କୋଲକାତା: ଖେଳାଳି ହୁଅନ୍ତୁ ବା ଅଭିନେତା,ଅଭିନେତ୍ରୀ ସେମାନଙ୍କ ଷ୍ଟାଇଲକୁ ଫଲୋ କରିବା ଆଜିକାଲି ଯୁବପିଢୀ ବେଶ୍ ପସନ୍ଦ କରୁଛନ୍ତି । ସାଧାରଣତଃ ଯୁବକମାନେ ହେୟାର ଷ୍ଟାଇଲକୁ ବେଶୀ ପସନ୍ଦ କରୁଛନ୍ତି । ଖାସ୍ କରି ସ୍କୁଲ ପିଲାମାନେ କ୍ରିଷ୍ଟିଆନୋ ରୋନାଲଡୋ, ଲିଓନେଲ ମେସିଙ୍କ ଭଳି ଫୁଟବଲର୍ ହୁଅନ୍ତୁ କିମ୍ବା ମହେନ୍ଦ୍ର ସିଂ ଧୋନି ଏବଂ ବିରାଟ କୋହଲିଙ୍କ ଭଳି କ୍ରିକେଟର ହୁଅନ୍ତୁ, ସେମାନଙ୍କ ଭଳି କେଶ କାଟିବା କ୍ରେଜ୍ ଦିନକୁ ଦିନ ବଢିବାରେ ଲାଗିଛି । ହେଲେ ସେଲିବ୍ରିଟିମାନଙ୍କ ପରି କେଶ କାଟିବାକୁ ଏବେ ସ୍କୁଲ ପିଲାମାନଙ୍କୁ ବାରଣ କରାଯାଇଛି । ଯଦି କେହି ଏପରି ହେୟାର ଷ୍ଟାଇଲ କରି ସ୍କୁଲ ଆସନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍କୁଲ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଏହି ଘଟଣା ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ଏକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ପ୍ରଥମେ ସ୍କୁଲର ସିନିୟର ପିଲା ଏଭଳି ଅଜବ କେଶ କାଟୁଥିବା ଦେଖିବାକୁ ମିଳୁଥିଲା । ହେଲେ ଏବେ ଜୁନିୟର ପିଲାମାନଙ୍କୁ ଏଭଳି ସେଲିବ୍ରିଟିମାନଙ୍କ ପରି କେଶ କାଟିବା ନିଶା ଘାରିଛି। ଦେଖିଲେ ଲାଗୁଛି ସତେ ଯେପରି ପିଲାମାନଙ୍କ ମଧ୍ୟରେ ଏକ ଅଜବ କେଶ କାଟିବା ପ୍ରତିଯୋଗିତା ଚାଲିଛି । ତେବେ ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ଏପରି ଅଜବ ଷ୍ଟାଇଲ କରି ସ୍କୁଲ ନ ଆସିବାକୁ ପ୍ରଥମେ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଥିଲା । ହେଲେ କୌଣସି ପିଲା ଏଥିପ୍ରତି ଗୁରୁତ୍ୱ ଦେଇ ନ ଥିଲେ । ତା’ପରେ ଏକ ନୋଟିସ ଜାରି କରାଯିବା ସହ ପିଲାମାନଙ୍କୁ ଏପରି ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତଥାପି ପିଲାମାନେ ମାନି ନ ଥିଲେ। ଏନେଇ ପ୍ରିନ୍ସିପାଲ ବାରମ୍ବାର ଅଭିଭାବକମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । ଶେଷରେ ବାଧ୍ୟ ହୋଇ ବିଦ୍ୟାଳୟ ସ୍ଥାନୀୟ ପୋଲିସର ଦ୍ୱାରସ୍ଥ ହୋଇଥିଲା ।
ନିକଟରେ ପୋଲିସ ପ୍ରଶାସନ ଏହି ପ୍ରସଙ୍ଗରେ ଜିଲ୍ଲାର ଅଭିଭାବକ ସଙ୍ଗଠନ ଓ ବାରିକ ସଂଗଠନ ସହିତ ଏକ ବୈଠକ କରିଥିଲା। ସ୍କୁଲ ପିଲାମାନଙ୍କୁ ସିମ୍ପୁଲ୍ କେଶ କାଟିବା ପାଇଁ ବାରିକ ସଙ୍ଗଠନକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ନିକଟକୁ ଆସୁଥିବା ପିଲାମାନଙ୍କର ଅଜବ ଦେଖାଯାଉଥିବା କେଶ ନ କାଟିବାକୁ ସ୍କୁଲ ପ୍ରଶାସନ ବାରିକ ସଙ୍ଗଠନଙ୍କୁ ଅନୁରୋଧ କରିଛି। ବାରିକ ସଙ୍ଗଠନ ମଧ୍ୟ ଏଥିରେ ସହମତ ହୋଇଛି। ଯଦି ପିଲାମାନେ ସେମାନଙ୍କ ପିତାମାତାଙ୍କ ସହ କେଶ କାଟିବାକୁ ଆସନ୍ତି ତେବେ ମଧ୍ୟ ପୁରୁଲିଆ ଜିଲ୍ଲାର କୌଣସି ସେଲୁନରେ ସ୍କୁଲ ପିଲାମାନଙ୍କର ଅଜବ କେଶ କଟାଯିବ ନାହିଁ। ସେମାନଙ୍କର ଅତି ସିମ୍ପୁଲ୍ କେଶ କଟା ଯିବ ବୋଲି ସଂଗଠନ ପ୍ରତିଶ୍ରୁତି ଦେଇଛି।