ବରଗଡ଼: ପାରମ୍ପରିକ ଲୋକକଳା ହିଁ ଆମ ଓଡ଼ିଶାର ପରିଚୟ । ଆମ ଐତିହ୍ୟ ସମ୍ପନ୍ନ ରାଜ୍ୟର କେତେକ ଅଞ୍ଚଳ ନିଜସ୍ୱ ନିଆରା ଲୋକକଳା ପାଇଁ ଆଜି ବିଶ୍ୱବିଖ୍ୟାତ । ସେଥିମଧ୍ୟରୁ ବରଗଡ଼ ଜିଲ୍ଲାର ଧନୁଯାତ୍ରା ଲୋକକଳାର ଏକ ନିଚ୍ଛକ ନିଦର୍ଶନ। ଆସନ୍ତା ଜାନୁୟାରୀ ୩ ତାରିଖରେ ଆରମ୍ଭ ହେବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଏହା ୧୧ ଦିନ ଧରି ଚାଲିବ । ଏଥିଲାଗି ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଗଲାଣି । କିପରି ଏହି ମହୋତ୍ସବ ସୁରୁଖୁରୁରେ ଅନୁଷ୍ଠିତ ହେବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି ।
ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ମସିହା ଜାନୁଆରୀ ମାସ ୩ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ଅର୍ଥାତ୍ ଜାନୁଆରୀ ୧୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଆୟୋଜିତ ହେବ। ତେବେ ଆସନ୍ତା ଧନୁଯାତ୍ରା ମହୋତ୍ସବ ପାଇଁ ଏଥର କଂସ ଚୟନ ହେଉଛି। ରବିବାର ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ଏହି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଧନୁଯାତ୍ରା ମହୋତ୍ସବ ସମିତିର ନିଷ୍ପତ୍ତି କ୍ରମେ ଉକ୍ତ ଚୟନ ପ୍ରକ୍ରିୟାରେ ୪ଜଣ କଂସ କଳାକାର ଅଂଶଗ୍ରହଣ କରୁଛନ୍ତି। ସେମାନେ ହେଲେ ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର, ଭୁବନେଶ୍ୱର ପ୍ରଧାନ ଏବଂ ସୁଶିଲ କୁମାର ମେହେର। ଏମାନଙ୍କ ମଧ୍ୟରୁ ଚୟନକର୍ତ୍ତା ଯେଉଁ କଳାକାରଙ୍କୁ ପ୍ରଥମ ଭାବେ ଚୟନ କରିବେ, ସେ ହିଁ କେବଳ ଆସନ୍ତା ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରିବେ।