ମୁମ୍ବାଇ: ୨୦୦୮ ମସିହା ୨୬/୧୧ ମୁମ୍ବାଇ ଆକ୍ରମଣକୁ ପୁରିଛି ୧୬ ବର୍ଷ । ଠିକ ଆଜିର ଦିନରେ ଜଳପଥରେ ଆସି ମୁମ୍ବାଇରେ ପଶିବା ପରେ ଆତଙ୍କବାଦୀ ଯେଉଁ ମୃତ୍ୟୁ ତାଣ୍ଡବ ରଚିଥିଲେ ତାହା କେହି ଭୁଲି ନାହାନ୍ତି । ନଭେମ୍ବର ୨୬ ମୁମ୍ବାଇ ଆକ୍ରମଣରେ ସହିଦ ଯବାନ ଓ ନାଗିରକଙ୍କୁ ମନେ ପକାଉଛି ସାରା ଦେଶ । ମୁମ୍ବାଇ ଆକ୍ରମଣକୁ ଚାହିଁକି ମଧ୍ୟ କୌଣସି ଭାରତୀୟ ଭୁଲି ପାରିବେ ନାହିଁ । ଆତଙ୍କବାଦୀଙ୍କ ଆକ୍ରମଣରେ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଓ ୩ଶହରୁ ଅଧିକ ଆହତ ହୋଇଥିଲେ ।
ପାକିସ୍ତାନ ପ୍ରାୟୋଜିତ ଲସ୍କର-ଇ-ତୋଇବାର ୧୦ ଜଣ ଆତଙ୍କବାଦୀ ସେଦିନ ମୁମ୍ବାଇ ରେଳ ଷ୍ଟେସନ୍ ଠାରୁ ଆରମ୍ଭ କରି ନରିମାନ ହାଉସ, ହୋଟେଲ ଓବରଏ, ହୋଟେଲ୍ ତାଜ ପ୍ୟାଲେସ, ଲିଓପୋଲଡ କାଫେରେ ରାତିସାରା ଚଳାଇଥିଲେ ସଂହାର ଲୀଳା । ଆତଙ୍କବାଦୀ ପ୍ରଥମେ ଶିବାଜୀ ଟର୍ମିନାଲ ପରେ ମାୟାନଗରୀର ବିଭିନ୍ନ ସ୍ଥାନରେ ଆଖିବୁଜା ଗୁଳିମାଡ କରି ବ୍ୟାପକ ଧନଜୀବନ ହାନି କରି ଆତଙ୍କ ଖେଳାଇ ଦେଇଥିଲେ ।
ହେଲେ ଏବେ ୧୫ ବର୍ଷ ପରେ ମୁମ୍ବାଇର ସୁରକ୍ଷା ବ୍ୟବସ୍ଥା ସୁଦୃଢ ହୋଇଛି । ଏବେ କୌଣସି ଆତଙ୍କବାଦୀ ମାୟାନଗରୀ ଉପରେ ଆକ୍ରମଣ କରିବାକୁ ହେଲେ ଶହେ ଥର ଚିନ୍ତା କରିବ। ମୁମ୍ବାଇ ସହର ସାରା ସିସିଟିଭି କ୍ୟାମେରା ଲଗାଯାଇଛି। ସନ୍ଦିଗ୍ଧ ଗତିବିଧି ଦେଖିଲେ କୁଇକ୍ ରେସପନ୍ସ ଟିମ ଘଟଣାସ୍ଥଳରେ ପହଂଚିଯାଉଛି। ସମୁଦ୍ର ପଥରେ ସୁରକ୍ଷାକୁ କଡାକଡି କରାଯାଇଛି। ଏହାଛଡା ଗୁଏନ୍ଦା ବିଭାଗକୁ ଆହୁରି ଶକ୍ତିଶାଳୀ ହୋଇଛି। ତେଣୁ ବର୍ତମାନ ସ୍ଥିତିରେ ମୁମ୍ବାଇ ଉପରେ ଆକ୍ରମଣ କରିବା କୌଣସି ଆତଙ୍କବାଦୀ ସଂଗଠନ ପକ୍ଷେ ସମ୍ଭବ ନୁହେଁ ।
ଆଜି ବି ସେଇ ଲୋମହର୍ଷଣକାରି ଘଟଣା ମନେପଡିଲେ ଲୋମ ଟାଙ୍କୁରି ଯାଉଛି। ୨୬-୧୧-୨୦୦୮ । ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଖେଳିଥିଲେ ରକ୍ତର ହୋଲି, ରଚିଥିଲେ ସଂହାରଲୀଳା। ଏହି ବର୍ବର ଆତଙ୍କୀଙ୍କ ଗୁଳିମାଡରେ ୧୬୬ରୁ ଅଧିକ ନିରିହ ଜନତାଙ୍କ ମୃତ୍ୟୁ ହେବା ସହ ୩୦୮ରୁ ଅଧିକ ଆହତ ହୋଇଥିଲେ। ତେବେ ଏକମାତ୍ର ଆତଙ୍କୀ ଜମଲ କସବକୁ ଛାଡ଼ି ବାକି ସମସ୍ତ ଆତଙ୍କବାଦୀ ଭାରତୀୟ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ । ଏହି ଆତଙ୍କବାଦୀମାନଙ୍କୁ ସମୁଳେ ନିପାତ କରିବା ପାଇଁ ସୁରକ୍ଷା କର୍ମୀଙ୍କୁ ଲାଗିଥିଲା ୪ ଦିନ । ଶେଷରେ ୨୯ ନଭେମ୍ବର ୨୦୦୮ରେ ଶେଷ ହୋଇଥିଲା ଅପରେସନ୍ ବ୍ଲାକ ଟର୍ଣ୍ଣାଡୋ ।
ନଭେମ୍ବର ୨୬ ଆସିଲେ ସମସ୍ତଙ୍କ ଆଖିକୁ ଆସିଥାଏ ମୁମ୍ବାଇ ତାଜ୍ ହୋଟେଲର ସେହି ଅଭାବନୀୟ ଦୃଶ୍ୟ। ଯେଉଁଥିରେ ତାଜ ହୋଟେଲର ଗୋଟିଏ ପାର୍ଶ୍ୱ ଆତଙ୍କବାଦୀଙ୍କ କବଜାରେ ରହିଥିଲା। ମୁମ୍ବାଇ ଆକ୍ରମଣରେ ଆତଙ୍କବାଦୀମାନେ ଏହି ତାଜ୍ ହୋଟେଲକୁ ଟାର୍ଗେଟ୍ କରିଥିଲେ। ଆତଙ୍କବାଦୀଙ୍କ ଗୁଳିଚୋଟର ଶିକାର ହୋଇଥିଲେ ତାଜ ହୋଟେଲର ଅନେକ ଅତିଥି। ତାଜ ହୋଟେଲକୁ ଆତଙ୍କବାଦୀଙ୍କ କବଳରୁ ରକ୍ଷା କରିବା ପାଇଁ ଏନ୍ଏସଜି କମାଣ୍ଡୋ ମଧ୍ୟ ଲାଗି ପଡ଼ିଥିଲେ। ଦୀର୍ଘ ଚାରି ଦିନର କଠିନ ପରିଶ୍ରମ ପରେ ତାଜ ହୋଟେଲ ଆତଙ୍କବାଦୀଙ୍କ କବଳରୁ ରକ୍ଷା ପାଇଥିଲା।
ରାତିରେ ଆତଙ୍କବାଦୀମାନେ ପ୍ରଥମେ ମୁମ୍ବାଇର ଛତ୍ରପତି ଶିବାଜୀ ଷ୍ଟେସନରେ ଜନସାଧାରଣଙ୍କ ଉପରେ ଅତର୍କିତ ଭାବେ ଗୁଳିବର୍ଷଣ କରିଥିଲେ। ଯେଉଁଥିରେ ପାଖାପାଖି ୫୮ଜଣ ଲୋକ ପ୍ରାଣ ହରାଇବା ସହ ବହୁ ଲୋକ ଆହାତ ହୋଇଥିଲେ। ରେଳ ଷ୍ଟେସନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଅଜମଲ ଆମିର କସାବକୁ କାବୁ କରିଥିଲା ପୋଲିସ୍। ଏହାପରେ କସାବକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତେବେ ମୁମ୍ବାଇ ଆକ୍ରମଣ ପଛର ପୂରା ମାଷ୍ଟରମାଇଣ୍ଡ ତିଆରି କରିଥିଲା ଆତଙ୍କୀ ସଙ୍ଗଠନ ଲସ୍କର-ଏ-ତୋଇବା । ଯାହାକୁ ସଫଳ କରିବାକୁ ୧୦ ଜଣ ଆତଙ୍କବାଦୀଙ୍କୁ ଜଳପଥରେ ଭାରତ ପଠାଇଥିଲା ଏହି ସଙ୍ଗଠନ । ଏହା ପୂର୍ବରୁ ଜଳପଥରେ ଆତଙ୍କୀଙ୍କ ଏଭଳି ଆକ୍ରମଣକୁ କେବେ ବି ଦେଖିନଥିଲା ଭାରତ । ଆଉ ୨୬-୧୧ ରେ ଯାହା ଘଟିଲା ତାହା ସବୁଦିନ ପାଇଁ ଭାରତ ଇତିହାସରେ ଏକ କଳାଦିନ ହୋଇ ରହିଗଲା ।