ଭୁବନେଶ୍ୱର : ଷ୍ଟେସନରେ ବସିଲେ ଯାତ୍ରୀଙ୍କୁ ଦେବାକୁ ପଡ଼ିବ ଚାର୍ଜ । ଘଣ୍ଟାଏ ବସିଲେ ଦେବାକୁ ପଡୁଛି ୧୨ଟଙ୍କା । ଆଉ ଛୋଟ ପିଲାଙ୍କ ପାଇଁ ଏହା ଘଣ୍ଟାକୁ ୫ ଟଙ୍କା । ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଏଭଳି ଅଜବ ନିୟମ କରାଯାଇଛି, ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଖୋର୍ଦ୍ଧା ରୋଡ ଷ୍ଟେସନ ବହୁ ପୁରାତନ ଷ୍ଟେସନ ଭାବରେ ବେଶ ଜଣାଶୁଣା । ଭାରତର ପ୍ରାୟ ସମସ୍ତ ସ୍ଥାନକୁ ଏହି ଷ୍ଟେସନ ଦେଇ ଟ୍ରେନ ଯାତୟାତ କରିଥାଏ। ଯାତାୟାତ ସମୟରେ ଯାତ୍ରୀମାନଙ୍କୁ ଷ୍ଟେସନରେ ଘଣ୍ଟା ଘଣ୍ଟା ଧରି ଟ୍ରେନକୁ ଅପେକ୍ଷା କରିବାକୁ ପଡ଼ିଥାଏ । କିନ୍ତୁ ଖୋର୍ଦ୍ଧା ଷ୍ଟେସନରେ ଟ୍ରେନକୁ ଷ୍ଟେସନରେ ଅପେକ୍ଷା କରିବାକୁ ଅତିରିକ୍ତ ମୂଲ୍ୟ ଦେବାକୁ ପଡ଼ୁଛି । ବଡ଼ ଲୋକଙ୍କ ପାଇଁ ଏହି ନିର୍ଦ୍ଧାରିତ ମୂଲ୍ୟ ଘଣ୍ଟା ପ୍ରତି ୧୦ରୁ ୧୨ଟଙ୍କା ରହିଥିବା ବେଳେ ଛୋଟ ପିଲାଙ୍କ ପାଇଁ ଏହି ମୂଲ୍ୟ ୫ ଟଙ୍କା ରହିଛି । ଫଳରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଟ୍ରେନ ବିଳମ୍ବରେ ରେଳ ବିଭାଗ ଦାୟୀ ରହୁଛି । ତେବେ ଯାତ୍ରୀଙ୍କୁ କାହିଁକି ଏହାର ଅତିରିକ୍ତ ମୂଲ୍ୟ ଦେବାକୁ ପଡୁଛି ତାର କାରଣ ଜଣାପଡ଼ିନାହିଁ । ଏନେଇ ରେଳ ବିଭାଗର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଯାତ୍ରୀଙ୍କ ପାଇଁ ମୁକ୍ତ ପ୍ରତୀକ୍ଷାଳୟ ବନାଇବା ପରିବର୍ତ୍ତେ ଷ୍ଟେସନରେ ପ୍ରତୀକ୍ଷା ପାଇଁ ଅତିରିକ୍ତ ମୂଲ୍ୟ ଦେବା ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ଯାତ୍ରୀ । ଆଗକୁ କାଳେ ଷ୍ଟେସନରେ ଅଲଗା ସୁବିଧା ପାଇଁ ରେଳ ବିଭାଗ ଅତିରିକ୍ତ ମୂଲ୍ୟ ନ ଲଗାଇଦେବ ତାହା ଉପରେ ମଧ୍ୟ କିଛି ଭରସା କରାଯାଇପାରୁନି । ତୁରନ୍ତ ଏହି ନିୟମ ପ୍ରତ୍ୟାବର୍ତ୍ତନ କରିବାକୁ ସାଧାରଣରେ ଦାବି ହୋଇଛି ।