ନୂଆଦିଲ୍ଲୀ : ପ୍ଲେ ସ୍କୁଲର ଟଏଲେଟ୍ରେ ‘ସ୍ପାଇ କ୍ୟାମେରା’ । ସ୍କୁଲର ଟଏଲେଟ୍ର ବଲ୍ବ ହୋଲ୍ଡରରେ ଲଗାଯାଇଥିବା ସ୍ପାଇ କ୍ୟାମେରାକୁ ଜବତ କରାଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ସ୍କୁଲର ନିର୍ଦ୍ଦେଶକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ଜାଣିବା ପରେ ଅଭିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି ।
ଦିଲ୍ଲୀ ନୋଏଡା ଥାନା ଅନ୍ତର୍ଗତ ଫେଜ-୩ ଅଞ୍ଚଳରେ ଥିବା ପ୍ଲେ ସ୍କୁଲରେ ଏହି ଘଟଣା ଘଟିଛି । ପ୍ଲେ ସ୍କୁଲର ଜଣେ ଶିକ୍ଷୟିତ୍ରୀ କହିଛନ୍ତି ଯେ, ସେ ସ୍କୁଲରେ ଥିବା ଶୌଚାଳୟକୁ ଯାଇଥିଲେ । ଏହି ସମୟରେ ତାଙ୍କର ନଜର ବଲ୍ବ ହୋଲ୍ଡର ଉପରେ ପଡ଼ିଥିଲା । ଏଥିରେ କିଛି ଲାଗିଥିବା ସନ୍ଦେହ କରି ସଙ୍ଗେ ସଙ୍ଗେ ସ୍କୁଲର ଗାର୍ଡକୁ ଡାକି ଚେକ୍ କରିବାକୁ କହିଥିଲେ । ଗାର୍ଡ଼ ଆସି ହୋଲଡ଼ରକୁ କାଢିବା ପରେ ସେଥିରେ ଏକ ସ୍ପାଇ କ୍ୟାମେରା ଲାଗିଥିବା ଦେଖିବାକୁ ପାଇଥିଲେ । ଶିକ୍ଷୟିତ୍ରୀ ଜଣକ ସ୍କୁଲ ଡାଇରେକ୍ଟର ନବନୀଶ ସହାୟଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ହେଲେ ସେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଚୁପ୍ ରହିଥିଲେ । ଏହାପରେ ପୋଲିସ ସ୍କୁଲ ଡାଇରେକ୍ଟରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ତାଙ୍କୁ ଗିରଫ କରିଥିଲା ।