ଲକ୍ଷେ୍ନୗ: ମାତ୍ର ୫ ମିନିଟ୍ ସ୍କୁଲ ଆସିବାରେ ବିଳମ୍ବ ହେବାରୁ କ୍ଲର୍କଙ୍କୁ ଜୋତାରେ ପିଟିଲେ ପ୍ରିନ୍ସିପାଲ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ପ୍ରିନ୍ସିପାଲଙ୍କ ଏପରି ଆଚରଣଙ୍କୁ ସାଧାରଣରେ ନିନ୍ଦା କରାଯିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ହାଥରସ୍ ଜିଲ୍ଲା ମୁରସାନ୍ କୋଟୱାଲୀ ଅଞ୍ଚଳରେ ଥିବା ଜିଏସ୍ ସ୍କୁଲରେ ।
ମୁରସାନ୍ କୋଟୱାଲୀ ଅଞ୍ଚଳରେ ଅବସ୍ଥିତ ଜିଏସ୍ ସ୍କୁଲରେ ନୈନ କମଲ ଅଗ୍ରୱାଲଙ୍କୁ କ୍ଳର୍କ ଭାବରେ ପୋଷ୍ଟିଂ କରାଯାଇଛି। ଯେତେବେଳେ କ୍ଲର୍କ କମଲ ୫ ମିନିଟ ବିଳମ୍ବରେ ବିଦ୍ୟାଳୟରେ ପହଞ୍ଚିଥିଲେ, ସ୍କୁଲ ପ୍ରିନ୍ସପାଲ କୈଲାଶ ଚାନ୍ଦ ତାଙ୍କୁ ଉପସ୍ଥାନ ରେଜିଷ୍ଟରରେ ଅନୁପସ୍ଥିତ କରିଥିଲେ। ରେଜିଷ୍ଟରରେ ଦସ୍ତଖତ କରିବା ପାଇଁ କ୍ଲର୍କ ପ୍ରିନ୍ସିପାଲଙ୍କ ସମ୍ମୁଖରେ ଠିଆ ହୋଇ ରହିଥିଲେ । ହେଲେ ପ୍ରିନ୍ସିପାଲ ଦସ୍ତଖତ କରିବାକୁ ଦେଇ ନ ଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେବା ସହ ମାରପିଟ୍ ହୋଇଥିଲା,ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଉପସ୍ଥାନ ରେଜିଷ୍ଟରରେ ଦସ୍ତଖତକୁ ନେଇ ପ୍ରିନ୍ସିପଲ ଏବଂ କ୍ଳର୍କଙ୍କ ମଧ୍ୟରେ କଥା କଟାକଟି ହେଉଛି । ଏହାପରେ ପ୍ରିନ୍ସିପଲ କ୍ରୋଧରେ କ୍ଲର୍କଙ୍କୁ ଜୋତାରେ ପିଟିବା ଆରମ୍ଭ କଲିଥିଲେ। କ୍ଲର୍କଙ୍କୁ ବିଧା ଗୋଇଠା ମଧ୍ୟ ମାରିଥିଲେ । ଦୁହିଁଙ୍କ ମଧ୍ୟରେ ଏପରି ଝଗଡା ଦେଖି ବିଦ୍ୟାଳୟର ଅନ୍ୟ କର୍ମଚାରୀମାନେ ମଧ୍ୟ ସେଠାରେ ପହଞ୍ଚି ଦୁହିଁଙ୍କୁ ଶାନ୍ତ କରିବାକୁ ଉଦ୍ୟମ କରୁଛନ୍ତି । ଏହି ଘଟଣାଟି ବିଦ୍ୟାଳୟରେ ସ୍ଥାପିତ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ସ୍କୁଲ ପ୍ରିନ୍ସିପଲଙ୍କ ସହ ତାଙ୍କର ପୂର୍ବରୁ ମଧ୍ୟ ବିବାଦ ରହିଥିବା ଜଣାଯାଇଛି ।