ହାଇଦ୍ରାବାଦ: ପ୍ରତ୍ୟେକ ଲୋକଙ୍କର ସଉକ ଭିନ୍ନ ଭିନ୍ନ ହୋଇଥାଏ । କିଏ ଡ଼୍ୟାନ୍ସ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଗୀତ ଗାଇବାକୁ । ଆଉ କିଏ ଗପ ବହି ପଢିବାକୁ ଭଲ ପାଆନ୍ତି ତ କିଏ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଭଲ ପାଆନ୍ତି । କିନ୍ତୁ ଏମିତି କିଛି ବ୍ୟକ୍ତି ଅଛନ୍ତି ଯିଏ କି ସୁନା ଅଳଙ୍କାର ପିନ୍ଧିବା ବା ସଜ୍ଜେଇ ହେବାକୁ ରୁଚି ରଖିଥାନ୍ତି । ନୂଆବର୍ଷରେ ତିରୁମାଲା ମନ୍ଦିରରେ ଏପରି ଦୁଇଜଣ ବ୍ୟକ୍ତି ନଜର ଆସିଥିଲେ, ଯିଏକି ବେକରେ ସାପ ଗୁରାଇଲା ଭଳି ସୁନା ହାର ପକାଇଥିଲେ । ଉକ୍ତ ଦୁଇ ବ୍ୟକ୍ତିଙ୍କ ବେକରେ ଏତେ ସୁନା ଦେଖି ମନ୍ଦିରକୁ ଆସିଥିବା ଶ୍ରଦ୍ଧାଳୁମାନେ ଜଳକା ହୋଇଯାଇଥିଲେ । ଏହି ଦୁଇ ବ୍ୟକ୍ତି ପାଲଟି ଯାଇଥିଲେ ମନ୍ଦିରର ମୁଖ୍ୟ ଆକର୍ଷଣ । ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ଏମିତି କି ଅନେକ ମଧ୍ୟ ତାଙ୍କ ସହ ନେଇଥିଲେ ସେଲଫି ।
ନୂଆବର୍ଷ ପାଇଁ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଳା ମନ୍ଦିରରେ ପ୍ରବଳ ଭିଡ଼ ହୋଇଥିଲା । ଏହି ଭିଡ଼ରେ ଜଣେ ନିଆରା ଲୋକ ନଜର ଆସିଥିଲେ, ଯିଏ କି ବେକରେ ମୋଟା ମୋଟା ଚେନ ସହ ହାତରେ ମୁଦି ଓ ଖଡୁ ପିନ୍ଧିଥିଲେ । ସେ ଥିଲେ ତେଲେଙ୍ଗାନା ଅଲିମ୍ପିକ୍ ଆସୋସିଏସନର ଯୁଗ୍ମ ସଚିବ କୋଣ୍ଡା ବିଜୟକୁମାର । ସେ ୫ କିଲୋଗ୍ରାମ ସୁନା ଅଳଙ୍କାରରେ ସଜ୍ଜିତ ହୋଇଥିଲେ, ଯାହାର ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ । ତାଙ୍କୁ ଯିଏ ଦେଖୁଥିଲେ ଆଚମ୍ବିତ ହୋଇଯାଉଥିଲେ । ଏମିତି କି ଲୋକଙ୍କର ମଧ୍ୟ ସନ୍ଦେହ ହେଉଥିଲା ଏହା ଅସଲି ନା ନକଲି । ବିଜୟ କୁମାର କହିଛନ୍ତି ଯେ, ତାଙ୍କର ସୁନାପ୍ରତି ଦୁର୍ବଳତା ବହୁତ । ସେଥିଲାଗି ସେ ସୁନା ଅଳଙ୍କାର ପିନ୍ଧିବାକୁ ଭଲ ପାଆନ୍ତି ।
ସେହିପରି ଆଉ ଜଣେ ବେଙ୍ଗାଲୁରୁର ବ୍ୟବସାୟୀ ରବି କୁମାର ଦକ୍ଷିଣ ଭାରତର ପ୍ରସିଦ୍ଧ ତିରୁମାଳା ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କ ମନ୍ଦିରକୁ ସୁନାରେ ସଜ୍ଜିତ ହୋଇ ଆସିଥିଲେ । ରବି କୁମାର ନୂଆବର୍ଷ ଅବସରରେ ଶ୍ରୀଭାରୀ ସେବାରେ ଭାଗ ନେଇଥିଲେ । ତାଙ୍କ ବେକରେ ଥିଲା ପ୍ରାୟ ୮-୧୦ ସୁନାର ଚେନ୍ । ଏହି ସୁନା ଅଳଙ୍କାର ଓଜନ ୫ କିଲୋରୁ ଅଧିକ ହେବ । ସେହି ଚେନରେ ଭିତରେ ଗୋଟିଏ ଲକେଟ ଭେଙ୍କେଟେଶ୍ୱର ସ୍ୱାମୀଙ୍କର ଥିବା ବେଳେ ଆଉ ଗୋଟିଏ ଥିଲା ତାଙ୍କ ମାଆଙ୍କ ଫଟୋ ଥିବା ଲକେଟ ।