ଚୀନ: ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଦୂର କରେ ବାଘମୂତ୍ର । ଯଦି ଆପଣ ବାଘମୂତ୍ରକୁ ଧଳା ମଦ ସହିତ ମିଶାଇ ପିଅନ୍ତି, ତେବେ ଏହା ଆହୁରି ପ୍ରଭାବଶାଳୀ ପ୍ରମାଣିତ ହେବ। ଏଥିଲାଗି ଏଠାକାର ଲୋକମାନେ ବାଘମୂତ୍ରର ଏକ ବୋତଲ ପାଇଁ ପ୍ରାୟ ୬୦୦ ଟଙ୍କା ଦେଇଥାନ୍ତି। ଏହାକୁ ନେଇ ଚାଇନାର ଏକ ଚିଡ଼ିଆଖାନା ଏବେ ଚର୍ଚ୍ଚାରେ ରହିଛି। ଦେଶର ସିଚୁଆନ ପ୍ରଦେଶରେ ଅବସ୍ଥିତ ଏହି ଚିଡ଼ିଆଖାନା ବାଘମୂତ୍ର ବିକ୍ରି କରୁଛି। ଚିଡ଼ିଆଖାନାରୁ ଫେରିଥିବା ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଏହା ପୋଷ୍ଟ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।
ସିଚୁଆନ ପ୍ରଦେଶର ୟାନ ବାଇଫେଙ୍ଗସିଆ ବନ୍ୟପ୍ରାଣୀ ଚିଡ଼ିଆଖାନା ଦାବି କରିଛି, ବାଘମୂତ୍ର ସହିତ ଧଳା ମଦ ମିଶ୍ରିତ ହୋଇ ପିଇବା ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଚିଡ଼ିଆଖାନାରୁ ଫେରିଥିବା ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଏହା ପୋଷ୍ଟ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ସେହି ବ୍ୟକ୍ତିଙ୍କ କହିବା ଅନୁଯାୟୀ, ସାଇବେରିଆନ ବାଘର ମୂତ୍ର ଏଠାରେ ଲୋକମାନଙ୍କୁ ବିକ୍ରି କରାଯାଉଛି । ଏହାର ଅନେକ ଲାଭ ଅଛି। ବାଘ ମୂତ୍ରର ଏକ ୨୫୦ ମିଲି ବୋତଲର ମୂଲ୍ୟ ୫୦ ୟୁଆନ (ଭାରତୀୟ ମୁଦ୍ରାରେ ପ୍ରାୟ ୬୦୦ ଟଙ୍କା)।
ଆଉ ଏହି ବୋତଲରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ, ଏହା ଗଣ୍ଠି ଯନ୍ତ୍ରଣା ଏବଂ ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତି ଦିଏ। ଏହାକୁ କିପରି ବ୍ୟବହାର କରିବେ ତାହା ମଧ୍ୟ ବୁଝାଯାଇଛି। ବାଘମୂତ୍ରକୁ ଧଳା ମଦ ଏବଂ ଖଣ୍ଡେ ଅଦା ସହିତ ମିଶାଇ ପିଇବା ଉଚିତ। ଏହା ପରେ ଏହାକୁ ପ୍ରଭାବିତ ସ୍ଥାନରେ ଲଗାନ୍ତୁ ବୋଲି ବୋତଲ ଉପରେ ଉଲ୍ଲେଖ କରାଯାଇଛି।
ଲୋକଙ୍କୁ ଏହା ମଧ୍ୟ ଚେତାବନୀ ଦିଆଯାଇଛି ଯେ, ଯଦି ସେମାନଙ୍କର କୌଣସି ପ୍ରକାରର ଆଲର୍ଜି ଅଛି, ତେବେ ସେମାନେ ଏହାକୁ ବ୍ୟବହାର କରିବା ଉଚିତ ନୁହେଁ। ତଥାପି ବିଶେଷଜ୍ଞମାନେ ଏହାକୁ ଭ୍ରମାତ୍ମକ ବୋଲି କହିଛନ୍ତି। ଜଣେ ଚାଇନା ଔଷଧ ବିଶେଷଜ୍ଞ କହିଛନ୍ତି, ଏହି ମାମଲା କେବଳ ବାଘ ସଂରକ୍ଷଣକୁ କ୍ଷତି ପହଞ୍ଚାଉନାହିଁ, ବରଂ ଏହା ପାରମ୍ପରିକ ଚାଇନା ଔଷଧକୁ ମଧ୍ୟ ବଦନାମ କରୁଛି। ଔଷଧ ବିଶେଷଜ୍ଞ କହିଛନ୍ତି, ଚିକିତ୍ସା ଭାବରେ ବାଘମୂତ୍ର ବ୍ୟବହାର ହେବାର କୌଣସି ପ୍ରମାଣ ନାହିଁ। କିନ୍ତୁ ଚିଡ଼ିଆଖାନା ଦୃଢ଼ତାର ସହ କହିଛି, ଏହି ବ୍ୟବସାୟ ପାଇଁ ଏହାର ଲାଇସେନ୍ସ ଅଛି।