ଆଜି- କାଲି- ପହରଦିନ ପୁରା ଗୋଟେ ସପ୍ତାହ ହେବ ଦେଖୁଛି। ଭଦ୍ରଲୋକଙ୍କ ଘର ଆଗରେ ତାଲା ଝୁଲୁଛି। ହେଲେ କାହିଁକି ? ମୋର ତ ହେତୁ ହେବା ଦିନଠୁ ଦେଖିଆସୁଛି ଏଇ ଘରେ ସେହି ଭଦ୍ରଲୋକଜଣଙ୍କୁ। ଘରକାମରେ ବ୍ୟସ୍ତ ଥିବାର ନଚେତ ଘରସାମ୍ନା ଆମ୍ୱଗଛ ତଳେବସି ପେପର ପଢୁଥିବାର। ଦେଖିଛି, ଏଇ ପାଚେରୀ ଭିତରେ ଦେବସ୍ମିତା ସହ ତାଙ୍କ ଜୀବନର ପରିସର ଯେତିକି ସଙ୍କୁଚିତ, ବୈଚିତ୍ର୍ୟର ପାର୍ବଣ ସେତିକି ବେଶି।
ବେଳେବେଳେ ସମୟର ପ୍ରାଚୁର୍ଯ୍ୟ ଅସହ୍ୟ ହୋଇଉଠେ। ସେଇ ଲୋକଟା ଆଉ କାହିଁକି ଆଜିକାଲି ଦେଖାଯାଏ ନାହିଁ। ଦିନସାରା ଘରର ଦରଜା ବନ୍ଦ ରହେ। ଆଜିକାଲି ଲୋକଟାର ଅନୁପସ୍ଥିତି ମୋଠୁ ବେଶ୍ ବାରିପାରୁଛି ଦେବସ୍ମିତା। ମନେମନେ ଭାବେ ହୁଏତ ସେ ଲୋକଟା କିଛି କାମରେ କିଛିଦିନ ପାଇଁ ବାହାରକୁ ଯାଇଥିବ। ଏମିତି ବି ହେଇପାରେ ଭଡ଼ାଘର ଛାଡ଼ି ଆଉ କୋଉ ଭଡ଼ାଘର ଖୋଜିନେଇଛନ୍ତି। ଏଇ କଥାଟାକୁ ଭାବି ବସିଲେ କାହିଁକି ଅଡ଼ୁଆ ତଡ଼ୁଆ ଲାଗେ।
ଏଥର ମୁଁ ନିଶ୍ଚିତ ହେଲି ଲୋକଟା ଅନ୍ୟତ୍ର କୋଉଠି ଚାଲିଯାଇଛି।
ମୁଁ ମନେମନେ ଭାବିଲି ସେ ଲୋକଟା ଭଲା ଫେରିଆସନ୍ତା!
ବୋଧେ ଆଖିର ଲୁହ କପାଳ ଲିଖନକୁ ଧୋଇଦେବ ବୋଲି ଇଶ୍ୱର ଜାଣି ଜାଣି ଆଖିକୁ କପାଳ ତଳେ ରଖିଛନ୍ତି। ନଚେତ୍ କାନ୍ଦିକାନ୍ଦି ଲୁହ ନିଗିଡେଇ ତା କପାଳ ଲିଖନକୁ ଲିଭେଇ ଦିଅନ୍ତା ଦେବସ୍ମିତା। କାରଣ ନିଜର ନହେଇ ବି ସେ ଭଦ୍ରଲୋକ ଜଣଙ୍କ ଦେବସ୍ମିତା ପାଇଁ ବହୁତ କିଛି। ମାତ୍ର ସେମିତି କଣ ହେଇପାରେ କି??
