କଟକ : ବଢିଲା ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ । ଆଉ ଅଧ ଘଣ୍ଟା ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ ବୃଦ୍ଧି କରାଯାଇଛି। ରାତି ୧୦ଟା ପରିବର୍ତ୍ତେ ସାଢେ ୧୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଗତ ଦୁଇ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମରେ ଉପୁଜିଥିବା ବିଭ୍ରାଟକୁ ନେଇ ଯେପରି ଆଉ ବାଧା ନ ଉପୁଜିବେ ସେ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲାପାଳ ଓ ପୋଲିସ କମିଶନରଙ୍କ ସହ ଆଲୋଚନା କରିଥିଲେ। ତଦନୁଯାୟୀ କଟକ ଜିଲ୍ଲାପାଳ ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ଆଉ ଅଧ ଘଣ୍ଟା ଅଧିକ ସମୟ ବଢାଇବାକୁ ଅନୁମତି ପ୍ରଦାନ କରିଛନ୍ତି। ଏନେଇ ଜିଲାପାଳ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ କହିଛନ୍ତି ।
ଗତ ୧୫ ତାରିଖରୁ ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା । ବୈଷ୍ଣବ ପାଣି ମଞ୍ଚର ପ୍ରଥମ ସନ୍ଧ୍ୟାରେ ଭଜନ ବାଦ୍ଶାହା ପଦ୍ମଶ୍ରୀ ଅନୁପ ଜଲୋଟା ଯୋଗ ଦେବା ଜାଣି ସନ୍ଧ୍ୟାରୁ ଲୋକଙ୍କ ଭିଡ଼ ଜମିଥିଲା । ଲୋକେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ । ଅନେକ ସମୟର ଅପେକ୍ଷା ପରେ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ମଞ୍ଚକୁ ଆସିଲେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ପଦ୍ମଶ୍ରୀ ଅନୁପ ଜଲୋଟା । ମୋଟ ୫ଟି ଭଜନ ଗାଇଥିଲେ ସେ । ହେଲେ କଟକଣା ନିୟମ ଅନୁଯାୟୀ ପୋଲିସ ବାଧ୍ୟ ହୋଇ କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କରିଦେଲା । ଶେଷରେ ଅନୁପ ମଞ୍ଚରୁ ଓହ୍ଲାଇଯାଇଥିଲେ ।
ସେହିପରି ଦ୍ୱିତୀୟ ସନ୍ଧ୍ୟାରେ ମଧ୍ୟ ଏହି ବିଭ୍ରାଟ ଦେଖାଦେଇଥିଲା । ବାଲିଯାତ୍ରା ବୈଷ୍ଣବ ପାଣି ମଞ୍ଚରେ ଅସୀମା ପଣ୍ଡାଙ୍କର କାର୍ଯ୍ୟକ୍ରମ ଥିଲା । ଅସୀମା ପଣ୍ଡାଙ୍କର ଏକ ଘଣ୍ଟାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଡେରିରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ରାତି ୧୦ଟା ସୁଦ୍ଧା କାର୍ଯ୍ୟକ୍ରମ ବନ୍ଦ କରିବାକୁ ନିର୍ଦ୍ଦେଶ ଥିବାରୁ କମିଶନରେଟ୍ ପୋଲିସ ପହଂଚି ସାଉଣ୍ଡ ବକ୍ସ ବନ୍ଦ୍ କରିବା ସହ ଅସୀମାଙ୍କୁ ମଞ୍ଚରୁ ଓହ୍ଲାଇଦେଇଥିଲା । ଗତ ଦୁଇଦିନ ଧରି ଦେଖାଦେଇଥିବା ତ୍ରୁଟିକୁ ନଜରରେ ରଖି ଆଉ ଅଧଘଣ୍ଟା ସମୟ ବୃଦ୍ଧି କରାଯାଇଛି ।