ନୂଆଦିଲ୍ଲୀ: ରେଷ୍ଟୁରାଣ୍ଟର ଭାଲେଣ୍ଟାଇନ୍ସ ଅଫର । ତାହାପୁଣି ପ୍ରେମିକାପ୍ରେମିକଙ୍କୁ ମିଳିବ ମାଗଣାରେ ବର୍ଗର । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହା ଦେଖିବା ପରେ ଏହି ଅଫରର ଫାଇଦା ନେବା ପାଇଁ ପ୍ରେମିକ ପ୍ରେମିକା ପୁରା ପ୍ରସ୍ତୁତ । ହେଲେ ଏଥିଲାଗି ଆପଣଙ୍କୁ କରିବାକୁ ପଡ଼ିବ ଗୋଟିଏ କାମ ।
ଆଉ ଦିନକ ପରେ ଭାଲେଣ୍ଟାଇନ୍ସ ଡେ । ପ୍ରେମ ଓ ପ୍ରେମୀଯୁଗଳଙ୍କ ପାଇଁ ଖାସ୍ ଦିନ ଭାଲେଣ୍ଟାଇନ୍ସ ଡେ। ଏନେଇ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ଏହି ଦିନକୁ ନିଜ ପ୍ରେମିକା, ପ୍ରେମିକ ପାଇଁ କିଭଳି ଅଭୁଲା ଓ ସ୍ମରଣୀୟ କରିହେବ ସେଥିପାଇଁ ଲାଗିପଡ଼ିଛନ୍ତି ସମସ୍ତେ। ମନର ମଣିଷ ପାଇଁ ଏହି ଦିନକୁ କିଏ କେତେ ସ୍ପେଶାଲ କରିପାରିବ ସେଥିପାଇଁ ବି ଚାଲିଛି ପ୍ରତିଯୋଗିତା। କିଏ ସରପ୍ରାଇଜ ପ୍ଲାନିଂ କରି ନିଜ ପ୍ରେମିକା ଓ ପ୍ରେମିକକୁ ଖୁସି କରିବାକୁ ଚାହୁଁଛି ତ ଅ।।ଉ କିଏ ଗିଫ୍ଟ ଓ କାର୍ଡରେ ମନର କଥା ଲେଖି ଉପହାର ଦେବାକୁ ଯୋଜନା କରୁଛନ୍ତି । ହେଲେ ଆଉ କିଛି ଲୋକ ଭାଲେଣ୍ଟାଇନ୍ସ ଡେ ରେ ନିଜର ପୁରୁଣା ଦିନକୁ ମନେ ପକାଇ ମନଦୁଃଖ କରିଥାନ୍ତି। ଏପରି ପ୍ରେମରେ ହତାଶ ହୋଇପଡ଼ିଥିବା ଲୋକଙ୍କ ପାଇଁ ଦୁବାଇର ଏକ ରେଷ୍ଟୁରାଣ୍ଟ ଏକ ଚମତ୍କାର ଅଫର ଘୋଷଣା କରିଛି । ଏହି ଦିନକୁ ଉକ୍ତ ଲୋକଙ୍କୁ ମାଗଣାରେ ବର୍ଗର ଯୋଗାଇ ଦେବ ରେଷ୍ଟୁରାଣ୍ଟ ।
ଯେଉଁମାନେ ଏହି ଫାଇଦା ନେବାକୁ ଚାହୁଁଛନ୍ତି, ସେମାନଙ୍କୁ ରେଷ୍ଟୁରାଣ୍ଟକୁ ଆସିବାକୁ ପଡ଼ିବ । ଆଉ ସେମାନଙ୍କ ପୂର୍ବତନ ସାଥୀ, ପ୍ରେମିକ କିମ୍ବା ପ୍ରେମିକାଙ୍କ ଫଟୋ ଦେବାକୁ ପଡ଼ିବ । ଆଉ ଏହି ଫଟୋ ନିଜେ ଖଣ୍ଡ ଖଣ୍ଡ କରି କାଟିବାକୁ ପଡ଼ିବ, ତାହାହେଲେ ସେହିମାନଙ୍କୁ ହିଁ ମାଗଣାରେ ବର୍ଗର ମିଳିବ ବୋଲି ରେଷ୍ଟୁରାଣ୍ଟ ପକ୍ଷରୁ କୁହାଯାଇଛି । ରେଷ୍ଟୁରାଣ୍ଟର କହିବା କଥା, ପ୍ରିୟ ଲୋକ ଛାଡ଼ି ଯିବା ପରେ ଲୋକେ ହତାଶ ହୋଇପଡ଼ନ୍ତି । ନିଜର କ୍ରୋଧକୁ ଶାନ୍ତ କରିବା ପାଇଁ ସେମାନଙ୍କର ପୂର୍ବତନ ସାଥୀଙ୍କ ଫଟୋ ଚିରି ମନକୁ ଶାନ୍ତ କରିପାରିବେ ।
ଭାଇରାଲ ଭିଡ଼ିଓକୁ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ କହିଛନ୍ତି ଯେ, ସେମାନେ ତାଙ୍କ ପୂର୍ବତନ ସାଥୀଙ୍କ ଫଟୋ କେବେବି କାଟିବାକୁ ଦେବେ ନାହିଁ। ଆଉ କିଛି ବର୍ଗର ପାଇଁ ଦେୟ ଦେବେ କିନ୍ତୁ ପ୍ରିୟ ଲୋକଙ୍କ ଫଟୋ ଖଣ୍ଡଖଣ୍ଡ କରି କାଟିବାକୁ ଦେବେ ନାହିଁ ବୋଲି କହିଛନ୍ତି । ସେହିପରି ଆଉ କିଛି ମଜାଳିଆ ଢଙ୍ଗରେ ମତ ଦେଇଛନ୍ତି ଯଦି କାହାର ୩ ଜଣ ପୂର୍ବତନ ସାଥୀ ଥିବେ, ତେବେ ସେ କ’ଣ ୩ଟି ବର୍ଗର ପାଇବେ?