ମହାକାଶରେ ନାଚିଲେ, ମାର୍ଚ୍ଚ ୧୯ରେ ଫେରିବେ

ନୂଆଦିଲ୍ଲୀ : ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ପୃଥିବୀ ପୃଷ୍ଠକୁ ଓହ୍ଲାଇବେ ଦୁଇ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର। ଦୀର୍ଘ ୯ ମାସ ହେଲା ଉଭୟ ମହାକାଶରେ ଫସିଥିବାବେଳେ ସେମାନଙ୍କୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ନାସା ଓ ଏଲନ ମସ୍କଙ୍କ କମ୍ପାନୀ ସ୍ପେସ୍‌ଏକ୍ସ ଦ୍ୱାରା ମିଳିତ ଭାବେ ଲଞ୍ଚ କରାଯାଇଥିବା କ୍ରୁ-୧୦ ମିଶନ୍ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ (ଆଇଏସ୍‌ଏସ୍‌) ରେ ପହଞ୍ଚିଛି । ସଫଳ ଡକିଂ ଓ ହ୍ୟାଚ୍ ଖୋଲିଯିବା ପରେ ମିଶନ୍‌ର ମହାକାଶଚାରୀମାନେ ସୁନୀତା, ବୁଚ୍‌ଙ୍କୁ ସାକ୍ଷାତ କରିଥିଲେ । ରେସ୍କ୍ୟୁ ଟିମ୍ ପହଞ୍ଚିବା ପରେ ଆଇଏସ୍‌ଏସ୍‌ରେ ସୃଷ୍ଟି ହୋଇଥିଲା ଖୁସିର ମାହୋଲ । କାରଣ ଘରକୁ ଫେରିବା ଖୁସିରେ ସୁନୀତା ସାଥୀ ମହାକାଶଚାରୀଙ୍କ ସହ ମହାକାଶରେ ନାଚି ଉଠିଥିଲେ ଓ ମସ୍ତି କରିଥିଲେ । ସେ ଅନ୍ୟ ସାଥୀଙ୍କୁ ଦେଖି ଆଲିଙ୍ଗନ କରି ଖୁସି ପ୍ରକାଶ କରିଥିଲେ । ଏହି ଖୁସିର ମୁହୂର୍ତ୍ତର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ବୋଇଂ ଓ ନାସାର ମିଳିତ ‘କ୍ରୁ ଫ୍ଲାଇଟ୍ ଟେଷ୍ଟ ମିଶନ୍‌’ ଅନୁସାରେ ସୁନୀତା, ବୁଚ୍ ଗତବର୍ଷ ଜୁନ୍ ୫ରେ ମହାକାଶକୁ ଯାଇଥିଲେ । ସେମାନଙ୍କୁ ପ୍ରାୟ ଏକ ସପ୍ତାହ ମଧ୍ୟରେ ଫେରିବାର ଥିଲା । କିନ୍ତୁ ସେମାନଙ୍କୁ ନେଇ ଯାଇଥିବା ବୋଇଂ ଷ୍ଟାରଲାଇନର ମହାକାଶଯାନରେ ତ୍ରୁଟି ଯୋଗୁ ଦୀର୍ଘ ୯ ମାସ ହେଲା ମହାକାଶରେ ଉଭୟ ଫସି ରହିଥିଲେ । ଏହାପରେ ବାଧ୍ୟହୋଇ ନାସା ସ୍ପେସ୍‌ଏକ୍ସର ମହାକାଶଯାନରେ ସେମାନଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲା । ସେହି ମୁତାବକ, କ୍ରୁ-୧୦ର ଟିମ୍ ଶନିବାର ଭାରତୀୟ ସମୟ ଅନୁସାରେ ସକାଳ ପ୍ରାୟ ୪.୩୦ରେ ସ୍ପେସ୍‌ଏକ୍ସର ଫାଲ୍‌କନ୍ ୯ ରକେଟ୍ ଜରିଆରେ ଡ୍ରାଗନ୍ ମହାକାଶଯାନରେ ଉଡ଼ାଣ ଭରିଥିଲେ । ଫ୍ଲୋରିଡାସ୍ଥିତ କେନେଡି ସ୍ପେସ ସେଣ୍ଟରରୁ ଏହାକୁ ଲଞ୍ଚ୍ କରାଯାଇଥିଲା ।

ରବିବାର ୯.୪୦ରେ ଏହା ଡକିଂ କରିଥିବାବେଳେ ୧୧.୦୫ରେ ହ୍ୟାଚ୍ ଓପନ୍ ହୋଇଥିଲା । ଏହାପରେ କ୍ରୁ-୧୦ ମିଶନ୍‌ର ମହାକାଶଚାରୀ ନାସାର ଆନ୍ନି ମାକ୍ଲେନ୍‌, ନିକୋଲ ଆୟାର୍ସ, ଜାପାନର ତାକୁୟା ଓନିଶି, ରୁଷ୍‌ର କିରିଲ୍ ପେସ୍କୋଭ ସେଠାରେ ପୂର୍ବରୁ କାର୍ଯ୍ୟରତ ସୁନୀତା ୱିଲିୟମ୍ସ ଓ ସାଥୀଙ୍କୁ ସାକ୍ଷାତ କରିଥିଲେ । ପାଣିପାଗ ଠିକ୍ ରହିଲେ ମାର୍ଚ୍ଚ ୧୯ରେ ସେମାନେ ସ୍ପେସ୍‌ଏକ୍ସର କ୍ୟାପସୁଲ୍ ଜରିଆରେ ପୃଥିବୀକୁ ଫେରିବେ । ସମୟ ଓ ତାରିଖ ମଧ୍ୟ ନାସା ପକ୍ଷରୁ ସ୍ପଷ୍ଟ ହୋଇଛି। ପୃଥିବୀ ପୃଷ୍ଟରେ ଓହ୍ଲାଇବା ନେଇ ସ୍ପଷ୍ଟ କରିଛି ନାସା। ଆମେରିକା ସମୟ ଅନୁସାରେ ମଙ୍ଗଳବାର ସଂଧ୍ୟା ୫ଟା ୫୭। ଭାରତୀୟ ସମୟ ଅନୁସାରେ ବୁଧବାର ଭୋର ୩ଟା ୨୭ରେ ପୃଥିବୀ ପୃଷ୍ଟରେ ଧରାବତରଣ କରିବେ । ତାହା ଫ୍ଲୋରିଡା ତଟରେ ଅବତରଣ କରିପାରେ ବୋଲି ନାସା ପକ୍ଷରୁ କୁହାଯାଇଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *