ସବୁଠାରୁ ବୟସ୍କ କାର୍ଯ୍ୟରତ ମହିଳା ଭାବେ ରେକର୍ଡ

ଟୋକିଓ: କଥାରେ ଅଛି ବୟସ କେବଳ ଏକ ସଂଖ୍ୟା । ବଢୁଥିବା ବୟସରେ ଅନେକ ଲୋକ ହତାଶ ହୋଇ ନିଜ ଜୀବନକୁ ପରିସ୍ଥିତି ଉପରେ ଛାଡିଦିଅନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ବୟସକୁ ଏକ ସଂଖ୍ୟା ଭାବରେ ବିବେଚନା କରିବା ସହ ନିଜ ସଉକକୁ ନେଇ ଆଗକୁ ବଢନ୍ତି । ଠିକ୍ ସେମିତି ଜଣେ ୧୦୮ ବର୍ଷୀୟା ବୃଦ୍ଧା ବିଶ୍ୱର ସବୁଠାରୁ ବୟସ୍କ କାର୍ଯ୍ୟରତ ମହିଳା ଭାବେ ଗିନିଜ୍ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଛନ୍ତି।

ଜାପାନର ପୂର୍ବବର୍ତ୍ତୀ ଟୋଚିଗି ରାଜ୍ୟ ନାକାଗାୱା ସହରରେ ରୁହନ୍ତି ଶିତ୍‌ସୁଇ ହାକୋଇଶି । ବୟସ ୧୦୮ ବର୍ଷ । ତାଙ୍କର ଏକ ସେଲୁନ୍ ରହିଛି । ଯେଉଁଠାରେ ସେ ପ୍ରତ୍ୟେକ ଦିନ ଲୋକଙ୍କର ଚୁଟି କାଟିଥାନ୍ତି । ହେଲେ ଏବେ ସେ ଖୁବ ଚର୍ଚ୍ଚାରେ । ଚର୍ଚ୍ଚାର କାରଣ ହେଉଛି, ଏବେ ସେ ବିଶ୍ୱର ସବୁଠାରୁ ବୟସ୍କ କାର୍ଯ୍ୟରତ ମହିଳା ଭାବେ ଗିନିଜ୍ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଛନ୍ତି। ତାଙ୍କ ସେଲୁନରେ ଗିନିଜ୍ ୱାର୍ଲଡ ରେକର୍ଡସର ଅଧିକାରୀମାନେ ତାଙ୍କୁ ସବୁଠାରୁ ବୟସ୍କ ମହିଳା ଭାବେ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏହି ମୁହୂର୍ତ୍ତକୁ ହାକୋଇଶିଙ୍କ ନିୟମିତ ଗ୍ରାହକ ଏବଂ ସ୍ଥାନୀୟ ଲୋକେ ମିଶି କେକ୍ କାଟି ସେଲିବ୍ରେଟ୍ କରିଥିଲେ। ସେହିପରି ଏହି ବିଶେଷ ମୁହୂର୍ତ୍ତ ପାଇଁ ହାକୋଇଶିଙ୍କ ସେଲୁନକୁ ବିଭିନ୍ନ ପ୍ରକାର ଫୁଲରେ ସଜାଯାଇଥିଲା।

ହାକୋଇଶି ନାକାଗାୱାରେ ଜନ୍ମ ଗ୍ରହଣ କରିଥିଲେ। ୧୯୩୬ରେ ମାତ୍ର ୨୦ ବର୍ଷ ବୟସରେ ସେ ଏକ ସେଲୁନ ଖୋଲିଥିଲେ । ତାଙ୍କ ସ୍ୱାମୀ ମଧ୍ୟ ଜଣେ କେଶ କଟାଳି ଥିଲେ। ସେ ସ୍ୱାମୀଙ୍କ ସହ ମିଶି ଜାପାନର ରାଜଧାନୀ ଟୋକିଓରେ ନିଜ ପ୍ରଥମ ସେଲୁନ ଖୋଲିଥିଲେ। ତେବେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାସହ ସେ ନିଜ ଦୋକାନ ମଧ୍ୟ ହରାଇଥିଲେ। ଫଳରେ ହାକୋଇଶି ନିଜ ବାପଘର ନାକାଗାୱାକୁ ଫେରି ଆସିଥିଲେ। ସେ ନାକାଗାୱାରେ ନୂତନ ସେଲୁନ ଆରମ୍ଭ କରି ନିଜ ୨ ପିଲାଙ୍କ ଲାଳନ ପୋଷଣ କରିଥିଲେ। ଏହି ସେଲୁନ ବର୍ତ୍ତମାନ ମଧ୍ୟ ଚାଲିଛି।

ଜିଡବ୍ଲ୍ୟୁଆରରେ ସ୍ଥାନ ପାଇ ହାକୋଇଶି କହିଛନ୍ତି, ନିଜ ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ତାଙ୍କୁ ଆଶ୍ୱସ୍ତି ମିଳିଥାଏ। ଏହି ସମୟକୁ ସେ ଖୁବ୍ ଉପଭୋଗ କରିଥାନ୍ତି। ତେଣୁ ବର୍ତ୍ତମାନ ସେ ଏହି ସେବାରୁ ନିବୃତ୍ତ ରହିବା ନେଇ ଚିନ୍ତା କରିନାହାନ୍ତି । ଯେପର୍ଯ୍ୟନ୍ତ ତାଙ୍କ ସେଲୁନକୁ ଗ୍ରାହକ ଆସୁଥିବେ, ସେଯାଏ ସେ ସେମାନଙ୍କୁ ସେବା ପ୍ରଦାନ କରି ଚାଲୁଥିବେ ବୋଲି ଏହି ବୟସ୍କା କେଶ କଟାଳି କହିଛନ୍ତି। ପ୍ରକାଶ ଯେ, ୨୦୨୧ ମାର୍ଚ୍ଚରେ ଟୋକିଓ ଅଲିମ୍ପିକ୍ସ ପାଇଁ କରାଯାଇଥିବା ମଶାଲ ରିଲେରେ ଅଂଶଗ୍ରହଣ କରିବାକୁ ହାକୋଇଶିଙ୍କୁ ସୁଯୋଗ ମିଳିଥିଲା।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *