ପ୍ରୟାଗରାଜ: ମହାକୁମ୍ଭରେ ମହା ଅଘଟଣ । ମୌନି ଅମାବାସ୍ୟା ଅମୃତ ସ୍ନାନ ପୂର୍ବରୁ ମହାକୁମ୍ଭରେ ଦଳାଚକଟା ହୋଇଛି । ସଙ୍ଗମସ୍ଥଳରେ ଦଳାଚକଟାରୁ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ମୌନୀ ଅମାବାସ୍ୟା ଥିବାରୁ ଅମୃତ ସ୍ନାନ ରହିଥିଲା । ଏଥିପାଇଁ ସଂଗମରେ ଶ୍ରଦ୍ଧାଳୁଙ୍କ ଭିଡ଼ ବିଳମ୍ବିତ ରାତିରୁ ବଢ଼ିଥିଲା । ଆଉ ବିଳମ୍ବିତ ରାତିରେ ଦଳାଚକଟା ପରେ ଅମୃତ ସ୍ନାନକୁ ବାତିଲ୍ କରି ଦିଆଯାଇଛି । ୫୦ରୁ ଅଧିକ ଆହତ ମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦଳଚକଟା ପରେ ଅମୃତସ୍ନାନ ରଦ୍ଦ କରିଛି ଆଖଡ଼ା ସଂଘ। ଘାଟରୁ ଶ୍ରଦ୍ଧାଳୁଙ୍କୁ ଖାଲି କରିବାକୁ କୁହାଯାଉଛି ।
ଦୁର୍ଘଟଣା ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତୁରନ୍ତ ଆବଶ୍ୟକୀୟ ସହାୟତା ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି । ଏବେ ସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ଦଳାଚକଟା ରାତି ପ୍ରାୟ ଗୋଟାଏରେ ହୋଇଥିବା ସୂଚନା ମିଳିଛି । ମୌନୀ ଅମାବାସ୍ୟା ଅମୃତ ସ୍ନାନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ପ୍ରସ୍ତୁତି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଆଉ ଏହାରି ଭିତରେ ଘଟିଛି ବଡ଼ ଅଘଟଣ।
ପୋଲିସ ସୂଚନା ଅନୁସାରେ, ଯେଉଁମାନେ ଆହତ ହୋଇଛନ୍ତି ସେମାନେ ସେମାନଙ୍କ ପ୍ରିୟଜନଙ୍କଠାରୁ ଅଲଗା ହୋଇଯାଇଛନ୍ତି। ହସ୍ପିଟାଲ ବାହାରେ ବ୍ୟାରିକେଡ୍ କରି ପୋଲିସ ଫୋର୍ସ ମୁତୟନ କରାଯାଇଛି। ସେହିପରି ଦୁର୍ଘଟଣାସ୍ଥଳରେ ଏନଏସଜି କମାଣ୍ଡୋମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦୁର୍ଘଟଣାସ୍ଥଳକୁ ଖାଲି କରି ସିଲ୍ କରାଯାଇଛି। ସେପଟେ ବର୍ତ୍ତର୍ମାନ ପାଇଁ ସାଧୁ ସନ୍ଥଙ୍କ ଅମୃତ ସ୍ନାନ ସ୍ଥଗିତ କରିଛି ପ୍ରଶାସନ ଏବଂ ଆଖଡ଼ା । ଏପରିକି ପ୍ରୟାଗରାଜକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ସାମୟିକ କଟକଣା ଜାରି କରିଛି ପ୍ରଶାସନ । ବର୍ତ୍ତର୍ମାନ ପାଇଁ ୪୪ ଟି ଘାଟକୁ ବନ୍ଦ କରିଦିଆଯାଇଛି । ଘଟଣା ଉପରେ ନଜର ରଖିଛି ୟୁପି ପ୍ରଶାସନ ।
ଅନ୍ୟପଟେ ୧୪୪ ବର୍ଷ ପରେ ପଡ଼ିଥିବା ମହାକୁମ୍ଭ ମେଳାରେ ଗତ ୧୭ ଦିନ ମଧ୍ୟରେ ୧୫ କୋଟିରୁ ଅଧିକ ତୀର୍ଥଯାତ୍ରୀ ସ୍ନାନ କରିଥିବା ଉତ୍ତରପ୍ରଦେଶ ସରକାର ସୂଚନା ଦେଇଛନ୍ତି । ବୁଧବାର ମୌନୀ ଅମାବାସ୍ୟାରେ ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ‘ଅମୃତ ସ୍ନାନ’ କରିବେ ବୋଲି ଆଶା କରାଯାଉଥିବାରୁ ପ୍ରୟାଗରାଜରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କୋଟି କୋଟି ଲୋକଙ୍କ ସମାଗମ ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ମେଳା ଅଞ୍ଚଳକୁ ନୋ-ଭେଇକିଲ ଜୋନ୍ ଘୋଷଣା କରାଯାଇଥିଲା । ଏଆଇ ଚାଳିତ ସିସିଟିଭି କ୍ୟାମେରା ଓ ଡ୍ରୋନ୍ ବିଶାଳ ମହୋତ୍ସବ ପଡ଼ିଆ ଉପରେ ନଜର ମଧ୍ୟ ରଖିଥିଲା। ଏହାରି ଭିତରେ ଏହି ଅଘଟଣ ଘଟିଯାଇଛି।