ବରଗଡ଼ ଧନୁଯାତ୍ରାରେ ଏଥର କଂସ ହେବେ ଭୁବନେଶ୍ୱର ପ୍ରଧାନ

ବରଗଡ଼: ପାରମ୍ପରିକ ଲୋକକଳା ହିଁ ଆମ ଓଡ଼ିଶାର ପରିଚୟ । ଆମ ଐତିହ୍ୟ ସମ୍ପନ୍ନ ରାଜ୍ୟର କେତେକ ଅଞ୍ଚଳ ନିଜସ୍ୱ ନିଆରା ଲୋକକଳା ପାଇଁ ଆଜି ବିଶ୍ୱବିଖ୍ୟାତ । ସେଥିମଧ୍ୟରୁ ବରଗଡ଼ ଜିଲ୍ଲାର ଧନୁଯାତ୍ରା ଲୋକକଳାର ଏକ ନିଚ୍ଛକ ନିଦର୍ଶନ। ଆସନ୍ତା ଜାନୁୟାରୀ ୩ ତାରିଖରେ ଆରମ୍ଭ ହେବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବ ୧୧ ଦିନ ଧରି ଚାଲିବ । ଏଥିଲାଗି ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଗଲାଣି । କିପରି ଏହି ମହୋତ୍ସବ ସୁରୁଖୁରୁରେ ଅନୁଷ୍ଠିତ ହେବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି । ରବିବାର ଏହି ଧନୁଯାତ୍ରା ପାଇଁ କଂସ ଚୟନ ଶେଷ ହୋଇଛି । ଏଥର ମନୋନିତ ହୋଇଛନ୍ତି ଭୁବନେଶ୍ୱର ପ୍ରଧାନ । ସେ ଏଥର ଧନୁଯାତ୍ରା ମଞ୍ଚ ଦୁଲୁକାଇବେ । ପୂର୍ବରୁ ଅନେକଥର କଂସ ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ମନ ଜିଣି ସାରିଛନ୍ତି ଭୁବନେଶ୍ୱର ।

ଆସନ୍ତା ଧନୁଯାତ୍ରା ମହୋତ୍ସବ ପାଇଁ ରବିବାର ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ୍‌ରେ କଂସ ଚୟନ ପ୍ରକ୍ରିୟା ଅନଷ୍ଠିତ ହୋଇଥିଲା। ଏହି ଚୟନ ପ୍ରକ୍ରିୟାରେ ବରଗଡ଼ ବ୍ଲକ ସର୍ଲା ଗ୍ରାମର ଭୁବନେଶ୍ୱର ପ୍ରଧାନ ସମସ୍ତଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ଆସନ୍ତା ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି। ସେ ପୂର୍ବରୁ ଏହି ମହୋତ୍ସବରେ ଅନେକଥର କଂସ ଭୂମିକାରେ ଅଭିନୟ କରି ସାରିଛନ୍ତି । ବରଗଡ଼ ଧନୁଯାତ୍ରା ଦୃଶ୍ୟାଭିନୟରେ ତାଙ୍କର ଅନେକ ଅଭିଜ୍ଞତା ରହିଛି। ଫଳରେ ଅନ୍ୟବର୍ଷ ତୁଳନାରେ ଏଥର ତାଙ୍କ କଂସ ଦୃଶ୍ୟାଭିନୟ ଆହୁରି ଉଚ୍ଚକୋଟୀର ହେବ ବୋଲି ଲୋକେ ଆଶା ରଖିଛନ୍ତି।

ଏଠାରେ କହି ରଖୁଛୁ, ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗତବର୍ଷ କଂସ ଭୂମିକାରେ ଅଭିନୟ କରିଥିଲେ ହୃଷୀକେଶ ଭୋଇ । ସେ ନିକଟରେ ମହାପ୍ରୟାଣ ଗାଡ଼ିରେ ଶବ ପରିବହନ ବାବଦକୁ ମୃତକଙ୍କ ପରିବାରଠାରୁ ଲାଞ୍ଚ ନେବା ଅଭିଯୋଗରେ ବିବାଦୀୟ ହୋଇ ପଡ଼ିଥିଲେ। ଆସନ୍ତା ଧନୁଯାତ୍ରା ତାଙ୍କ ପାଇଁ ଶେଷ ସୁଯୋଗ ଥିଲା। ମାତ୍ର ଲାଞ୍ଚ ନେବା ଘଟଣାରେ ତାଙ୍କୁ ବିଦା ହେବାକୁ ପଡ଼ିଥିଲା ଏବଂ ନୂତନ କଂସ ଚୟନର ଆବଶ୍ୟକତା ପଡ଼ିଥିଲା। ଧନୁଯାତ୍ରା ମହୋତ୍ସବ ସମିତିର ନିଷ୍ପତ୍ତି କ୍ରମେ ଉକ୍ତ ଚୟନ ପ୍ରକ୍ରିୟାରେ ୪ଜଣ କଂସ କଳାକାର ଅଂଶଗ୍ରହଣ କରିଥିଲେ। ସେମାନେ ହେଲେ ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର, ଭୁବନେଶ୍ୱର ପ୍ରଧାନ ଏବଂ ସୁଶୀଲ କୁମାର ମେହେର। ସମସ୍ତଙ୍କୁ ପଛରେ ପକାଇ ଭୁବନେଶ୍ୱର ପ୍ରଧାନ ଆଗାମୀ ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ ପାଇଁ ସୁଯୋଗ ପାଇଛନ୍ତି। ଏହାକୁ ନେଇ ତାଙ୍କ ସମର୍ଥକ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *