ପ୍ରୟାଗରାଜ: ମହାକୁମ୍ଭ ୨୦୨୫ରେ ଦେଶ ଦୁନିଆରୁ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି । ବଲିଉଡ୍ କୋରିଓଗ୍ରାଫର ରେମୋ ଡି’ସୁଜା ମଧ୍ୟ ଶନିବାର ମହାକୁମ୍ଭରେ ପହଞ୍ଚି ଆସ୍ଥାର ବୁଡ଼ ପକାଇଛନ୍ତି । ସେ ନିଜ ବେଶ ବଦଳାଇ ମହାକୁମ୍ଭରେ ପହଞ୍ଚିଥିଲେ । କଳା କପଡ଼ାରେ ମୁହଁକୁ ଢାଙ୍କି ରଖିଥିଲେ । ପ୍ରଥମ ନଜରରେ ତାଙ୍କୁ ଚିହ୍ନବା କଷ୍ଟକର ଥିଲେ ବି ଜଣେ ମହିଳା କିନ୍ତୁ ଚିହ୍ନି ନେଇଥିଲେ । ସେ ସଙ୍ଗମ ପାର୍ଶ୍ୱ ସିଡି ଦେଇ ଯିବା ବେଳେ ମହିଳା ଜଣକ ତାଙ୍କୁ ଚିହ୍ନିଥିଲେ । ସେ ରେମୋଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ରେମୋ ଅଟକି ନଥିଲେ ।
କୋରିଓଗ୍ରାଫର ନିଜର ଫଟୋ ଓ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏଥିରେ ସେ କଳା ପୋଷାକ ପିନ୍ଧି ହାତରେ ବ୍ୟାଗ୍ ଧରି ଚାଲୁଥିବାର ଦେଖାଯାଉଛନ୍ତି । ସାଥୀରେ ଅଛନ୍ତି ପତ୍ôନୀ ଲିଜେଲ । ରେମୋ ସଙ୍ଗମରେ ବୁଡ଼ ପକାଇବା ସହ ଧ୍ୟାନରେ ଲୀନ ଥିବା ଫଟୋରେ ସେୟାର କରିଛନ୍ତି । ସେ ଡଙ୍ଗାରେ ବସି ବୁଲିବା ସହ ପକ୍ଷୀମାନଙ୍କୁ ଦାନା ଖୁଆଇବାକୁ ଦେଇଥିଲେ । ପତ୍ôନୀଙ୍କ ସହ ମହାକୁମ୍ଭରେ ପହଞ୍ଚିଥିବା ରେମୋ ସ୍ୱାମୀ କୈଳାଶାନନ୍ଦ ଗିରି ମହାରାଜଙ୍କ ପ୍ରବଚନ ଶୁଣି ଆଶୀର୍ବାଦ ନେଇଥିଲେ ।
ରେମୋଙ୍କ ଭିଡିଓରୁ ଲାଗୁଛି, ସେ ମହାକୁମ୍ଭରେ କୌଣସି ପ୍ରକାରର ଭିଆଇପି ଟ୍ରିଟମେଣ୍ଟ ନେଇନାହାନ୍ତି। ସାଧାରଣ ଶ୍ରଦ୍ଧାଳୁଙ୍କ ପରି ସେ ମହାକୁମ୍ଭ ଯାଇ ଆସ୍ଥାର ବୁଡ଼ ପକାଇଛନ୍ତି । ରେମୋଙ୍କ ସରଳତାକୁ ଦେଖି ଫ୍ୟାନମାନେ ତାଙ୍କ ଦିୱାନା ହୋଇଯାଇଛନ୍ତି । କମେଣ୍ଟରେ ଖୁବ୍ ପ୍ରଶଂସା କରିଛନ୍ତି । ରେମୋଙ୍କ ପୂର୍ବରୁ ବଲିଉଡ୍ ଅଭିନେତା ଅନୁପମ ଖେର ଓ ସିଙ୍ଗର ଗୁରୁ ରନ୍ଧାୱା ମଧ୍ୟ ମହାକୁମ୍ଭ ଯାଇ ସେଠାରେ ବୁଡ଼ ପକାଇଥିଲେ ।