ମନ୍ଦିର ନିର୍ମାଣରେ ଲାଗିଥିଲା ୧୫୦ ବର୍ଷ

ଏଲୋରାର କୈଳାସ ମନ୍ଦିର ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାର ପ୍ରସିଦ୍ଧ ‘ଏଲୋରା ଗୁମ୍ଫା’ରେ ଅବସ୍ଥିତ। ଏହି ମନ୍ଦିରଟି ଗୋଟିଏ ପଥରରେ ତିଆରି ହୋଇଛି । ଆଉ ଏଠାରେ ପୂଜା ପାଉଥିବା ଶିବଙ୍କ ପ୍ରତିମା ବହୁତ ବଡ଼ । ଏଥିଲାଗି ଏହା ସାରା ବିଶ୍ୱରେ ପ୍ରସିଦ୍ଧ। ଏହି ମନ୍ଦିର ନିର୍ମାଣ କରିବାକୁ ପ୍ରାୟ ୧୫୦ ବର୍ଷ ଲାଗିଥିଲା ଏବଂ ପ୍ରାୟ ୭୦୦୦ ଶ୍ରମିକ ଏଥିରେ ନିରନ୍ତର କାମ କରିଥିଲେ। ଏହି ମନ୍ଦିରଟି ଏଲୋରାର ୧୬ ନମ୍ବର ଗୁମ୍ଫାରେ ରହିଛି । ଏହି ମନ୍ଦିରରେ କୈଳାସ ପର୍ବତର ଏକ ପ୍ରତିକୃତି ନିର୍ମାଣ କରାଯାଇଛି।

ଏଲୋରାରେ ତିନି ପ୍ରକାରର ଗୁମ୍ଫା ଅଛି-
ମହାୟାନ ବୌଦ୍ଧ ଗୁମ୍ଫା
ପ୍ରାଚୀନ ହିନ୍ଦୁ ଗୁମ୍ଫାଗୁଡ଼ିକ
ଦିଗମ୍ବର ଜୈନ ଗୁମ୍ଫା
ଏହି ଗୁମ୍ଫାଗୁଡ଼ିକ ମଧ୍ୟରେ କେବଳ ଗୋଟିଏ ଗୁମ୍ଫା ୧୨ ମହଲା ବିଶିଷ୍ଟ, ଯାହାକୁ ‘କୈଳାଶ ମନ୍ଦିର’ କୁହାଯାଏ। ଏହି ମନ୍ଦିରଟି ରାଷ୍ଟ୍ରକୂଟ ଶାସକ କୃଷ୍ଣ ପ୍ରଥମଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହି ଗୁମ୍ଫା କାରିଗରୀର ଏକ ଚମତ୍କାର ଉଦାହରଣ। ଗୋଟିଏ ପଥରରେ ଖୋଦିତ ଏହି ବିଶାଳ ମନ୍ଦିରର ପ୍ରତ୍ୟେକ ମୂର୍ତ୍ତିର କାରିଗରୀ ଖୁବ୍ ଆକର୍ଷଣୀୟ । ଏହି ଗୁମ୍ଫାଠାରୁ ଏକ କିଲୋମିଟର ଦୂରରେ ରହିଛି ଏଲୋରା ଗାଁ । ତେଣୁ ଏହି ଗାଁର ନାମ ଅନୁସାରେ ଏଗୁଡ଼ିକୁ ‘ଏଲୋରା ଗୁମ୍ଫା’ କୁହାଯାଏ।

କୈଳାସ ମନ୍ଦିର ବ୍ୟତୀତ ବାକି ମନ୍ଦିରଗୁଡ଼ିକ ପ୍ରାୟ ୬୦୦-୭୫୦ ଖ୍ରୀଷ୍ଟାବ୍ଦରେ ନିର୍ମାଣ ହୋଇଥିବା କୁହାଯାଏ। ଏଲୋରା ମୂର୍ତ୍ତି ଅନନ୍ୟ। ଗୁପ୍ତ ଯୁଗ ପରେ, ଏପରି ମହାନ ନିର୍ମାଣ ଅନ୍ୟ କୌଣସି ସମୟରେ ହୋଇ ନ ଥିଲା। ଏଲୋରାର ଗୁମ୍ଫାଗୁଡ଼ିକ ବୌଦ୍ଧ, ହିନ୍ଦୁ ଏବଂ ଜୈନ ଧର୍ମ ସହିତ ସିଧାସଳଖ ଜଡିତ, ତେଣୁ ଏହି ଧର୍ମର ଅନୁଗାମୀମାନେ ଏଠାରେ ଭିଡ଼ ଜମାଇଥାନ୍ତି। ଏହା ବ୍ୟତୀତ ବର୍ଷସାରା ଏଠାରେ ଦେଶୀ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ଗହଳି ଲାଗି ରହିଥାଏ। ଏହି ଗୁମ୍ଫାଗୁଡ଼ିକରେ ଏତେ ଆକର୍ଷଣ ଏବଂ କୌଶଳ ଅଛି ଯେ ଏଠାକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଏଗୁଡ଼ିକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ସମଗ୍ର ଅଞ୍ଚଳଟି ବହୁତ ଖୋଲା ଏବଂ ଶାନ୍ତ। ଏଲୋରା ନିକଟରେ ‘ଘୃଷ୍ଣେଶ୍ୱର ମହାଦେବ’ଙ୍କ ଏକ ମନ୍ଦିର ଅଛି।

ଏଲୋରାର ସ୍ଥପତିମାନେ କୈଳାସ ମନ୍ଦିରକୁ ହିମାଳୟର କୈଳାସର ଆକୃତି ଦେବାରେ କୌଣସି କସରତ ଛାଡ଼ି ନଥିଲେ। ଏହି ଦୁଇ ମହଲା ବିଶିଷ୍ଟ ଶିବ ମନ୍ଦିରଟି ପର୍ବତର ପଥରକୁ କାଟି ନିର୍ମାଣ କରାଯାଇଛି । କୈଳାସର ଭୈରବଙ୍କ ମୂର୍ତ୍ତି ଯେତେ ଭୟଙ୍କର, ପାର୍ବତୀଙ୍କ ମୂର୍ତ୍ତିି ମଧ୍ୟ ସେତିକି ସ୍ନେହପୂର୍ଣ୍ଣ। ଏହି ମନ୍ଦିର ତିଆରି କରାଇଥିବା ରାଜାଙ୍କ ବିଶ୍ୱାସ ରହିଥିଲା, ଯଦି କୌଣସି ଶ୍ରଦ୍ଧାଳୁ ହିମାଳୟକୁ ଯାଇ ଭଗବାନ ଶିବଙ୍କୁ ଦର୍ଶନ ନ କରିପାରେ ସେ ଏହି ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିବ। ୨୭୬ ଫୁଟ ଲମ୍ବ ଓ ୧୫୪ ଫୁଟ ଚଉଡା ଏହି ମନ୍ଦିରର ବିଶେଷତ୍ୱ ହେଉଛି କେବଳ ଗୋଟିଏ ମାତ୍ର ବୃହତ୍ତ ପଥର କଟା ଯାଇ ନିର୍ମାଣ କରାଯାଇଛି। ମନ୍ଦିରର ଉଚ୍ଚତା ପ୍ରାୟ ୩ ମହଲା କୋଠାର ଉଚ୍ଚତା ସହ ସମାନ। ଏହି ଭବ୍ୟ ମନ୍ଦିରର ଦର୍ଶନ ପାଇଁ କେବଳ ଦେଶ ନୁହେଁ ବରଂ ସାରା ଦୁନିଆରୁ ଲୋକଙ୍କ ଭିଡ ଛୁଟିଥାଏ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *