କଟକ: ବାଲିଯାତ୍ରାକୁ ଆସିବେ ୧୦ରୁ ଅଧିକ ରାଷ୍ଟ୍ରଦୂତ ଓ ପ୍ରତିନିଧି । ପ୍ରଥମ ଥର ପାଇଁ କଟକର ଐତିହାସିକ ବାଲିଯାତ୍ରାକୁ ଆସିବେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ ପ୍ରତିନିଧି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଜଣାଇଛି। ଫଳରେ ସେମାନଙ୍କୁ ରାଜ୍ୟ ଅତିଥି ମାନ୍ୟତା ପ୍ରଦାନ କରାଯିବା ସହ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରଶାସନିକସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ସେମାନେ ବାଲିଯାତ୍ରା ବୁଲି ଦେଖିବା ସହ କୋଣାର୍କ, କଟକ ସହରର ବିଭିନ୍ନ ଐତିହାସିକ ସ୍ଥାନ, ଲଳିତଗିରି, ମାଣିଆବନ୍ଧ ଆଦି ସ୍ଥାନ ପରିଦର୍ଶନ କରିବେ। ଚଳିତଥର ବାଲିଯାତ୍ର୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଯୋଜନା ଆରମ୍ଭ ହୋଇଛି। ସ୍ୱତନ୍ତ୍ର ଅନୁଭୂତି ଆଣିବ ଏଥରର ବାଲିଯାତ୍ରା । ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ ଏହି ଐତିହାସିକ ବାଲିଯାତ୍ରା ।
ଆମ ସଂସ୍କୃତି, ପରମ୍ପରା ଓ ତାଙ୍କ ଦେଶର କଳା, ସଂସ୍କୃତି ପରମ୍ପରାର ଭାବ ବିନିମୟ ଓ ଆଦାନପ୍ରଦାନ କାର୍ଯ୍ୟକ୍ରମରେ ସାମିଲ ହେବେ। ନେପାଳ, ଭୁଟାନ୍, ବାଂଲାଦେଶ, ମିୟାଁର୍ମା ଭଳି ବିମ୍ଷ୍ଟେକ୍ ଓ ଏସିଆନ୍ ଦେଶର ରାଷ୍ଟ୍ରଦୂତ ମାନେ ଆସିବେ ବୋଲି କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇଛି। କିନ୍ତୁ କିଏ କିଏ ଆସିବେ ଓ କେଉଁ କେଉଁ ସ୍ଥାନକୁ ସେମାନଙ୍କୁ ବୁଲିବା ପାଇଁ ନିଆଯିବ ସେ ସଂପର୍କରେ ଖୁବ୍ଶୀଘ୍ର ଚୂଡ଼ାନ୍ତ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଜଣାଯାଇଛି । ଅନ୍ୟପଟେ ବାଲିଯାତ୍ରାରେ ୧୦ ହଜାରରୁ ଅଧିକ ବର୍ଗଫୁଟ୍ରେ ହେବାକୁ ଥିବା ଦକ୍ଷିଣପୂର୍ବ ଏସିଆକୁ ନେଇ ପ୍ୟାଭିଲିୟନ୍ରେ ଏହି ସବୁ ଦେଶର ସମ୍ପର୍କ କେମିତି ରହିଥିଲା ଓ ବର୍ତ୍ତମାନ କେମିତି ଅଛି, ସେତେବେଳର ବାଣିଜ୍ୟିକ ସଂପର୍କ କିଭଳି ଥିଲା ଓ ବର୍ତ୍ତମାନର ସଂପର୍କ କିଭଳି ରହିଛି, ସେ ସଂପର୍କରେ ଦର୍ଶକଙ୍କ ପାଇଁ ସବିଶେଷ ତଥ୍ୟ ରଖାଯିବ।
ଅନ୍ୟପଟେ ଚଳିତ ବର୍ଷ ପ୍ରଥମଥର ପାଇଁ ଓରମାସ୍ରେ ପିଠା ମହୋତ୍ସବ ଅନୁଷ୍ଠିତ ହେବ। ପାରମ୍ପରିକ ଓଡ଼ିଆ ପିଠା ସବୁ ଷ୍ଟଲ୍ରେ ପ୍ରଦର୍ଶିତ ହେବ। ଅନେକ ଓଡ଼ିଆ ପିଠାପଣା ଏବେ ହଜି ଯାଉଥିବାବେଳେ ସେହି ସବୁ ପାରମ୍ପରିକ ପିଠାକୁ ମହିଳାମାନେ ତିଆରି କରିବେ। ୧୦ଟି ଷ୍ଟଲ୍ରେ ପ୍ରଦର୍ଶତ ହେବ ପାରମ୍ପରିକ ଓଡ଼ିଆ ଘରର ପିଠାପଣା। ଏହା ଅତିଥିମାନଙ୍କୁ ପରସା ଯିବ। କେବଳ ସେତିକି ନୁହେଁ ମିଲେଟ୍ ପ୍ରସ୍ତୁତ ବିଭିନ୍ନ ପିଠାପଣା ଓ ସାମଗ୍ରୀ ବି ଏହି ଷ୍ଟଲ୍ରେ ମିଳିବ। ଅନ୍ୟପଟେ ଓରମାସ୍ରେ ଏଥର ବଡ଼ମ୍ବାରେ ତିଆରି ହେଉଥିବା ପାଳୁଅ, ଲେମନ୍ ଗ୍ରାସ୍ ତେଲରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯିବ। ତା’ ସହିତ ପଟ୍ଟଚିତ୍ର ଶାଢ଼ି, ଓଢ଼ଣୀ ତଥା ବିଭିନ୍ନ ସାମଗ୍ରୀର ଲାଇଭ୍ ଡେମୋ ପ୍ରଦର୍ଶିତ ହେବ। ବିୟୁଟିପାର୍ଲର, ଦକ୍ଷତା ବିକାଶ ପାଇଁ କର୍ମଶାଳା ମଧ୍ୟ ଆୟୋଜନ କରାଯିବ।