ନୂଆଦିଲ୍ଲୀ: ବୋର୍ଡ ପରୀକ୍ଷା ପାଇଁ ସୁଟିଂ ସେଟରେ ପାଠ ପଢ଼ୁଛନ୍ତି ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଝିଅ ରାଶା ଥଡ଼ାନି । ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ତାଙ୍କ ପ୍ରଶଂସକମାନେ ଖୁବ୍ ପ୍ରଶଂସା କରିଛନ୍ତି ।
ଏବେ ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତ୍ରୀ ରବିନାଙ୍କ ଝିଅ ରାଶା ଥଡାନି । ପିଲାଟି ଦିନରୁ ଅଭିନୟ ପ୍ରତି ଖୁବ ରୁଚି ରଖିଥିଲେ ରାଶା। ସେ ‘ଆଜାଦ’ ଫିଲ୍ମ ଜରିଆରେ ଅଭିନୟରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କ ସହିତ ଏହି ଫିଲ୍ମରେ ଅଭିନେତା ଅଜୟ ଦେବଗନଙ୍କ ଭଣଜା ଅମନ ଦେବଗନ ବି ଡେବ୍ୟୁ କରୁଛନ୍ତିି। ରାଶା ଅଭିନେତ୍ରୀ ହେବାର ସ୍ୱପ୍ନ ପୂରଣ କରିବା ସହିତ ତାଙ୍କ ପାଠପଢ଼ାକୁ ଅବହେଳା କରି ନାହାନ୍ତି। ‘ଆଜାଦ’ ସିନେମାର ସୁଟିଂ ସହିତ ତାଙ୍କ ପାଠପଢ଼ା ବି ଜାରି ରଖିଛନ୍ତି। ସୁଟିଂ ସହିତ ରାଶା ତାଙ୍କ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ସେଟରେ ପ୍ରସ୍ତୁତ ହେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଯାହାକୁ ଦେଖିବା ପରେ ରାଶାଙ୍କ ଫ୍ୟାନ୍ସ ସଂଖ୍ୟା ବୃଦ୍ଧି ପାଇଯାଇଛି।
ସେଟରେ ପାଠପଢ଼ାକୁ ନେଇ ରାଶା କହିଥିଲେ, ‘ମୋର ଅଭିନୟ ପାଇଁ ଯେଉଁସବୁ ସଂଳାପ ଅଛି ମୁଁ ତାହାକୁ ମନେ ରଖି ଦେଇଛି। ଏବେ ମୋର ପାଠଢ଼ାର ସମୟ। ବୋର୍ଡ ପରୀକ୍ଷାକୁ ଆଉ ମାତ୍ର ୧୦ଦିନ ରହିଲା। ଏଭଳି କ୍ଷେତ୍ରରେ ମୁଁ ମୋର ପାଠପଢ଼ାକୁ ହେଳା କରି ପାରିବି ନାହିଁ। ତେଣୁ ମେକଅପ ସମୟରେ ଖାଲି ବସିବା ଅପେକ୍ଷା ପରୀକ୍ଷା ପାଇଁ ପ୍ରସ୍ତୁତି କରିନେବାକୁ ମୁଁ ଉଚିତ ମଣିଲି।