ବାରିପଦା: ଏନକ୍ଲୋଜରରୁ ବାହାରିଲା ବାଘୁଣୀ ‘ଜୀନ୍ନତ’। ଶିମିଳିପାଳର ଉତ୍ତର ଡିଭିଜନ୍ କୋର୍ ଏରିଆକୁ ଛଡ଼ାଗଲା। ରାତି ୯ଟା ୩୦ରେ ଛଡ଼ାଯାଇଥିବା ନେଇ ଶିମିଳିପାଳ ଜଉଉୠ ସୂଚନା ଦେଇଛନ୍ତି। ତେବେ ୨୪ ଘଣ୍ଟିଆ ମନିଟରିଂରେ ରହିବ ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ‘ଜୀନ୍ନତ’।
ଏବେ ଶିମିଳିପାଳ ଉତ୍ତରକୋର୍ ଅଞ୍ଚଳରେ ଜିନ୍ନତ୍ ଓ ଦକ୍ଷିଣ କୋରରେ ବାଘୁଣୀ ଯମୁନା ଅଛନ୍ତି। ଉଭୟ ବାଘୁଣୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଆରସିସିଏଫ ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି। ଗତ କିଛିଦିନ ହେବ ଅଭୟାରଣ୍ୟର କୋର ଏରିଆରେ ଏକ ସ୍ୱତନ୍ତ୍ର ଏନକ୍ଲୋଜର ରଖାଯାଇ ତାର ଗତିବିଧି ଲକ୍ଷ୍ୟ କରିବା ସହିତ ବିଭିନ୍ନ ଲକ୍ଷଣକୁ ଏକ ସ୍ୱତନ୍ତ୍ର ଟିମ ନିରୀକ୍ଷଣ କରୁଥିଲା ।
ଗତ ୧୩ ତାରିଖରେ ମହାରାଷ୍ଟ୍ରରର ତଡବା ଜଙ୍ଗଲରେ ‘ଜିନତ୍’କୁ ଟ୍ରାଙ୍କୁଲାଇଜର କରାଯିବା ପରେ ଏକ ସ୍ୱତନ୍ତ୍ର ଗାଡିରେ ରାଇପୁର, ସମ୍ବଲପୁର ଏବଂ ଯଶିପୁର ବାଟ ଦେଇ ଶିମିଳିପାଳକୁ ଅଣା ଯାଇଥିଲା। ଶିମିଳିପାଳର ଏକ ସ୍ୱତନ୍ତ୍ର ଟିମ୍ ମହାରାଷ୍ଟ୍ର ଯାଇ ଆଇନଗତଃ ପ୍ରକ୍ରିୟା ଶେଷ କରିବା ପରେ ଏହି ବାଘୁଣୀକୁ ଅଣାଯାଇଥିଲା। ଶିମିଳିପାଳରେ ୧୪ ତାରିଖ ସନ୍ଧ୍ୟା ୭ଟା ବେଳକୁ ପହଞ୍ଚିଥିଲା ବାଘୁଣୀ ‘ଜିନତ’। ପରେ ତାକୁ ଏନକ୍ଲୋଜରରେ ଛଡ଼ା ଯାଇଥିଲା। କିଛି ଦିନ ତଳେ ଏନକ୍ଲୋଜରରେ ଏକ ଘୁଷୁରିକୁ ଶିକାର କରି ଖାଇଥିଲା ଜିନତ।
ଶିମିଳିପାଳ ଅଭୟାରଣ୍ୟ ବାଘ ବଂଶ ବୃଦ୍ଧି ପାଇଁ ଦେଶର ଉତ୍ତମ ସ୍ଥାନ ବୋଲି ଏନ୍ଟିସିଏ ସ୍ପଷ୍ଟ କରିଥିଲା । ଏହି ପରିପ୍ରେକ୍ଷୀରେ ଶିମିଳିପାଳକୁ ଦୁଇଟି ମହାବଳ ବାଘୁଣୀ ଜିନତ ଓ ଯମୁନାକୁଙ୍କୁ ଅଣା ଯାଇଛି। ଶିମିଳିପାଳ ଅଭୟାରଣ୍ୟରେ ୨୮ଟି ବାଘ ଥିବା ବେଳେ ସେଥି ମଧ୍ୟରୁ ୧୫ଟି ହେଉଛନ୍ତି ବାଘ କଳା। ଏ ସବୁ ବାଘଙ୍କ ରଙ୍ଗ କଳା ହେବାର କାରଣ ଜିନଗତ ସମସ୍ୟା ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି।
ଗୋଟିଏ ଗୋଷ୍ଠୀ ମଧ୍ୟରେ ପ୍ରଜନନ ପ୍ରକ୍ରିୟା ହେଉଥିବା ଯୋଗୁ ବାଘ ବଂଶରେ ଜେନେଟିକ ସମସ୍ୟା ସୃଷ୍ଟି ହେଉଥିବା କୁହାଯାଉଛି। ଏଥି ପାଇଁ ବାହାର ରାଜ୍ୟରୁ ବାଘୁଣୀ ଆଣି ଶିମିଳିପାଳ ଅଭୟାରଣ୍ୟରେ ଛଡାଯାଇଛି। ଫଳରେ ଏଠାରେ ଥିବା କଳା ବାଘଙ୍କୁ ନୂଆ ସାଥି ମିଳିବେ ଭବିଷ୍ୟତରେ ଶିମିଳିପାଳରେ ଆଉ ବାଘ ବଂଶରେ ଜେନେଟିକ ସମସ୍ୟା ଦେଖାଯିବନି ବୋଲି ଆଶା ରହିଛି।