ଏକାଧିକ ବିବାହ କରି ୧.୨୫ କୋଟି ହଡ଼ପ କଲେ ଲୁଟେରୀ କନ୍ୟା

ଜୟପୁର: ପୋଲିସ କବ୍‌ଜାରେ ଲୁଟେରୀ କନ୍ୟା । ଲୁଟେରୀ କନ୍ୟା ଭାବେ ପରିଚିତ ଏହି ମହିଳା ଜଣକ ଧନୀ ଲୋକଙ୍କୁ ଟାର୍ଗେଟ କରି ପ୍ରଥମେ ସେମାନଙ୍କ ନିକଟତର ହେଉଥିଲେ । କୌଶଳକ୍ରମେ ସେମାନଙ୍କୁ ବିବାହ ବି କରୁଥିଲେ । ପରେ ସେମାନଙ୍କୁ ଧମକଚମକ ଦେଇ ବିଭିନ୍ନ ମାମଲା ରୁଜୁ କରୁଥିଲେ । ଶେଷରେ ବୁଝାମଣା କରିବା ନାଁରେ ଟଙ୍କା ଲୁଟ୍ କରୁଥିଲେ । ଏହିପରି ଭାବେ ଏକାଧିକ ପୁରୁଷଙ୍କୁ ବିବାହ କରି ୧.୨୫ କୋଟିରୁ ଅଧିକ ଟଙ୍କା ହଡ଼ପ କରିଥିବା ଜଣାଯାଇଛି ।

ଉତ୍ତରାଖଣ୍ଡର ସୀମା ଅଗ୍ରୱାଲ ନାମକ ଏହି ମହିଳା ୨୦୧୩ଠାରୁ ବର୍ତ୍ତମାନ ସୁଦ୍ଧା ଏକାଧିକ ପୁରୁଷଙ୍କୁ ବିବାହ କରିଛନ୍ତି । ସୀମା ପ୍ରଥମେ ଆଗ୍ରାର ଜଣେ ବ୍ୟବସାୟୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲେ। କିଛି ମାସ ପରେ ସେ ଉକ୍ତ ବ୍ୟବସାୟୀ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରିଥିଲେ। ସେମାନଙ୍କୁ ବଦନାମ କରିବାକୁ ଧମକ ଦେଇଥିଲେ । ଆପୋଷ ବୁଝାମଣା ପାଇଁ ୭୫ ଲକ୍ଷ ଟଙ୍କା ମାଗିଥିଲେ। ପରିବାର ଲୋକେ ବାଧ୍ୟ ହୋଇ ସେମାନଙ୍କ ଆତ୍ମସମ୍ମାନ ପାଇଁ ମାମଲାକୁ ରଫାଦଫା କରିବା ଉଦ୍ଦେଶ୍ୟରେ ସୀମାଙ୍କୁ ୭୫ ଲକ୍ଷ ଟଙ୍କା ଦେଇଥିଲେ।

ସେହିପରି ୨୦୧୭ ମସିହାରେ ସୀମା ଗୁରୁଗ୍ରାମର ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବିବାହ କରିଥିଲେ। ବିବାହର କିଛି ଦିନ ପରେ ତାଙ୍କୁ ମଧ୍ୟ ମିଥ୍ୟା ମାମଲାର ଧମକ ଦେଇଥିଲେ। ମାମଲାକୁ ରଫାଦଫା କରିବା ପାଇଁ ସେ ସଫ୍ଟୱେର ଇଞ୍ଜିନିୟରଙ୍କଠାରୁ ୧୦ ଲକ୍ଷ ଟଙ୍କା ନେଇ ତାଙ୍କଠାରୁ ଅଲଗା ହୋଇଥିଲେ।

ପୁଣି ୨୦୨୩ରେ ସେ ଜୟପୁରର ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ବ୍ୟବସାୟୀଙ୍କ ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନା, ଅଳଙ୍କାର ସମେତ ନଗଦ ୩୬ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏନେଇ ବ୍ୟବସାୟୀ ଓ ତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଉତ୍ତରାଖଣ୍ଡ ପୋଲିସ ସହଯୋଗରେ ଜୟପୁର ପୋଲିସ ରବିବାର ସୀମାଙ୍କୁ ଡେରାଡୁନରୁ ଗିରଫ କରି ଜୟପୁର ଆଣିଛି। ଜୟପୁର କୋର୍ଟ ସୀମାଙ୍କୁ ୧୫ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *