ମୁମ୍ବାଇ: ସୁଟିଂ ସେଟ୍ରେ ହଠାତ୍ ବେହୋସ୍ ହୋଇପଡ଼ିଲେ ସାଉଥ ଅଭିନେତ୍ରୀ ସମନ୍ଥା ରୁଥୁ ପ୍ରଭୁ । ସର୍ବିଆର ରେଳ ଷ୍ଟେସନରେ ସୁଟିଂ ସମୟରେ ସେ ଦୌଡୁଥିବା ବେଳେ ହଠାତ୍ ତଳେ ପଡ଼ିଯାଇଥିଲେ । ତାଙ୍କୁ ଏପରି ଅସୁସ୍ଥ ହୋଇପଡ଼ିବା ଦେଖି ସୁଟିଂ ବନ୍ଦ କରି ଦିଆଯାଇଥିଲା । ସଙ୍ଗେ ସଙ୍ଗେ ତାଙ୍କ ପାଇଁ ଅମ୍ଳଜାନ ଟ୍ୟାଙ୍କ ମଗାଯାଇଥିଲା । କିଛି ସମୟ ବିଶ୍ରାମ ନେବା ପରେ ସେ ପୁଣି ଥରେ ସୁଟିଂ ଆରମ୍ଭ କରିଥିଲେ । ଏନେଇ ଅଭିନେତା ବରୁଣ ଧାୱନ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ସମନ୍ଥାଙ୍କ ଅସୁସ୍ଥ ଖବର ଜଣାପଡ଼ିବା ପରେ ତାଙ୍କ ପ୍ରଶଂସକମାନେ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଅଭିନେତା ବରୁଣ ଧାୱନ ଏବଂ ଅଭିନେତ୍ରୀ ସମନ୍ଥାଙ୍କୁ ଫିଲ୍ମ ‘ସିଟାଡେଲ ହନି ବନି’ରେ ନଜର ଆସିଛନ୍ତି। ସମନ୍ଥା ଏବଂ ବରୁଣ ଧାୱନ ଏହି ଚଳଚ୍ଚିତ୍ର ବିଷୟରେ ଅନେକ ସମୟରେ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ଏବେ ବରୁଣ ଧାୱନ ତାଙ୍କ ସହ ଅଭିନେତ୍ରୀ ସମନ୍ଥାଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ବରୁଣ କହିଛନ୍ତି ଯେ, ସମନ୍ଥା ମାୟୋସାଇଟିସ୍ ନାମକ ଏକ ବିପଜ୍ଜନକ ରୋଗରେ ପୀଡିତ ଅଛନ୍ତି। ଏହା ସତ୍ତ୍ୱେ ସେ ନିରନ୍ତର କଠିନ ପରିଶ୍ରମ କରିଥାନ୍ତି। ସର୍ବିଆର ରେଳ ଷ୍ଟେସନରେ ସୁଟିଂ ଚାଲିଥିଲା । ଏହି ସମୟରେ ସମନ୍ଥାଙ୍କୁ ତାଙ୍କ ପଛରେ ଦୌଡ଼ିବାର ଥିଲା। ତେଣୁ ମୁଁ କ୍ୟାମେରା ଆଗରେ ଦୌଡ଼ିଲି। ସେ ଫ୍ରେମରେ ଥିଲେ ଏବଂ ହଠାତ୍ ତଳେ ପଡ଼ିଗଲେ।
ଏମିତି କି ଯନ୍ତ୍ରଣାରେ ସେ ଛଟପଟ ହୋଇ କାନ୍ଦି ପକାଇଥିଲେ । ସମନ୍ଥାଙ୍କ ଏପରି ଅବସ୍ଥା ଦେଖି ନିର୍ଦ୍ଦେଶକ ସୁଟିଂ ବନ୍ଦ କରିଦେଲେ । ସଙ୍ଗେ ସଙ୍ଗେ ତାଙ୍କ ପାଇଁ ସେଟକୁ ଅମ୍ଳଜାନ ଟ୍ୟାଙ୍କ ମଗାଯାଇଥିଲା। ଏହା ପରେ ସମନ୍ଥା ଅମ୍ଳଜାନ ନେଇଥିଲେ । ସୁଟିଂ ସେଟ୍ରେ ସମସ୍ତେ ଭାବୁଥିଲେ ସମନ୍ଥା କିଛି ଦିନ ଛୁଟି ନେବେ କିନ୍ତୁ ସେ ସେପରି କିଛି କରି ନ ଥିଲେ। ପୁଣି କାମ ଜାରି ରଖିଥିଲେ। ଏହି ଫିଲ୍ମରେ କେ.କେ ମେନନ୍, ସାକିବ ସଲିମ, ସିକନ୍ଦର ଖେର, ସୋହମ୍ ମଜୁମଦାର, ଶିବାଙ୍କିତ ପ୍ୟାରୀହର ଏବଂ କାଶବି ମଜୁମଦାର ପ୍ରମୁଖ ଅଭିନୟ କରିଛନ୍ତି।