ଭୁବନେଶ୍ୱର: ଆଗକୁ ଆସୁଛି ରଙ୍ଗର ପର୍ବ ହୋଲି । ହିନ୍ଦୁ ଧର୍ମରେ ଏହି ଦିନର ବିଶେଷ ମହତ୍ତ୍ୱ ରହିଛି। ଏହିଦିନ ଲୋକମାନେ ଏକତ୍ର ହୋଇ ରଙ୍ଗ ଖେଳନ୍ତି ଏବଂ ଆନନ୍ଦ ଲାଭ କରନ୍ତି। ବହୁ ପୂର୍ବରୁ ହୋଲି କେବଳ ହିନ୍ଦୁ ଧର୍ମର ଏକ ପର୍ବ ଥିଲା କିନ୍ତୁ ବର୍ତ୍ତମାନ ଏହା ସମଗ୍ର ବିଶ୍ୱରେ ଏକ ପର୍ବ ପରି ପାଳନ କରାଯାଉଛି। ଏଥିଲାଗି ଏବେଠୁ ବିଭିନ୍ନ ଦୋକାନରେ ରଙ୍ଗ ବିକ୍ରି ଆରମ୍ଭ ହୋଇଗଲାଣି । ହେଲେ ଚଳିତ ଥର ଫିକା ପଡ଼ିବ ହୋଲି ପର୍ବ । କାରଣ ଏହିଦିନ ଚନ୍ଦ୍ରଗ୍ରହଣ ପଡୁଛି। ଏହା ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ।
ମାର୍ଚ୍ଚ ୧୪ ତାରିଖରେ ହୋଲି ପର୍ବ ପାଳନ କରାଯିବ। ହୋଲି ଫାଲଗୁନ ମାସର ପୂର୍ଣ୍ଣିମା ତିଥିରେ ପାଲନ କରାଯାଇଥାଏ। ତେବେ ଏଥର ପୂର୍ଣ୍ଣିମା ତିଥିର ଆରମ୍ଭ ୧୩ ମାର୍ଚ୍ଚ ସକାଳ ୧୦ଟା ୩୫ ମିନିଟରେ ହେବ।୧୪ ମାର୍ଚ୍ଚ ଦ୍ୱିପ୍ରହର ୧୨ଟା ୨୩ ମିନିଟରେ ପୂର୍ଣ୍ଣିମା ତିଥିର ଶେଷ ହେବ। ହୋଲିକା ଦହନ ୧୩ ମାର୍ଚ୍ଚରେ କରାଯିବ। କାରଣ ହୋଲି ଦିନ ଚନ୍ଦ୍ରଗ୍ରହଣ ରହିବ। ୧୪ ମାର୍ଚ୍ଚ ସକାଳ ୯ଟା ୨୯ ମିନିଟରୁ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ଯାହା ଦ୍ୱିପ୍ରହର ୩ଟା ୨୯ ମିନିଟ ପର୍ଯ୍ୟନ୍ତ ରହିବ।
ହିନ୍ଦୁ ଧର୍ମରେ ଚନ୍ଦ୍ର ଗ୍ରହଣକୁ ଅଶୁଭ ସମୟ କୁହାଯାଇଥାଏ, ଏହି ସମୟରେ କୌଣସି ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟ କରାଯାଇ ନ ଥାଏ । ଚନ୍ଦ୍ରଗ୍ରହଣ ସମୟରେ ଲୋକେ ଘରେ ରୋଷେଇ କରନ୍ତି ନାହିଁ । କାରଣ ଗ୍ରହଣ ସମୟରେ ରୋଷେଇ ଏବଂ ଖାଦ୍ୟ ଖାଇବା ନିଷେଧ। ଏହି ସମୟରେ ଘରୁ ବାହାରନ୍ତୁ ନାହିଁ। ଖାସକରି ଗର୍ଭବତୀ ମହିଳା ଘରୁ ନ ବାହାରିବା ଭଲ । ଖାସ୍କରି ଚନ୍ଦ୍ରଗ୍ରହଣ ସମୟରେ ମନ୍ଦିରରେ ପୂଜାର୍ଚ୍ଚନା କିମ୍ବା ଘରର ଠାକୁରଙ୍କୁ ସ୍ପର୍ଶ କରାଯାଇ ନ ଥାଏ । ଏମିତି କି ଚନ୍ଦ୍ରଗ୍ରହଣ ସମୟରେ ଶୋଇଲେ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ।