ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି

ନୂଆଦିଲ୍ଲୀ: ସିରିଆରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରିଛନ୍ତି ବିଦେଶ ମନ୍ତ୍ରଣାଳୟ । ତୁରନ୍ତ ସିରିଆ ଛାଡିବା ସହ ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ଯାଏ ସିରିଆ ନଯିବାକୁ ନିର୍ଦ୍ଦେଶ ହୋଇଛି । ଏହା ସହିତ ସିରିଆରୁ ଯେଉଁମାନେ ଆସିପାରୁ ନାହାନ୍ତି ସେମାନେ ଭାରତୀୟ ଦୂତବାସ ସହ ସମ୍ପର୍କ କରନ୍ତୁ । ସିରିଆରେ ଲାଗି ଥିବା ଗୃହଯୁଦ୍ଧକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶନାମା ଜାରି କରିଛି ବିଦେଶ ମନ୍ତ୍ରଣାଳୟ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସିରିଆରେ ଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି। ଏଥିସହ ସେଠାକୁ ଏବେ ନ ଯିବାକୁ ମଧ୍ୟ ପରାମର୍ଶ ଦେଇଛି ବିଭାଗ ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛି, “ସିରିଆର ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକମାନଙ୍କୁ ଏନେଇ ଅଧିକ ସୂଚନା ନ ଦିଆଯିବା ପର୍ଯ୍ୟନ୍ତ ସିରିଆ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଉଛି। ଏଥିସହ ସିରିଆରେ ରହୁଥିବା ଭାରତୀୟମାନଙ୍କୁ ତୁରନ୍ତ ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଉଛି। ଜରୁରୀକାଳୀନ ହେଲ୍ପଲାଇନ ନମ୍ବର +୯୬୩୯୯୩୮୫୭୯୩ରେ ଆପଣ କଲ୍ କିମ୍ବା ହ୍ଵାଟସଆପରେ ମଧ୍ୟ ଯୋଗାଯୋଗ କରିପାରିବେ । ଏଥିସହ ଆପଣ hoc.damascus@mea.gov.in କୁ ମଧ୍ୟ ଇମେଲ୍ କରିପାରିବେ । ଯେଉଁମାନେ ବର୍ତ୍ତମାନ ସିରିଆରେ ଅଛନ୍ତି ସେମାନେ ଯଥାଶୀଘ୍ର ସେଠାରୁ ଫେରିବାକୁ ଚେଷ୍ଟା କରିନ୍ତୁ ଏବଂ ସେମାନଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହୁଅନ୍ତୁ |

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ସିରିଆରେ ଇସଲାମବାଦୀ ନେତୃତ୍ୱାଧୀନ ବିଦ୍ରୋହୀମାନଙ୍କ ଉପରେ ଏବଂ ସେଠାକାର ପରିସ୍ଥିତି ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି । ଦେଶର ବୃହତ୍ତମ ସହର ଆଲେପ୍ପୋର ଅଧିକାଂଶ ଅଞ୍ଚଳ ଏବେ ଦଖଲ କରିଛନ୍ତି ବିଦ୍ରୋହୀ । ଏଥିସହ ମଧ୍ୟ ସିରିଆର ହୋମ୍ସ ସହରର ମଧ୍ୟ ଅଧିକାଂଶ ଅଞ୍ଚଳକୁ ଦଖଲ କରିଛନ୍ତି। ଯେଉଁଥିପାଇଁ ହଜାର ହଜାର ଲୋକଙ୍କୁ ନିଜ ଘର ଛାଡିବାକୁ ପଡିଛି । ସିରିଆରେ ପ୍ରାୟ ୯୦ ଜଣ ଭାରତୀୟ ନାଗରିକ ଅଛନ୍ତି, ସେମାନଙ୍କ ମଧ୍ୟରୁ ୧୪ ଜଣ ଜାତିସଂଘର ବିଭିନ୍ନ ସଂଗଠନ ପାଇଁ କାର୍ଯ୍ୟ କରୁଛନ୍ତି। ଆମର ମିଶନ ଆମର ନାଗରିକମାନଙ୍କ ସୁରକ୍ଷା ପାଇଁ ନିରନ୍ତର ଯୋଗାଯୋଗରେ ଅଛି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧିର ଜୟସୱାଲ

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *