ଭୋପାଳ: ବିଜେପି ନେତା ତଥା ପୂର୍ବତନ ବିଧାୟକଙ୍କ ଘରୁ କୁମ୍ଭୀର ଉଦ୍ଧାର । ମଧ୍ୟପ୍ରଦେଶର ଏହି ପୂର୍ବତନ ବିଧାୟକ ହର୍ଷବର୍ଦ୍ଧନ ରାଠୋରଙ୍କ ଘରେ ଚଢାଉ ବେଳେ ୩ଟି କୁମ୍ଭୀର ଉଦ୍ଧାର ହୋଇଛି। ଆୟକର ବିଭାଗର ଅଧିକାରୀମାନେ ତାଙ୍କ ଘରେ ଚଢ଼ାଉ କରି ସୁନା, କୋଟି କୋଟି ଟଙ୍କା ସମେତ ଅନେକ ଜିନିଷ ଜବତ କରିଛନ୍ତି ।
ପୂର୍ବତନ ବିଧାୟକ ଘର ନିକଟରେ ଥିବା ଏକ ପୋଖରୀରେ ୩ଟି କୁମ୍ଭୀର ରଖିଥିଲେ । କୋଟି କୋଟି ଟଙ୍କାର ଟିକସ ଫାଙ୍କିଥିବା ଅଭିଯୋଗରେ ଆୟକର ବିଭାଗ ତାଙ୍କ ଘରେ ଚଢାଉ କରୁଛି। ଅଧିକାରୀମାନେ କହିଛନ୍ତି ଯେ ଚଢାଉରେ ୧୫୫ କୋଟି ଟଙ୍କାର ଟିକସ ଫାଙ୍କିଥିବା ଜଣାପଡ଼ିଛି। ସେମାନେ ସୁନା ଏବଂ ରୂପା ଅଳଙ୍କାର ବ୍ୟତୀତ ୩ କୋଟି ଟଙ୍କା ନଗଦ ଜବତ କରିଛନ୍ତି। ରାଠୋରଙ୍କ ସହିତ ବିଡ଼ି ବ୍ୟବସାୟ କରୁଥିବା କେଶରୱାନି ୧୪୦ କୋଟି ଟଙ୍କାର ଟିକସ ଫାଙ୍କିଛନ୍ତି ଏବଂ ଚଢାଉ ସମୟରେ ଏ ସମ୍ପର୍କିତ କାଗଜପତ୍ର ମିଳିଛି ବୋଲି ସୂତ୍ରରୁ ଜଣାପଡିଛି।