସ୍ କରିବି, ଦେଖନ୍ତୁ ଏବେ କ’ଣ ହୋଇଛି । ଆପଣ ଦେଖନ୍ତୁ, ଆପଣ ବାହାରକୁ ଯାଇପାରିବେ ନାହିଁ, ବହୁତ ପ୍ରଦୂଷଣ ଅଛି । ଅଧା ଲୋକ ଅସୁସ୍ଥ, କ୍ୟାନସର ବଢୁଛି । ପ୍ରଦୂଷଣ ବଢ଼ିବାରେ ଲାଗିଛି । ମୁଦ୍ରାସ୍ଫୀତି ବଢ଼ିବାରେ ଲାଗିଛି ।
ଅରବିନ୍ଦ କେଜ୍ରିୱାଲ ଦୁର୍ନୀତି ଦୂର କରିବେ ବୋଲି ସେ କହିଥିଲେ । ମୋତେ କୁହନ୍ତୁ, କେଜ୍ରିୱାଲ ଦିଲ୍ଲୀରୁ ଦୁର୍ନୀତି ଦୂର କରିଛନ୍ତି କି ବୋଲି ରାହୁଲ ପ୍ରଶ୍ନ କରିଥିଲେ? ଅରବିନ୍ଦ କେଜ୍ରିୱାଲ ମଧ୍ୟ ନରେନ୍ଦ୍ର ମୋଦୀଙ୍କ ଭଳି ପ୍ରଚାର କରୁଛନ୍ତି । ଏଥିରେ ବିଶେଷ ପାର୍ଥକ୍ୟ ନାହିଁ । ଏହା ହେଉଛି ବାସ୍ତବତା । ଆପଣ ଜାଣନ୍ତି, ଯଦି କେହି ଜାତି ଓ ଧର୍ମ ନିର୍ବିଶେଷରେ କୌଣସି ଭାରତୀୟଙ୍କ ବିରୋଧରେ ହିଂସା କରିବାକୁ ଚେଷ୍ଟା କରନ୍ତି, ତେବେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ତାଙ୍କ ସହ ରହିବ । ଏହା ସେମାନଙ୍କ ଏବଂ ଆମ ମଧ୍ୟରେ ପାର୍ଥକ୍ୟ ।
ଯେତେବେଳେ ଆପଣଙ୍କ ବିରୋଧରେ ହିଂସା ହେବ, ଆମେ ସେଠାରେ ଠିଆ ହେବୁ ବୋଲି ରାହୁଲ କହିଥିଲେ । ରାହୁଲ ଗାନ୍ଧି ଆହୁରି କହିଛନ୍ତି, ଆମେ କହିଥିଲୁ ଯେ ଆମେ ବିଜେପିର ଆଦର୍ଶ ବିରୋଧରେ ଲଢ଼ିବୁ, ଆମେ ସ୍ଲୋଗାନ ଦେଇଥିଲୁ – ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିବା ପାଇଁ । ଏହା ହେଉଛି ବିଚାରଧାରାର ଲଢ଼େଇ। ଆମେ ସାରା ଜୀବନ ଆରଏସଏସ ବିରୋଧରେ ଥିଲୁ, ଅଛି ଏବଂ ରହିବୁ ।