ଭୁବନେଶ୍ୱର : ଜିନ୍ନତ ପାଇଁ ଖର୍ଚ୍ଚ ହେଲା ୬୦ ଲକ୍ଷ । ଶିମିଳିପାଳରୁ ଚମ୍ପଟ୍ ମାରିଥିବା ବାଘୁଣୀ ‘ଜିନ୍ନତ୍’କୁ ଫେରାଇ ଆଣିବାକୁ ପାଖାପାଖି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ପଶ୍ଚିମବଙ୍ଗ ସରକାର ସବୁଠାରୁ ଅଧିକ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଓଡ଼ିଶା ସରକାର ପ୍ରାୟ ୨୦ ଲକ୍ଷ ଓ ଝାଡ଼ଖଣ୍ଡ ସରକାର ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। କିନ୍ତୁ ମହାରାଷ୍ଟ୍ରରୁ ଜିନ୍ନତକୁ ଶିମିଳିପାଳ ଆଣିବାରେ ବ୍ୟୟ ହୋଇଥିଲା ମାତ୍ର ୭ ଲକ୍ଷ ।
ଓଡ଼ିଶା ଛାଡ଼ି ପ୍ରଥମେ ଝାଡ଼ଖଣ୍ଡ ଓ ପରେ ପଶ୍ଚିମବଙ୍ଗ ପଳାଇଥିବା ମହାବଳ ବାଘୁଣୀ ଜିନ୍ନତ ଶିମିଳିପାଳ ଫେରିଛି। ଯମୁନା ରହୁଥିବା ଏନ୍କ୍ଲୋଜର ମଧ୍ୟରେ ବନ ବିଭାଗ କର୍ମଚାରୀମାନେ ତାକୁ ଛାଡ଼ିଛନ୍ତି। ଦ୍ୱିତୀୟ ଥର ଶିମିଳିପାଳରେ ପହଞ୍ଚିବା ପରେ ସେ ସୁସ୍ଥ ଓ ସକ୍ରିୟ ଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡ.ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି। ତେବେ ଏନ୍କ୍ଲୋଜରରେ ରଖାଯିବା ପରେ ଜିନ୍ନତର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ ସମେତ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଅଧିକାରୀମାନେ ସମୀକ୍ଷା କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ମିଳିଛି।
ତେବେ ଜିନ୍ନତକୁ ଓଡ଼ିଶା ଫେରାଇଆଣିବା ପାଇଁ ବନ ବିଭାଗ ପକ୍ଷରୁ ପାଣି ଭଳି ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିପାଇଁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ପଶ୍ଚିମବଙ୍ଗରେ ରହିବା ଏବଂ ଟ୍ରାଙ୍କୁଲାଇଜ୍ କରି ସ୍ଥାନାନ୍ତର କରିବା କାର୍ଯ୍ୟରେ ୧୭୦ରୁ ଅଧିକ ବନ କର୍ମଚାରୀ ସାମିଲ ହୋଇଥିଲେ। ବାଘୁଣୀକୁ ପରିବହନ କାର୍ଯ୍ୟରେ ସ୍ଥାନୀୟ ଶ୍ରମିକ ମଧ୍ୟ ନିୟୋଜିତ ହୋଇଥିଲେ। ରାତ୍ରି ପାଟ୍ରୋଲିଂ, ଟ୍ରାଙ୍କୁଲାଇଜ ସମୟରେ ବ୍ୟବହୃତ ଲାଇଟ, ଟ୍ରାଙ୍କୁଲାଇଜ ସ୍ଥଳରୁ ଚିଡ଼ିଆଖାନାକୁ ପରିବହନ, ଜାଲ କିଣିବା, କର୍ମଚାରୀଙ୍କୁ ଖାଦ୍ୟ ପାନୀୟ ବାବଦ, ତିନୋଟି ଆର୍ଥ ମୁର୍ଭ ମେଶିନ ବ୍ୟବହାର ବାବଦରେ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟରେ ୨୨ଦିନ ଧରି ବୁଲୁଥିବା ବାଘୁଣୀ ଜିନ୍ନତକୁ ବନ ବିଭାଗ ଟ୍ରାଙ୍କୁଲାଇଜ୍ କରିଥିଲା। ‘ଜିନ୍ନତ୍’ ଚମ୍ପଟ୍ ହେବାଠାରୁ ହିଁ ବନ ବିଭାଗର ୧୫ ଜଣିଆ ଦଳ ତାହାର ପିଛା କରିଥିଲା।