ନୂଆଦିଲ୍ଲୀ: ବାହାଘର ପ୍ରୋସେସନ ବେଳେ ଘଟିଛି ଅଘଟଣ । କାର ସନରୁଫ ବାଟେ ଫାୟାର ଗନରେ ଆତଶବାଜି କରୁଥିବା ବେଳେ ହୁତୁହୁତୁ ହୋଇ ଜଳିଗଲା ବରର କାର୍। ଭୟରେ କାର ଭିତରୁ ବାହାରି ଦୌଡ଼ିଛନ୍ତି । ଉତ୍ତରପ୍ରଦେଶର ଶହାରନପୁରରେ ଏହି ଅଭାବନୀୟ ଘଟଣା ଘଟିଯାଇଛି। ଏହି ଘଟଣାକୁ ନେଇ ବର ପ୍ରୋସେସନରେ ଉତ୍ତଜନାମୂଳକ ପରିସ୍ଥିତି ଉପୁଜିଥିଲା । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଶହାରନପୁରରେ ଏକ ବାହାଘର ପ୍ରୋସେସନ ଯାଉଥିଲା । ବାଜାବାଣ ରେ କମ୍ପୁଥିଲା ରାସ୍ତା । ବାଣ ଫୁଟାଇବା ସମୟରେ ହଠାତ୍ ଏକ ବାଣ ବରର କାର ସନରୁଫ ପଟେ ପଶିଯାଇଥିଲା । ଫଳରେ କାରଟି ହୁତୁହୁତୁ ହୋଇ ଜଳିଯାଇଥିଲା । ହେଲେ କାର ଖୋଲି ବର ଦୌଡ଼ି ପଳାଇଥିଲେ । ସେଠାରେ ଉପସ୍ଥିତ ବରଯାତ୍ରୀ ଭୟଭୀତ ହୋଇପଡ଼ିବା ସହ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । କିଛି ସମୟ ପରେ ନିଆଁକୁ ମଧ୍ୟ ଆୟତ୍ତ କରାଯାଇଥିଲା । ତେବେ କାରରେ ନିଆଁ ଲାଗିବା କାରଣରୁ କାରଟି ପୁରା କ୍ଷତିଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ କେହି ଗୁରୁତର ହୋଇନାହାନ୍ତି । ତେବେ ଗନ୍ଦେବଡାରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଗ୍ରାମବାସୀ ସୁରକ୍ଷାକୁ ନେଇ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । କିଛି ସମୟ ପରେ ବର ଆଉ ଏକ ଗାଡିରେ କନ୍ୟା ଘରକୁ ଯାଇ ବିବାହ କରିଥିବା ଜଣାପଡିଛି ।