କ୍ଲାସରୁମ୍‌ରେ ବିବାହ କଲେ ଅଧ୍ୟାପିକା, ତଦନ୍ତ ଆରମ୍ଭ

କୋଲକାତା: କ୍ଲାସରୁମ୍‌ରେ ଛାତ୍ରଙ୍କୁ ବିବାହ କଲେ ଅଧ୍ୟାପିକା । ଏହା ଶୁଣିବା ପରେ ଟିକେ ଖଟ୍‌କା ଲାଗିପାରେ । ହେଲେ ପଶ୍ଚିମବଙ୍ଗରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏମିତି କି ଭିଡିଓରେ ‘ହଳଦୀ’ ଏବଂ ମାଳା ଆଦାନପ୍ରଦାନ ଭଳି ବିବାହ ରୀତିନୀତି ନଜର ଆସିଛି । ଏହି ଘଟଣାକୁ ଲୋକେ ନିନ୍ଦା କରିଛନ୍ତି ।

କୋଲକାତାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଥିବା ନାଦିଆର ହରିଙ୍ଗଘାଟ୍ ଟେକ୍ନୋଲୋଜି କଲେଜରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଏହି କଲେଜର ମନସ୍ତତ୍ତ୍ୱ ବିଭାଗରେ ଏପରି ଘଟିଛି। କଲେଜର ପାୟଲ୍ ବାନାର୍ଜୀ ନାମକ ଅଧ୍ୟାପିକା ଜଣେ ଛାତ୍ରଙ୍କୁ ବିବାହ କରୁଛନ୍ତି । ତାହାପୁଣି ହିନ୍ଦୁ ବିବାହ ରୀତିନୀତି ଅନୁସାରେ । ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଅଧ୍ୟାପିକା ପାୟଲ୍ ବାନାର୍ଜୀ କନ୍ୟା ବେଶରେ ମାଳା ପିନ୍ଧିଛନ୍ତିି। ଛାତ୍ର ଓ ଅଧ୍ୟାପିକା ଦୁଇଜଣ ମାଳ ଆଦାନପ୍ରଦାନ କରି ପବିତ୍ର ଅଗ୍ନିକୁ ସାକ୍ଷୀ ରଖି ମହମବତୀ ଚାରିପାଖରେ ବୁଲି ସାତ ବଚନ ଦେଉଛନ୍ତି। ଛାତ୍ର ଜଣକ ଅଧ୍ୟାପିକାଙ୍କୁ ସିନ୍ଦୂର ଲଗାଇବା ସହ ତାଙ୍କୁ ଗୋଲାପ ପ୍ରଦାନ କରୁଛନ୍ତି । ଉଭୟଙ୍କ ଦସ୍ତଖତ ସହିତ ବିଶ୍ୱବିଦ୍ୟାଳୟ ଲେଟରହେଡ୍ ମଧ୍ୟ ଭାଇରାଲ ହୋଇଛି, ଯେଉଁଥିରେ ପରସ୍ପରକୁ ନିଜ ଜୀବନସାଥୀ ଭାବରେ ଗ୍ରହଣ କରାଯାଇଛି। ଏଥିରେ ଉଭୟ ପକ୍ଷର ତିନି ଜଣ ସାକ୍ଷୀଙ୍କ ଦସ୍ତଖତ ମଧ୍ୟ ରହିଛି।

ବର୍ଷ ବର୍ଷ ଧରି ମନସ୍ତତ୍ତ୍ୱ ପଢ଼ାଉଥିବା ଅଧ୍ୟାପିକା ପାୟଲ ଦାବି କରିଛନ୍ତି ଯେ, ଏହା ପ୍ରକୃତ ବିବାହ ନୁହେଁ । ଏହି କାର୍ଯ୍ୟ ଏକ “ମନୋବିଜ୍ଞାନ ନାଟକ”ର ଅଂଶ ଥିଲା। ଛାତ୍ରମାନଙ୍କୁ ଭଲ ଭାବେ ବୁଝାଇବା ପାଇଁ ସେ ଏହି ପଦ୍ଧତି ଆପଣେଇଥିଲେ। ଏହା ଏକ ଶିକ୍ଷାଗତ କାର୍ଯ୍ୟର ଅଂଶ ବୋଲି କହି ସେ ସଫେଇ ଦେଇଛନ୍ତି। ତେବେ ଏହି ମାମଲାର ତଦନ୍ତ କରିବା ପାଇଁ ଏବେ ଅଭିଯୁକ୍ତ ଅଧ୍ୟାପିକାଙ୍କୁ ଛୁଟି ପ୍ରଦାନ କରାଯାଇଛି। କଲେଜ କର୍ତ୍ତୃପକ୍ଷ ଏକ ତିନି ସଦସ୍ୟ ବିଶିଷ୍ଟ ପ୍ୟାନେଲ ଗଠନ କରିଛନ୍ତି। ଉପଯୁକ୍ତ ତଦନ୍ତ ବିନା ଆମେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନେଇପାରିବୁ ନାହିଁ ବୋଲି ଅଧିକାରୀ କହିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *