ମୁମ୍ବାଇ: ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାଇ ପଲ୍ଲବୀ । ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ସବୁଠୁ ବଡ଼ କଥା ହେଲା ବିନା ମେକଅପ୍ରେ ଫିଲ୍ମ କରି ବେଶ୍ ଚର୍ଚ୍ଚା ସାଉଣ୍ଟିଛନ୍ତି ସାଉଥ୍ ସୁନ୍ଦରୀ ସାଇ ପଲ୍ଲବୀ। ତାଙ୍କର ଏହି ଗୁଣ ଯୋଗୁଁ ଅନେକ ତାଙ୍କ ଦିୱାନା ପାଲଟିଛନ୍ତି। ଯେଉଁଠି ହିରୋଇନମାନେ ବିନା ମେକଅପ୍ରେ ପରଦାକୁ ଆସନ୍ତି ନାହିଁ, ସେଠାରେ ବିନା ମେକଅପରେ ଲୋକଙ୍କ ସାମ୍ନାକୁ ଆସିଥାନ୍ତି ସେ । ଏମିତି କି ସାଇ ଅନେକ ମେକଅପ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟକୁ ପ୍ରତ୍ୟାଖ୍ୟାନ ବି କରିଛନ୍ତି ।
ଏବେ ଉଭୟ ବଲିଉଡ ଓ ସାଉଥ୍ ଷ୍ଟାର ପରସ୍ପର ସହ କାମ କରିବା ଆରମ୍ଭ କରିଛନ୍ତି। ବଲିଉଡ ତାରକାମାନେ ସାଉଥ୍ ଫିଲ୍ମରେ କାମ କରୁଥିବା ବେଳେ ସାଉଥ୍ ଷ୍ଟାରମାନେ ବଲିଉଡରେ ଡେବ୍ୟୁ କରିଛନ୍ତି। ନୟନତାରା, ବିଜୟ ସେଥୁପତି, ରାମଚରଣ, ଜୁନିୟର ଏନଟିଆର, କାଜଲ ଅଗ୍ରଲୱାଲ, ତାପସୀ ପନ୍ନୁ, କିଆରା ଆଡଭାନୀ, ପ୍ରଭାସଙ୍କ ଭଳି କଳାକାର ବଲିଉଡରେ ଡେବ୍ୟୁ କରିସାରିଛନ୍ତି । ସେହିପରି ସାଇ ପଲ୍ଲବୀ ବି ବଲିଉଡରେ ଡେବ୍ୟୁ କରିଛନ୍ତି । ସେ ପୌରାଣିକ ଚଳଚ୍ଚିତ୍ର ରାମାୟଣରେ ନଜର ଆସିଛନ୍ତି । ଏହି ଫିଲ୍ମ ପାଇଁ ସେ ନିଜ ପାରିଶ୍ରମିକ ଦ୍ୱିଗୁଣ କରିଛନ୍ତି । ଏଥିପାଇଁ ସେ ୧୦କୋଟି ନେଇଥିବା ଜଣାଯାଇଛି ।
ବର୍ଦ୍ଧିତ ପାରିଶ୍ରମିକ ସହ ଏବେ ଅଭିନେତ୍ରୀଙ୍କ ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସାଇ ପଲ୍ଲବୀଙ୍କ ମୋଟ ସମ୍ପତ୍ତି ପ୍ରାୟ ୪୭କୋଟି ଟଙ୍କା। ସେ ମାଲାୟାଲମ୍, ତେଲୁଗୁ ଏବଂ ତାମିଲ ସିନେମାରେ କାମ କରି ଟଙ୍କା ଆୟ କରନ୍ତି। ଏହା ସହ ସେ କିଛି ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟ ମଧ୍ୟ କରନ୍ତି । ଯଦି ଆମେ ତାଙ୍କ କାର୍ କଲେକ୍ସନ ଦେଖିବା ତେବେ ତାଙ୍କ ପାଖରେ ମିତସୁବିସି ଲାନ୍ସର ଇଭୋ ଏକ୍ସ ଓ ଅଡି କ୍ୟୁ ୩ କାର୍ ରହିଛି।