ବୋଗୋଟା: ଅସୁସ୍ଥ ହେଲେ କଲମ୍ବିଆର ପ୍ରସିଦ୍ଧ ଗାୟିକା ଶକିରା (୪୮) । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫଳରେ ପେରୁର ରାଜଧାନୀ ଲିମାରେ ହେବାକୁ ଥିବା ଶକିରାଙ୍କ ବହୁ ପ୍ରତୀକ୍ଷିତ ମ୍ୟୁଜିକ୍ କନ୍ସର୍ଟକୁ ବାତିଲ କରାଯାଇଛି । ଏନେଇ ଶକିରା ଏକ୍ସ’ରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ଉକ୍ତ ପୋଷ୍ଟରେ ଲେଖିଛନ୍ତି, ରବିବାରଠାରୁ ତାଙ୍କ ପେଟ ସମ୍ବନ୍ଧୀୟ କିଛି ସମସ୍ୟା ରହିଥିଲା। ସମସ୍ୟା ବଢ଼ିବାରୁ ଏବେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ଏବେ ତାଙ୍କର ଚିକିତ୍ସା ଜାରି ରହିଛି। ଆଗାମୀ କିଛିଦିନ ପାଇଁ କୌଣସି ଷ୍ଟେଜ୍ ଶୋ’ ପର୍ଫମାନ୍ସ ନ କରିବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି। ତେଣୁ ଏବେ ସେ କୌଣସି ଷ୍ଟେଜ୍ ଶୋ’ କରିବା ସ୍ଥିତିରେ ନ ଥିବା ଶକିରା ଦୁଃଖର ସହ କହିଛନ୍ତି।
ଶକିରା କହିଛନ୍ତି ଯେ, ପେରୁରେ ହେବାକୁ ଥିବା ମ୍ୟୁଜିକ୍ କନ୍ସର୍ଟକୁ ବାତିଲ ହେବା ନେଇ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି । ଏପରି ତାଙ୍କୁ ନିରାଶ କରିଛି । ପେରୁରେ ସେ ତାଙ୍କ ପ୍ରଶଂସକଙ୍କୁ ଭେଟିବା ପାଇଁ ଖୁବ୍ ଭାବ ପ୍ରବଣ ଓ ଉତ୍ସାହିତ ଥିଲେ। ଖୁବ୍ଶୀଘ୍ର ସୁସ୍ଥ ହୋଇ ପୁଣି ଷ୍ଟେଜ୍ ଶୋ’କୁ ଫେରିବେ ବୋଲି ଶକିରା ଆତ୍ମବିଶ୍ୱାସର ସହ କହିଛନ୍ତି। ଲିମାରେ ତାଙ୍କର ବାତିଲ ହୋଇଥିବା ମ୍ୟୁଜିକ୍ କନ୍ସର୍ଟ ଆଉ ଏକ ଦିନ ଆୟୋଜନ ହେବ। ଏନେଇ ତାରିଖ ଚୟନ ଦିଗରେ ତାଙ୍କ ଟିମ୍ ଏବଂ କନ୍ସର୍ଟ ପ୍ରମୋଟରଙ୍କ ପକ୍ଷରୁ କାର୍ଯ୍ୟ ଜାରି ରହିଛି। ଏହାସହ ସେ ଯେପରି ଶୀଘ୍ର ଆରୋଗ୍ୟ ଲାଭ କରିବେ ସେଥିପାଇଁ କାମନା କରିବାକୁ ଶକିରା ତାଙ୍କ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି।