ମୁମ୍ବାଇ: ଜନ୍ମ ଦିନରେ ଫ୍ୟାନ୍ସଙ୍କୁ ବଡ଼ ଉପହାର ଦେବେ ସଲମାନ ଖାନ୍। ଅପେକ୍ଷାର ଘଟିଛି ଅନ୍ତ। ସଲମାନଙ୍କ ଜନ୍ମଦିନରେ ରିଲିଜ ହେବ ‘ସିକନ୍ଦର’ ର ଟିଜର । ଏନେଇ ଆଜି ଫିଲ୍ମର ତାରିଖ ଘୋଷଣା କରିଛନ୍ତି ସାଜିଦ ନାଦିଆଦୱାଲା । ସଲମାନ ଖାନ ଷ୍ଟାରର୍ ଏହି ଅପକମିଙ୍ଗ୍ ମେଗା ପ୍ରୋଜେକ୍ଟ ଘୋଷଣା ହେବା ପରଠାରୁ ଚର୍ଚ୍ଚାରେ ରହିଛି ।
ଡିସେମ୍ବର ୨୭ରେ ସଲମାନଙ୍କ ଜନ୍ମଦିନ ଅବସରରେ ଏହି ବହୁ ପ୍ରତୀକ୍ଷିତ ଫିଲ୍ମର ଟିଜର ରିଲିଜ୍ ହେବ । ଏହା ସହିତ ଦର୍ଶକମାନଙ୍କୁ ‘ସିକନ୍ଦର’ର ପ୍ରଥମ ଝଲକ୍ ମିଳିଯିବ । ପିଙ୍କଭିଲ୍ଲାର ଏକ ରିପୋର୍ଟ ମୁତାବକ, ସଲମାନଙ୍କ ୫୯ତମ ଜନ୍ମଦିନରେ ‘ସିକନ୍ଦର’ ରୂପେ ଅଭିନେତାଙ୍କ ଫାର୍ଷ୍ଟ ଲୁକ୍ ପୋଷ୍ଟର ମଧ୍ୟ ଲଞ୍ଚ ହେବ । ଏହି ଚଳଚ୍ଚିତ୍ର ୨୦୧୪ର ଫିଲ୍ମ ‘କିକ୍’ ପରେ ସଲମାନ ଖାନ ଓ ସାଜିଦ ନାଦିଆଡୱାଲାଙ୍କ ରିୟୁନିୟନର ମାର୍କ । ତେବେ ଟିଜର ପାଇଁ ବର୍ତ୍ତମାନ ଏଡିଟିଙ୍ଗ୍ କାମ ଜୋରସୋରରେ ଚାଲିଥିବା ବେଳେ ଆକ୍ସନ, ମନୋରଞ୍ଜନରେ ଭରପୂର ଏହି ଫିଲ୍ମ ଆସନ୍ତା ବର୍ଷ ଇଦ୍ ଅବସରରେ ସିନେମାଘରେ ମୁକ୍ତିଲାଭ କରିବ ।
ସିକନ୍ଦରରେ ସଲମାନଙ୍କ ସହ ରଶ୍ମିକା ମନ୍ଦାନା ଲିଡ୍ ରୋଲରେ ଅଛନ୍ତି । ଫିଲ୍ମର ସୁଟ୍ ଶେଷ କରିବା ପରେ ସଲମାନ ‘ଜବାନ’ ନିର୍ଦ୍ଦେଶକ ଏଟଲିଙ୍କ ଫିଲ୍ମରେ କାମ କରିବା ଆରମ୍ଭ କରିବେ । ଏହି ଫିଲ୍ମର ଟାଇଟଲ୍ ଏ ପର୍ଯ୍ୟନ୍ତ ସ୍ଥିର ହୋଇପାରି ନାହିଁ ।