ସମ୍ଭବତଃ ସେ ଭଦ୍ରଲୋକ ଜଣଙ୍କ ପାଇଁ ଯେତେ କାନ୍ଦିବାକୁ ଇଚ୍ଛାକରି ବି କାନ୍ଦିପାରେନି ଦେବସ୍ମିତା। ହଁ, କେବେ ଅଧେ କାନ୍ଦିଥିବ ନିରୋଳାରେ ସେ। ତା ଘରଲୋକ, ସାଙ୍ଗସାଥୀଙ୍କ ଅନୁପସ୍ଥିତିରେ।
ହେଲେ କାହିଁକି ସେ ଭଦ୍ରଲୋକଙ୍କ ପାଇଁ କାନ୍ଦିବ ଯେ ଦେବସ୍ମିତା ? ସିଏ କଣ ତାର ବନ୍ଧୁ ପରିଜନ ନା ଆତ୍ମୀୟ ସ୍ୱଜନ ? ଏଇକଥା ପଚାରିଲା ବେଳେ ଦେବସ୍ମିତା ଯୋଉ ଉତ୍ତରଟିକକ ଦେଲା ତାହା ମୋତେ ସେଇକ୍ଷଣୀ ସେ ଭଦ୍ରଲୋକଙ୍କ ବିଷୟରେ ଆମୂଳଚୂଳ ଜାଣିବାକୁ ବାଧ୍ୟକଲା।
କଥାଟା ମୂଳରୁ କହିଲା ଦେବସ୍ମିତା, ସିଏ ଯେତେବେଳେ ଛୋଟଥିଲା ତା’ର ପ୍ରଚୁର ଖେଳନା ଥିଲା। ପରିତ୍ୟକ୍ତ ଅତର ଶିଶି, ଖାଲି ଦିଆସିଲି ଖୋଳର ରେଳଗାଡ଼ି, କିଛି ସଢେଇ ଯେଉଁଥିରେ ସେ ନିଇତି ମିଛରେ ମିଛରେ ଖାଦ୍ୟ ପ୍ରସ୍ତୁତ କରୁଥିଲା। ଆଉ ଗୋଟେ ପ୍ଲାଷ୍ଟିକ୍ ମୋବାଇଲ ଓ ଯୋଡ଼ିଏ କଣ୍ଡେଇ ଯୋଉଟା କି ସେ ଅତି ଜିଦ୍ କରିବାକୁ ତା ବୋଉ ତାକୁ ଫେରିବାଲା ପାଖରୁ କିଣେଇ ଦେଇଥିଲା।
ବାସ୍ ଏତିକି ତ…
କିନ୍ତୁ, ତା ସାମ୍ନାଘର ଭଦ୍ରଲୋକଜଣଙ୍କ ଯେତେବେଳେ ଅଫିସରୁ ଫେରିଆସନ୍ତି ଏସବୁ ଖେଳନା ତା ପାଇଁ ନିରର୍ଥକ ହେଯାଏ। ବାର ବାଇ ଚଉଦ ଫୁଟ ପରିସୀମା ବ୍ୟାପ୍ତ କୋଠରୀରେ ଭଦ୍ରଲୋକ ଜଣଙ୍କ ଏକୁଟିଆ ରୁହନ୍ତି। ସେ ଏକୁଟିଆ ରହିବାର କାରଣ ସେ କେବେ କହିନାହାନ୍ତି କି ଦେବସ୍ମିତା କେବେ ପଚାରିନି ସେ ବିବାହ କରିଥିଲେ କି ନାହିଁ ଅଥବା ତାଙ୍କର ଛୁଆପିଲା ପରିବାର ଅଛିକି ନାହିଁ।
ହଁ, ଦେବସ୍ମିକାର ବୋଉ ଥରେ କହୁଥିଲା। ସେ ଭଦ୍ରଲୋକ ଜଣଙ୍କର କୁଆଡେ ସ୍ତ୍ରୀ ଥିଲା, ସେ ଅନେକ ବର୍ଷ ପୂର୍ବରୁ ଦୂରାରୋଗ୍ୟ ଆରପାରିକୁ ଚାଲିଯାଇଛନ୍ତି। ଛୁଆପିଲା ନଥିବାରୁ ଗାଁରେ ଥିବା ସମ୍ପତ୍ତିବାରି ତକ ପୁତୁରା ନାଁରେ କରିଦେଲେ ନି ଯେ, ଗାଁ କଥା ମନରୁ ପାସୋରିଦେଲେ। ପାସୋରିବେନି ବା କେମିତି ?? ସମ୍ପତି ନପାଇବା ପୂର୍ବରୁ ଭଲ ଜତନ ଆଦର କରୁଥିଲା ପୁତୁରା, ହେଲେ ସମ୍ପତ୍ତି ପାଇଗଲା ପରେ ଦେଖେଇଲା ତାର ଅସଲ ରୂପ। ପୁତୁରା ଓ ପୁତୁରାବୋହୂ ଦିହେଁ କହିଲେ ଅକଥନୀୟ କଥା। ସେବେଠୁ ଗାଁ କଣ ଭୁଲିଯାଇଛନ୍ତି ସେ। ଏଇଠି ବିତେ ତାଙ୍କର ବର୍ଷଭରି ଖରା-ବର୍ଷା-ଶୀତ-ବସନ୍ତ।
ଏଇ ଦେବସ୍ମିତା ଛୋଟବେଳୁ ତାଙ୍କରି ଘର ଠିଁ। ଭଦ୍ରଲୋକ ଜଣଙ୍କ ତାଙ୍କ ଫୁରସତ୍ ସମୟରେ ଦେବସ୍ମିତା ସହ ଖେଳନ୍ତି, ହସନ୍ତି, ଗେଲକରନ୍ତି, ସମୟ ବିତାନ୍ତି। କେତେବେଳେ ସେ ବୁଢିଅସୁରୁଣୀର ଗପ ଶୁଣାନ୍ତି ତ କେତେବେଲେ ସେ ନିଜେ ଘୋଡ଼ା ହେଇଯାଆନ୍ତି ଆଉ ଦେବସ୍ମିତା ତାଙ୍କ ପିଠିରେ ବସି ଘୁରିବୁଲେ ତା ଖିଲିଖିଲି ହସର ରାଇଜ। ଭଦ୍ରଲୋକ ଜଣଙ୍କ ତାଙ୍କ ବୁଢ଼ା ଆଙ୍ଗୁଠି ଆଉ ବିଶି ଆଙ୍ଗୁଠିରେ ଦେବସ୍ମିତାର ନାକରୁ ସିଙ୍ଗାଣି କାଢ଼ି ପୋଛିଦିଅନ୍ତି କାନ୍ଥରେ। ଜୀବନର ଅସୀମ ବିଫଳତା ଭିତରେ ହିଁ ତାଙ୍କର ସେତିକିରେ ଚରମ ଆନନ୍ଦ। ନିଜର ପରିମିତ ସ୍ଥାନ ଆଉ ଅପର୍ଯ୍ୟାପ୍ତ ସମୟ ଭିତରେ ଏମିତି ତାଙ୍କୁ ଦେବସ୍ମିତା ସହ ଦିନର ପ୍ରତ୍ୟେକଟି କାର୍ଯ୍ୟ ଶେଷ କରିବାକୁ ପଡ଼େ।
ଧିରେଧିରେ ଦେବସ୍ମିତା ବଡ଼ହେଲା। ସେ ଭଦ୍ରଲୋକଜଣଙ୍କ ସହ ତାର ସବୁତକ ଚପଳତା କମିକମି ଆସିଲା। ତାଙ୍କ ଦାଢ଼ିଗୁଡ଼ାକ ପିନ୍ କଣ୍ଟା ପରି ଦେବସ୍ମିତାର ପୁଚୁକା ଗାଲରେ ଫୋଡ଼ିହେଲା। ସେଥିପାଇଁ ଦେବସ୍ମିତା ଆଉ ତା’ଙ୍କ ପାଖକୁ ଗେଲ ହେବାକୁ ଗଲାନି।
ଅଥଚ ଆଜି କାହିଁ ତାର ଗେଲ ହେବାକୁ ଭାରି ଇଚ୍ଛା ହେଉଛି। ନିଜ ବାପାଙ୍କ ପରି ତାକୁ ଅସୀମିତ ସ୍ନେହ ଦେଉଥିବା ଓ ଗେଲ କରୁଥିଲା ସେ ଭଦ୍ରଲୋକ ଜଣଙ୍କ ପାଖରୁ। ପୁଣି ସେ ସମୟ ଫେରିଆସନ୍ତା କି ? ଦେବସ୍ମିତା ଦୌଡ଼ିଯାଇ ଝୁଲିପଡ଼ନ୍ତା ତାଙ୍କ କାନ୍ଧରେ। ସେ ଘୋଡ଼ାହେଇ ଯାଆନ୍ତେ ଆଉ ଦେବସ୍ମିତା ବୁଲିଯାଆନ୍ତା ତା ବାଳୁତ ବେଳକୁ।
ମାତ୍ର, ସେମିତି କଣ ହେଇପାରେ କି ?
ଭଦ୍ରଲୋକଙ୍କ ଘର ଆଗରେ ଏତେଦିନ ଧରି ତାଲା ଝୁଲିବା ଦେବସ୍ମିତାକୁ ଅଡ଼ୁଆ ତଡ଼ୁଆ ଲାଗୁଥିଲା। ଶ୍ୱାସରୁଦ୍ଧ ହେଇଯାଉଥିଲା ତା ଛାତି।
ହେଲେ କଣ କରିବ ସେ? କୋଉଠି ତାଙ୍କୁ ଖୋଜିବ?
ଯେତେ ସଜେଇଲେ ଭଡ଼ାଘର କଣ କେବେ ନିଜଘର ହେଇପାରେ କି?
ସମସ୍ତଙ୍କୁ ତ ଦିନେ ଏମିତି ଭଡ଼ାଘର ଛାଡ଼ିବାକୁ ପଡ଼େ। ଆଉ ଖୋଜିବାକୁ ହୁଏ ଆଉଏକ ନୀଡ଼। ସେମିତି ସେ ଭଦ୍ରଲୋକଜଣକ ଆଉ ଆଉ କୋଉଠିକି ଚାଲିଯାଇଥିବେ। ସେ ଘର ସହ ତାଙ୍କର ଭାବପ୍ରବଣତା ଥାଇପାରେ ? ତା ବୋଲି ଘରମାଲିକ କଣ ତାଙ୍କୁ ସବୁଦିନ ପାଇଁ ଘର ଛାଡ଼ିଦେବ ନା ଘରଭଡ଼ା ?
ହେଲେ ସେ ଗଲେ କୁଆଡ଼େ ? ବୟସ ତ ତାଙ୍କୁ ମାଡ଼ିମାଡ଼ି ଆସିଲାଣି। ସହଜରେ ତ ଏଇ ମହଙ୍ଗାଇ ଜମାନାରେ ସହରରେ ଚଳିବା ମୁସ୍କିଲ୍। ସେ କଣ ଆଉ ଆଗପରି କାମଧନ୍ଦା କରିପାରୁଛନ୍ତି ଯେ ଏତେଏତେ ଭଡ଼ାଦେଇ ସହରରେ ଚଳିବେ ? ଦେହ-ପା କଥା, କଣ କରୁଥିବେ ସେ। ଭାରି ଅଥୟ ହେଉଥିଲା ଦେବସ୍ମିତାର ମନ। ଏତେବଡ଼ ସହରରେ କୋଉଠି ଖୋଜିବ ତାଙ୍କୁ, ପାଇଇବ କୋଉଠି ? ଟିକେ ଆଖି ପୁରେଇ ଦେଖିନିଅନ୍ତା ତାଙ୍କୁ। ଏମିତି ଦିନ ମାସ ବର୍ଷ ଗଡ଼ିବା ପରେ ଧିରେଧିରେ ଦେବସ୍ମିତାର ମନରୁ ପୋଛିହେବାକୁ ଲାଗିଲେ ଭଦ୍ରଲୋକ ଜଣଙ୍କ।
ପାଞ୍ଚବର୍ଷ ପରେ ଦିନେ ପୁଅ ଜନ୍ମଦିନରେ ଗରିବ ଅସହାୟଙ୍କୁ ଖାଦ୍ୟ ବାଣ୍ଟୁଥିଲା ଦେବସ୍ମିତା। ହଠାତ୍ ଓଭରବ୍ରିଜ ତଳେ ବସିଥିବା ଜଣେ ବୃଦ୍ଧଙ୍କ ପାଖକୁ ଚାଲିଗଲା ଖାଦ୍ୟ ପୁଡ଼ିଆଟେ ନେଇ। ବୃଦ୍ଧଙ୍କ ଥରିଲା ହାତକୁ ଖାଦ୍ୟପୁଡ଼ିଆଟେ ବଢେଇଦେଲା ବେଳେ ଦେବସ୍ମିତା ତାଙ୍କ ଭିତରେ ଦେଖିପାରିଥିଲା ସେ ଭଦ୍ରଲୋକଜଣଙ୍କୁ। ଚିହିଁକୁ ପଡ଼ିଲା ଦେବସ୍ମିତା। ମୁହଁରେ ଦାଢି ବଲବଲ, ଦେହରେ ମଳିଚିକିଟା ଜାମା। ହାତ ଗୋଡ଼ ଥରୁଛି। ଇଏ ସେଇ ଭଦ୍ରଲୋକ ତ! ଦେବସ୍ମିତା କହିଲା ବାବା ମୋତେ ଚିହ୍ନିପାରୁଛ ? ଦେବସ୍ମିତା ପିଲାଟିବେଳୁ ସେ ଭଦ୍ରଲୋକଜଣଙ୍କୁ ବାବା ବୋଲି ସମ୍ବୋଧନ କରେ।
ବୃଦ୍ଧ ଜଣଙ୍କ କିଛି ସମୟ ତାଙ୍କ ମୁହଁକୁ ଅନେଇଲେ। ଶେଷରେ ମୁଣ୍ଡ ହଲେଇ ମନାକଲେ। କିନ୍ତୁ ଦେବସ୍ମିତା ଜାଣିପାରୁଥିଲା, ଏଇ ସେହି ଭଦ୍ରଲୋକ- ଯାହାଙ୍କ କାନ୍ଧରେ ସେ କେତେ ନାଉ ହେଇଛି, ଯାହାଙ୍କ ପିଠିରେ ବସି ଘୋଡ଼ା ଉପରେ ବସିବାର ପୁଲକକୁ ଉପଲବ୍ଧି କରିଛି।
କଣ କରିବ କିଛି ଭାବିପାରୁନଥିଲା ସେ। ତା ସ୍ୱାମୀ ଓ ଶାଶୁ ପାଇଁ ଅପରିଚିତ ଥିବା ଜଣେ ମଳିମୁଣ୍ଡିଆ ବୁଦ୍ଧଙ୍କୁ ନେଇ ତା ଶାଶୁଘରେ ରଖି ସେବା କରିବ ନା ତାଙ୍କ ପାଇଁ ଆଉଗୋଟେ ଭଡ଼ାଘର ଠିକ୍ କରିଦେବ। କଣ କରିବ ସେ ? କଣ କରିବ ସେ ?
ଭାବିଚାଲିଥିଲା।
୨୪ ପ୍ରହରୀ ମଣ୍ଡପ, ନାୟକାଣୀଡିହି, ଭଦ୍ରକ
ମୋ- ୭୮୦୯୦୩୭୬୦୮