ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ରାହୁଲ କେବେ ବିବାହ କରିବେ ସେନେଇ ଚର୍ଚ୍ଚା ହେଉଥିବା ବେଳେ, ଏବେ ତାଙ୍କ ବାହାଘରର କାର୍ଡ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଯେଉଁଥିରୁ କୁହାଯାଉଛି କି ଏତେ ଦିନର ଅପେକ୍ଷା ପରେ, ଶେଷରେ ହାତରୁ ଦୁଇ ହାତ ହେବାକୁ ଯାଉଛନ୍ତି କଂଗ୍ରେସ ଯୁବରାଜ। ରାହୁଲଙ୍କ ବାହାଘର ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ହେବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ ଥର ତାଙ୍କ ବିବାହ ଖବର ଚର୍ଚ୍ଚାର ସିରୋନାମା ପାଲଟିଛି।ଏମିତିକି ତାଙ୍କ ସହ କିଛି ଝିଅଙ୍କ ନାଁ ମଧ୍ୟ ଯୋଡ଼ା ଯାଇଛି। ଏବଂ ଫଟୋ ମଧ୍ୟ ଭାଇରାଲ ହୋଇଛି। ଏବେ ଭାଇରାଲ ହେଉଥିବା କାର୍ଡ଼କୁ ନେଇ ଲୋକେ ତାଜୁବ୍ ହୋଇଯାଇଛନ୍ତି ।
ପ୍ରକୃତରେ, ଏହି କାର୍ଡଟି ମଧ୍ୟପ୍ରଦେଶ ଯୁବ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ଯୋଗେଶ ଦଣ୍ଡୋଟିଆଙ୍କ ଭଉଣୀ ବିବାହ କାର୍ଡ । ସେ ତାଙ୍କ ଭଉଣୀଙ୍କ ବିବାହ ପାଇଁ ଏକ ସ୍ୱତନ୍ତ୍ର କାର୍ଡ଼ ଛାପିଛନ୍ତି, ଯେଉଁଥିରେ ରାହୁଲ ଗାନ୍ଧୀ ଏବଂ ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କ ଫଟୋ ମୁଦ୍ରିତ ହୋଇଛି। ତାଙ୍କ ସହିତ ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଏକ ଫଟୋ ମଧ୍ୟ ରହିଛି। ଏହି କାର୍ଡଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି।
ଯୁବ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ଯୋଗେଶ ଦଣ୍ଡୋଟିଆ କହିଛନ୍ତି ଯେ, ଡକ୍ଟର ଭୀମରାଓ ଆମ୍ବେଦକର ସମ୍ବିଧାନ ପ୍ରଣୟନ କରି ଦଳିତମାନଙ୍କୁ ସମାଜରେ ସମାନ ସ୍ଥାନ ଦେଇଥିଲେ। ଆଜିର ସମୟରେ, ରାହୁଲ ଗାନ୍ଧୀ ସମ୍ବିଧାନକୁ ସୁରକ୍ଷା ଦେବା ପାଇଁ ଲଢ଼ୁଛନ୍ତି। ତେଣୁ ଯେପରି ବାବା ସାହେବ ଦଳିତଙ୍କ ପାଇଁ ଭଗବାନ, ସେହିପରି ରାହୁଲ ଗାନ୍ଧୀ ମଧ୍ୟ ବାବା ସାହେବଙ୍କ ପରି ସେମାନଙ୍କ ଭଗବାନ। ସେଥିପାଇଁ ବାବା ସାହେବଙ୍କ ସହିତ ତାଙ୍କର ଫଟୋ ମୁଦ୍ରିତ ହୋଇଛି।
ଅନ୍ୟପଟେ ବିବାହ କାର୍ଡରେ ରାହୁଲ ଗାନ୍ଧୀଙ୍କ ଫଟୋ ଛପାଯିବାକୁ ନେଇ ଭାଜପା କଟାକ୍ଷ କରୁଛି। ବରିଷ୍ଠ ଭାଜପା ନେତା ରାମେଶ୍ୱର ଭାଦୋରିଆ କହିଛନ୍ତି ଯେ ଯୋଗେଶ ଦଣ୍ଡୋଟିଆ ରାହୁଲ ଏବଂ ସୋନିଆ ଗାନ୍ଧୀଙ୍କୁ ସମ୍ମାନ ଦେଇଛନ୍ତି । ତେଣୁ ଭାଜପା ତାଙ୍କ ଭାବନାକୁ ସମ୍ମାନ ଦିଏ । ଆଉ କଟାକ୍ଷ କରି କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ବିବାହ କାର୍ଡ ଏପର୍ଯ୍ୟନ୍ତ ମୁଦ୍ରିତ ହୋଇନାହିଁ । କିନ୍ତୁ ଅତି କମରେ ରାହୁଲ ଗାନ୍ଧୀଙ୍କ ଫଟୋ ବିବାହ କାର୍ଡରେ ମୁଦ୍ରିତ ହୋଇଛି। ଆସନ୍ତୁ ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଯେ ଏହି କାର୍ଡଟି ରାହୁଲ ଗାନ୍ଧୀଙ୍କ ପାଖରେ ପହଞ୍ଚିବ ଏବଂ ରାହୁଲ ଗାନ୍ଧୀ ଶୀଘ୍ର ବିବାହ କରନ୍ତ । ତୁରନ୍ତ ତାଙ୍କ ବିବାହ କାର୍ଡ ଛପାଯାଉ, ଯାହା ସମସ୍ତଙ୍କୁ ଖୁସି କରିବ।
ନିକଟରେ ଦିଲ୍ଲୀର ବିଧାନସଭା ନିର୍ବାଚନ ଫଳାଫଳ ବାହାରିଛି। ଆଉ ଯେଉଁଥିରେ କି କଂଗ୍ରେସ ଖାତା ଖୋଲିପାରିନାହିଁ। ପରେ ବିଜେପି ନେତା କଂଗ୍ରେସକୁ କଟାକ୍ଷ କରି କହିଥିଲେ କି ବୋହୂ ମିଳୁନି କି ବହୂମତ।ହେଲେ ଏବେ ରାହୁଲଙ୍କ ବାହାଘର କାର୍ଡ ସୋସିଆଲ ମିଡିଆରେ ଘୂରି ବୁଲୁଛି।