ସାଉଦି ଇତିହାସରେ ପ୍ରଥମ: ମରୁଭୂମିରେ ବିଛେଇ ହୋଇଗଲା ବରଫ

ମରୁମୂଭିରେ ବିଛେଇ ହୋଇଗଲା ଧଳା ବରଫର ଚାଦର । ଏପରି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି ସାଉଦି ଆରବରେ । ମରୁଭୂମି ପାଇଁ ବିଶ୍ୱ ବିଖ୍ୟାତ ସାଉଦି ଆରବର କିଛି ଭାଗରେ ପ୍ରବଳ ବର୍ଷା ସାଙ୍ଗକୁ ତୁଷାରପାତ ଦେଖିବାକୁ ମିଳିଛି । ଅଲ୍‌-ଜୌଫ୍ ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁ ଦେଶରେ ଏକ ଶୀତକାଳୀନ ୱଣ୍ଡରଲ୍ୟାଣ୍ଡ ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଏବଂ କୁଆପଥର ବୃଷ୍ଟି ପରେ ଏହି ଅଦ୍ଭୁତପୂର୍ବ ଦୃଶ୍ୟ ଦେଖାଯାଇଛି । ଇତିହାସରେ ପ୍ରଥମ ଥର ସାଉଦି ଆରବରେ ପଡ଼ିଛି ବରଫ ।

ଅଲ୍‌-ଜୌଫ୍ ଅଞ୍ଚଳର ଲୋକେ ସକାଳୁ ଉଠିବା ପରେ ଧଳା ବରଫ ଚାଦର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସାଉଦି ପ୍ରେସ୍ ଏନେଜ୍ସି କହିଛି, ଏଠାରେ କେବଳ ତୁଷାରପାତ ହୋଇନାହିଁ, ବରଂ ଝରଣା ମଧ୍ୟ ସୃଷ୍ଟି ହୋଇଛି । ଉପତ୍ୟକା ପୁଣିଥରେ ପୁନର୍ଜୀବିତ ହୋଇ ଅଞ୍ଚଳକୁ ଜୀବନରେ ଭରିଦେଇଛି । ଶୀତଦିନ ଭଳି ଦେଖାଯାଉଥିବା ଏହି ଦୃଶ୍ୟ ଏକ ପରିବର୍ତ୍ତନର ପ୍ରତୀକ । କାରଣ, ଦେଶ ଶୀତରେ ପ୍ରବେଶ କରୁଥିବା ବେଳେ ବସନ୍ତ ଋତୁର ମାର୍ଗ ପ୍ରଶସ୍ତ ହେଉଛି, ଯେଉଁଥିପାଇଁ ଏହି ଅଲ୍‌-ଜୌଫ୍ ଅଞ୍ଚଳଟି ପ୍ରସିଦ୍ଧ ।

ସେପଟେ ସାଉଦି ଆରବ ପାଣିପାଗ ବିଭାଗ ଆଗାମୀ ଦିନରେ ଖରାପ ପାଣିପାଗର ଚେତାବନୀ ଜାରି କରିଛି । ଅଲ୍‌-ଜୌଫର ଅଧିକାଂଶ ଭାଗରେ ଝଡ଼ର ଆଶଙ୍କା କରାଯାଇଛି । ପୂର୍ବାନୁମାନ ଅନୁସାରେ, ଆଗାମୀ ଦିନରେ ପ୍ରବଳ ବର୍ଷା ଏବଂ କୁଆପଥର ବୃଷ୍ଟି ଯୋଗୁ ଭିଜିବିଲିଟି କମ୍ ହୋଇପାରେ । ଝଡ଼ ସହିତ ପ୍ରବଳ ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି । ତେଣୁ ଅଧିକାରୀମାନଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ବିଶେଷଜ୍ଞମାନଙ୍କ କହିବା ହେଲା, ମରୁଭୂମିରେ ତୁଷାରପାତ ଭଳି ଅସାଧାରଣ ଘଟଣା ବାୟୁମଣ୍ଡଳୀୟ ସ୍ଥିତି ପରିବର୍ତ୍ତନ ହେତୁ ଘଟୁଛି । ଚଳିତ ବର୍ଷ ଆରମ୍ଭରେ ସାଉଦି ଆରବର ରାଜଧାନୀ ରିୟାଦରେ ପ୍ରବଳ ବର୍ଷା ପରେ ଭୟଙ୍କର ବନ୍ୟା ମାଡ଼ି ଆସିଥିଲା ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *